Odisha News

ପତ୍ନୀ ଓ ପୁତ୍ର ହତ୍ୟାକାରୀକୁ ଆଜୀବନ ଜେଲ

ଭଦ୍ରକ, ୧/୬: ପତ୍ନୀ, ପୁତ୍ର ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ । ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ପ୍ରଭାତ କୁମାର ରାଜଗୁରୁ ଧୂସୁରୀ ଥାନା ସାହାପୁର ଗ୍ରାମର ବାବାଜୀ ମାଝିଙ୍କ ପୁଅ କାଳିଆ ଓରଫ ଅଭୟ ମାଝିଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି ।
ନିଜ ପତ୍ନୀ ଓ ନାବାଳକ ପୁଅର ତଣ୍ଟି ଚିପି ହତ୍ୟା କରିଥିବା ଅପରାଧରେ ଦଫା ୩୦୨ ଅନୁଯାୟୀ ଆଜୀବନ ଜେଲ୍ ଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଓ ୨୦୧ ଦଫାରେ ପ୍ରମାଣ ନଷ୍ଟ କରିବା ଅପରାଧରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କା ଅନାଦେୟ ପୁଣି ଏକ ବର୍ଷ ଜେଲ୍ ଦଣ୍ଡ ଆଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଧୂସୁରୀ ଥାନା ନାନ୍ଦପୁର ଗ୍ରାମର ପଞ୍ଚାନନ ମାଝିଙ୍କର କନ୍ୟା ମାତନ ଓରଫ ପଦ୍ମାବତୀ ସେହି ଥାନା ସାହାପୁର ଗ୍ରାମର ବାବାଜୀ ମାଝିଙ୍କ ମଧ୍ୟମ ପୁତ୍ର କାଳିଆ ଓରଫ ଅଭୟ ମାଝିଙ୍କୁ ଗତ ୨୦୧୨ ମସିହାରେ ବିବାହ କରିଥିଲା । ସେମାନଙ୍କର ୨ ଗୋଟି ପିଲା ମଧ୍ୟ ଅଛନ୍ତି ।
କାଳିଆ ଚେନ୍ନାଇରେ ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିବା ବେଳେ ମେସିନରେ ତାର ଏକ ହାତ ପାପୁଲି କଟି ଯାଇଥିଲା । କମ୍ପାନୀ ତରଫରୁ ତାକୁ ୪ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ରାଶି ମିଳିଥିଲା । ଚାକିରି କରି ନ ପାରିବାରୁ ସେ ଆସି ଘରେ ରହିଥିଲା । ସେହି ଟଙ୍କାରେ ଘର ଚଳାଇଥିଲା । କିଛି ଦିନ ଭିତରେ ନିଜ ପରିବାର ସହ ମତାନ୍ତର ହେବାରୁ ନିଜ ସ୍ତ୍ରୀ ଓ ୨ ପିଲାଙ୍କ ସହ ସେ ଅନ୍ୟ ଗୋଟିଏ ଘର ତିଆରି କରି ଅଲଗା ରହୁଥିଲା । ମାତନ ଅନେକ ସମୟରେ ତାକୁ ହାତ ଖଣ୍ଡିଆ ଆକ୍ଷେପ କରି ପରିହାସ କରୁଥିଲା, ଯାହା ତାକୁ ବାଧୁଥିଲା ।
ଗତ ୨୦୧୮ ମସିହା ଫେବ୍ରୁଆରୀ ମାସ ୨୪ ତାରିଖ ଦିନ ଘରୁ ସଞ୍ଚିତ ଅର୍ଥରୁ ୫ ଶହ ଟଙ୍କା ନେଇ ବଜାର ଯାଇଥିଲା ଓ ସେଥିରୁ ୨ ଶହ ଟଙ୍କା ଖର୍ଚ୍ଚ କରି ୩ ଶହ ଟଙ୍କା ଆଣି ପତ୍ନୀକୁ ଫେରେଇ ଦେଇଥିଲା । ମାତ୍ର ସ୍ତ୍ରୀ ମାତନ ଏଥିରେ ସନ୍ତୁଷ୍ଟ ନ ହୋଇ ବିରକ୍ତି ପ୍ରକାଶ କରିଥିଲା ଓ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ପରେ ମାତନ ନିଜ ପୁଅ ଜୀବନ ମାଝିକୁ ଧରି ରାତିରେ ଶୋଇବାକୁ ଯାଇଥିଲା । ଶୋଇବା ପରେ ପିଲାଟି ମା’ କ୍ଷୀର ଖାଇବା ପାଇଁ କାନ୍ଦିଥିଲା । ମାତନ ତାକୁ କ୍ଷୀର ନ ଦେଇ ବାଡେଇଥିଲା । ଫଳରେ ପାଖରେ ଶୋଇଥିବା କାଳିଆର ନିଦ ଭାଙ୍ଗିଯିବାରୁ ସେ ଏହାକୁ ବିରୋଧ କରିଥିଲା ।
ମାତନ ପୁଣି ତାକୁ ଆକ୍ଷେପ କରି କହିବାରୁ ସେ ଉତ୍ୟକ୍ତ ହୋଇ ଏକ ପ୍ଲାଷ୍ଟିକ ରଶି ଆଣି ତା ତଣ୍ଟିକୁ ଭିଡିଧରିବାରୁ ମାତନର ମୃତ୍ୟୁ ହୋଇଥିଲା । ତା ପରେ ପୁଅ ଜୀବନ ମଧ୍ୟ କାନ୍ଦିବାରୁ ତା ତଣ୍ଟିକୁ ବି ଚିପି ଧରିବାରୁ, ତାର ମଧ୍ୟ ମୃତ୍ୟୁ ହୋଇଥିଲା । ତା ପରେ ସେହି ରାତିରେ ଉଭୟ ମାଆ- ପୁଅଙ୍କର ଶବକୁ ନିଜ ଶୋଇବା ଘର ଭିତରେ ଏକ ଗାତ ଖୋଲି ପୋତି ଦେଇ ପ୍ରମାଣ ନଷ୍ଟ କରିବାକୁ ପ୍ରୟାସ କରିଥିଲା ।
ଘଟଣାର ୬ ଦିନ ପରେ କାଳିଆ ନିଜ ଝିଅକୁ ଧରି ଶ୍ବଶୁର ଘରେ ଯାଇ ମାତନ ଘରୁ କେଉଁଆଡ଼େ ନ କହି ପଳାଇ ଯାଇଛି ବୋଲି କହିଥିଲା । ଶ୍ବଶୁର ପଞ୍ଚାନନ ମାଝୀ ଧୂସୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲା ।
ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି କାଳିଆକୁ ଥାନାକୁ ଆଣି ପଚରା ଉଚୁରା କରୁଥିବା ବେଳେ ପୋଲିସ ପାଖରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସବୁ ସତ କଥା କହିବା ସହ ହତ୍ୟାରେ ବ୍ୟବହୃତ ପ୍ଲାଷ୍ଟିକ ରଶିକୁ ମଧ୍ୟ ଦେଇଥିଲା । ସେ ବିଚାରାଧୀନ ବନ୍ଦୀ ଭାବରେ ଅଦ୍ୟାବଧି ଜେଲ୍‌ରେ ଅଟକ ରହିଥିବା ବେଳେ କୋର୍ଟ ତାକୁ ଏହି ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ କ୍ୟାଡର ପବ୍ଲିକ ପ୍ରୋସିକ୍ୟୁଟର ସୁଦୀପ୍ତ କିଶୋର ଦାସ ମାମଲା ପରିଚାଳନା କରୁଥିଲେ ।

Related Posts