Odisha News

ନ୍ୟାୟ ପାଇଁ ନବୀନ ନିବାସ ଆଗରେ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ଭୁବନେଶ୍ୱର,୨୫/୯: ପୁଲିସ୍ଠାରୁ ନ୍ୟାୟ ନପାଇ ଜଣେ ମହିଳା ଗଛ ଉପରେ ଚଢ଼ିଗଲେ। ତାହା ପୁଣି ସବୁଠାରୁ ସମ୍ୱେଦନଶୀଳ ନବୀନ ନିବାସ ନକଟରେ ଥିବା ଗଛରେ ଚଢ଼ିଗଲେ।
ସେଠାରେ ଉପସ୍ଥିତ ଥିବା କମିଶନରେଟ୍ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ବହୁ କଷ୍ଟରେ ଗଛରୁ ଉଦ୍ଧାର କରିଛନ୍ତି। ଗଛରୁ ଓହ୍ଲାଇବା ପରେ ଭଦ୍ରକ ଓ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ଉପରେ ବର୍ଷିଛନ୍ତି। ଆଉ କହିଛନ୍ତି, ଏ ଜୀବନ ରଖିବି କାହିଁକି?
ପୂରା ଘଟଣା ଜାଣିବାକୁ ହେଲେ ୨୩ ବର୍ଷ ତଳକୁ ଯିବାକୁ ପଡ଼ିବ। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ରେବୀ(ଛଦ୍ମନାମ)। ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା। ରେବୀଙ୍କ ଭାଇ ତାଙ୍କୁ ଉଦ୍ଧାର କରିଥିଲେ। ସେହି ସମୟରେ ତାଙ୍କ ଭାଇଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା।
ଯାହାର ଏକମାତ୍ର ସାକ୍ଷୀ ଥିଲେ ରେବୀ। ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରୁନଥିଲା। ଯେଉଁଥିପାଇଁ ହତ୍ୟା ଅଭିଯୁକ୍ତମାନେ ରେବୀ ଓ ତାଙ୍କ ପରିବାର ଲୋକଙ୍କୁ ନାନା ହଇରାଣ କରୁଥଇଲେ। ପରେ ରେବୀ ବାହା ହୋଇ ଶ୍ୱଶୁର ଘରକୁ ଚାଲି ଯାଇଥିଲେ।
ହେଲେ ଭାଇ ହତ୍ୟାକାରୀଙ୍କୁ ଛାଡ଼ିବେ ନାହିଁ ବୋଲି ପ୍ରଣ ନେଇଥିଲେ। ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ ଦେବା ପାଇଁ କୋର୍ଟକୁ ଯାଇଥିଲେ। ମାମଲା କୋର୍ଟ ବିଚାର ଚାଲିଥିବା ବେଳେ ଭାଇ ହତ୍ୟାକାରୀମାନେ ରେବୀଙ୍କୁ ମିଛ ମାମଲାରେ ଫସାଇ ଦେଇଥିଲେ। ପୁଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଥିଲା।
ରେବୀ କୋର୍ଟରୁ ଦୋଷ ମୁକ୍ତ ହୋଇ ଶ୍ୱଶୁର ଘରକୁ ଫେରିବାକୁ ଚାହିଁଥିଲେ। ହେଲେ ତାଙ୍କୁ ଶ୍ୱଶୁର ଘର ଲୋକ ଗ୍ରହଣ କରିନଥିଲେ। ବରଂ ତାଙ୍କ ଗାଁ ଦାଣ୍ଡରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ପରେ ତାଙ୍କ ମୁହଁରେ ଚୂନକାଳି ବୋଳି ଦେଇଥିଲେ। ଏନେଇ ସେ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଶ୍ୱଶୁର ଘରକୁ ଯାଇପାରୁନଥିବାରୁ ରେବୀ ରହିବେ କେଉଁଠି? ଖାଇବେ କଣ? ଯେଉଁଥିପାଇଁ ସେ ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରି ଥାନାର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ନିରାଶ ହୋଇଥିଲେ। ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ୱାର ଅଭିଯୋଗ କରିଥିଲେ। ହେଲେ ସେଠାରୁ ସେ ନିରାଶ ହୋଇଥିଲେ।
ଏହା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଗୁହାରୀ କରିବା ପାଇଁ ନବୀନ ନିବାସ ଆସିଥିଲେ। ଥରେ କି ଦୁଇ ଥର ନୁହେଁ ବହୁବାର ନବୀନ ନିବାସ ଯିବାକୁ ଚାହିଁଥିଲେ। ମାତ୍ର କମିଶନରେଟ୍ ପୁଲିସ୍ ତାଙ୍କୁ ଛାଡ଼ି ନଥିଲା। ଥରେ ତାଙ୍କୁ କମିଶନରେଟ୍ ପୁଲିସ ଗିରଫ କରି ଝାରପଡ଼ା ଜେଲ୍ ପଠାଇ ଦେଇଥିବା ରେବୀ ଅଭିଯୋଗ କରିଛନ୍ତି।
ସବୁଆଡୁ ନିରାଶ ହେବା ପରେ ରେବୀ ଆଜି ନବୀନ ନିବାସ ନିକଟରେ ଏକ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆତ୍ମହତ୍ୟା ଉଦ୍ୟମ ବେଳେ ତାଙ୍କୁ କାବୁ କରିଥିଲେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ। ମହିଳାଙ୍କୁ ଉଦ୍ଧାର କରାଯାଇ ଏୟାରପୋର୍ଟ ଥାନାରେ ମହିଳା ଅଟକ ରଖାଯାଇଛି।

Related Posts

Seo wordpress plugin by www.seowizard.org.