Odisha News

ପୁଅ ସାଜିଲା ପିଶାଚ, ବାଇକ୍ ନଦେବାରୁ ବାପାଙ୍କୁ ବ୍ଲେଡରେ କାଟି ହତ୍ୟା କଲା ପୁଅ

ଢେଙ୍କାନାଳ,୮/୨: ସାମାନ୍ୟ ବାଇକ୍ ପାଇଁ ରକ୍ତମୁଖା ସାଜିଲା ପୁଅ। ବାପାଙ୍କ ତଣ୍ଟିକୁ ବ୍ଲେଡରେ କାଟିଦେବା ସହ ପଥରରେ ଛେଚି ହତ୍ୟା କଲା। ତା’ପରେ ମୃତଦେହକୁ ପୋଡ଼ିବାକୁ ମଶାଣିକୁ ନେଉଥିଲା। ହେଲେ ବାଟରେ ମାଡ଼ିବସିଲା ପୁଲିସ୍। ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କୋରିଆଁ ଜୁଆଙ୍ଗ ବସ୍ତିରେ।
ମୃତକଙ୍କ ନାଁ ତ୍ରିଲୋଚନ ପଧାନ। ଜୁଆଙ୍ଗ ବସ୍ତିରେ ତ୍ରିଲୋଚନ ନିଜ ୨ ପୁଅଙ୍କ ସହ ରହୁଥିଲେ। ତାଙ୍କ ପତ୍ନୀ ନାହାନ୍ତି। ବଡ଼ ପୁଅ ପ୍ରକାଶ ସହ ମିଶି ମୂଲ ଲାଗି ସେ ଘର ଚଳାଉଥିଲେ। ପ୍ରାୟ ୨ ମାସ ପୂର୍ବେ ତ୍ରିଲୋଚନ ୨ ଲକ୍ଷ ଟଙ୍କାରେ ଏକ ଜାଗା ବିକ୍ରି କରି ସାନ ପୁଅକୁ ବାଇକ୍ କିଣିବା ପାଇଁ ଟଙ୍କା ଦେଇଥିଲେ। ହେଲେ ବଡ଼ ପୁଅ ପ୍ରକାଶକୁ କିଛି ଦେଇ ନଥିଲେ। ଏହାକୁ ନେଇ ପ୍ରକାଶ ରାଗି ଯାଇଥିଲେ। ତେଣୁ ବାପପୁଅଙ୍କ ମଧ୍ୟରେ ମଝିରେ ମଝିରେ ଝଗଡ଼ା ହେଉଥିଲା।
ଗତକାଲି ଘରେ ସାନ ଭାଇ ନଥିବା ବେଳେ ପ୍ରକାଶ ନିଶାସକ୍ତ ଅବସ୍ଥାରେ ଫେରିଥିଲେ ଓ ସେହି କଥାକୁ ନେଇ ବାପାଙ୍କ ସହିତ ଝଗଡ଼ା କରିଥିଲେ। ଯୁକ୍ତିତର୍କ ବଢ଼ିବା ପରେ ଉତକ୍ଷିପ୍ତ ହୋଇ ପ୍ରକାଶ ତାଙ୍କ ବାପାଙ୍କ ବେକକୁ ବ୍ଲେଡରେ କାଟି ଦେଇଥିଲେ। ତା’ପରେ ପଥର ଛେଚି ଦେଇଥିଲେ।
ବାପାଙ୍କୁ ହତ୍ୟା କରିବା ପରେ ପ୍ରକାଶ ମୃତଦେହକୁ ପୋଡ଼ିବାକୁ ମଶାଣିକୁ ନେଉଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ଟାଉନ୍ ଥାନା ପୁଲିସ୍ ଚଢ଼ାଉ କରି ପ୍ରକାଶକୁ ଧରି ଥିଲା ଓ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଅଭିଯୁକ୍ତ ପ୍ରକାଶ ସହିତ ତାଙ୍କର ଜଣେ ସଂପର୍କୀୟଙ୍କୁ ଥାନାରେ ଅଟକ ରଖିଛି।

Related Posts

Seo wordpress plugin by www.seowizard.org.