Odisha News

ପଶ୍ଚିମ ଓଡିଶାରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍, ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ୍

ବରଗଡ଼,୧/୧୦: ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ। ବରଗଡ଼ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି। ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ ବ୍ୟକ୍ତି। ବେସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବରଗଡ଼ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ସାଧୁ ଚରଣ ଦାଶ ସୂଚନା ଦେଇଛନ୍ତି ।
ଏଣେ ବରଗଡ଼ରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ସ୍ଥିତି ନେଇ ପ୍ରଥମେ ବୁର୍ଲା ଭିମସାରର ଏକ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପରେ ଓଡ଼ିଶା ଜନସ୍ବାସ୍ଥ୍ୟ ବିଭାଗର ଟିମ୍ ଆସି ଏହାର କାରଣ ଓ ନିରାକରଣ ବିଷୟରେ ପଚାରି ବୁଝିଥିଲେ।
ଏବେ କେନ୍ଦ୍ରୀୟ ଟିମ୍ ପ୍ରଥମେ ସୁନ୍ଦରଗଡ଼ ଓ ଏବେ ବରଗଡ଼ ପହଞ୍ଚି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରୁଛନ୍ତି। ସ୍କ୍ରବ୍ ଟାଇଫସ ପଶ୍ଚିମ ଓଡ଼ିଶାରେ କାୟା ବିସ୍ତାର କରୁଥିବାରୁ ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏହି ଟିମ୍ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାର କାର‌୍ୟ୍ୟକ୍ରମ ରହିଛି। ତେବେ ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ଏହାର ସମୀକ୍ଷା କରିବା ପାଇଁ ଟିମ୍ ପହଞ୍ଚି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି।
ଆଜି ଏହି ଟିମ୍ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପରୀକ୍ଷାଗାର ତଦାରଖ କରିବାର କାର‌୍ୟ୍ୟକ୍ରମ ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସ୍କ୍ରବ୍ ଟାଇଫସ ପାଇଁ ୧୭୭୫ ଜଣଙ୍କ ଟେଷ୍ଟ କରାଯାଇଥିବା ବେଳେ ୮୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ଜୀବନ ନେଇ ସାରିଛି ସ୍କ୍ରବ୍ ଟାଇଫସ। ତେବେ କେଉଁ କାରଣରୁ ପୀଡ଼ିତଙ୍କ ମୃତ୍ୟୁ ହୋଇଛି ଏହାର ପ୍ରକୃତ କାରଣ ଖୋଜୁଛି ଏହି କେନ୍ଦ୍ରୀୟ ଟିମ।
ବରଗଡ଼ ଜିଲାରେ ଧୀରେ ଧୀରେ ପଜିଟିଭ ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିନେଇ ଚିନ୍ତା ପ୍ରକଟ କରିବା ସହ ଗ୍ରାଉଣ୍ଡ ଜିରୋରେ କଣ ରହିଛି ସ୍ଥିତି ଏହାକୁ ଅନୁଧ୍ୟାନ କରିବା ପାଇଁ ୨୨ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରିଥିଲେ।
କେନ୍ଦ୍ରରୁ ଏକ ୪ଜଣିଅ। ଓ ରାଜ୍ୟରୁ ୨ଜଣ ଏହି ଭଳି ୬ଜଣିଆ ଟିମ ଗତକାଲି ସୁନ୍ଦରଗଡ଼ ଓ ବରଗଡ଼ରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି। ଏହି ଟିମରେ଼ ଡକ୍ଟର ସମୀର ଗୁଲାଟି, ପ୍ରଫେସର, ମେଡିସିନ, ଏଲଏଚଏମସି ଏବଂ ଏସଏସକେଏଚ୍, ନୂଆଦିଲ୍ଲୀ, ଡକ୍ଟର ତୁଷାର ନାଲେ, ଡେପୁଟି ଡାରେକ୍ଟର (ପବ୍ଲିକ ହେଲଥ୍ ସ୍ପେଶାଲିଷ୍ଟ), ସେଣ୍ଟର ଫର୍ ଓ୍ୱାନ୍ ହେଲଥ୍, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ, ଡାକ୍ତର ଧରା ବି ଶାହ, ଆସିଷ୍ଟାଣ୍ଟ ଡାରେକ୍ଟର (ମାଇକ୍ରୋବାୟୋଲୋଜି), ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ କଣ୍ଟ୍ରୋଲ, ଦିଲ୍ଲୀ, ଡକ୍ଟର ଆରୁଷି ଘାଇ, ଇଆଇଏସ ଅଫିସର, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ ରହିଛନ୍ତି। ସମୀକ୍ଷା ପରେ ଟିମ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସମୀକ୍ଷା ବୈଠକରେ ସିଡିଏମଓ ଡ଼ ଜିତେନ୍ଦ୍ର ମୋହନ ବେବର୍ତା, ଡ ସାଧୁଚରଣ ଦାଶ, ଯୋଗ ଦେଇ ଜିଲ୍ଲାରେ ନିଅ।ଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଲାବ୍ରୋଟାରୀ ପରିଦର୍ଶନ କରି ସ୍ଵାସ୍ଥ୍ୟ ବ୍ୟବସ୍ଥାର ନିରୀକ୍ଷଣ କରିବାର କାର୍ଯ୍ୟକ୍ରମ ରହିଛି।

Related Posts

Seo wordpress plugin by www.seowizard.org.