Odisha News

‘ନିଶାମୁକ୍ତ ବୌଦ୍ଧ’ ଅଭିଯାନକୁ ସଫଳ କରିବାକୁ ପୋଲିସ ଓ ଜିଲ୍ଲା ପ୍ରଶାସନର ଦୃଢ଼ ପ୍ରତିବଦ୍ଧତା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୧୧ : ବୌଦ୍ଧ ଜିଲ୍ଲାରେ ୨,୧୮୮ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ।ଦୁଇ ମାସ ମଧ୍ୟରେ ବୌଦ୍ଧକୁ ଗଞ୍ଜେଇ ଚାଷ ମୁକ୍ତ ଜିଲ୍ଲା ଘୋଷଣା ପାଇଁ ଆହ୍ୱାନ । ଦେଶବ୍ୟାପୀ ‘ନିଶାମୁକ୍ତ ଭାରତ ଅଭିଯାନ’ର ଅଂଶସ୍ୱରୂପ ବୌଦ୍ଧ ଜିଲ୍ଲାକୁ ବେଆଇନ ଗଞ୍ଜେଇ ଚାଷ ଓ ନିଶାଦ୍ରବ୍ୟ ଚୋରା ଚାଲାଣମୁକ୍ତ କରିବା ଲକ୍ଷ୍ୟରେ ବୌଦ୍ଧ ପୋଲିସ ପକ୍ଷରୁ ‘ଏକ ସଂକଳ୍ପ – ନିଶାମୁକ୍ତ ବୌଦ୍ଧ’ ନାମକ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।
ବେଆଇନ ଗଞ୍ଜେଇ ଚାଷର ସମ୍ପୂର୍ଣ୍ଣ ଉଚ୍ଛେଦ ସହିତ ଦୁର୍ଗମ ଓ ଅସୁରକ୍ଷିତ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ବିକଳ୍ପ ଜୀବିକାର ସୁଯୋଗ ସମ୍ପର୍କରେ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅଭିଯାନର ଅଗ୍ରଗତି ସହିତ ସମୀକ୍ଷା ଓ ଚାଲୁଥିବା ଗଞ୍ଜେଇ ଚାଷ ନିରାକରଣ ଅଭିଯାନର ସ୍ଥିତି ଆକଳନ କରିବା ପାଇଁ ଏଏନ୍‌ଟିଏଫ୍‌, ସିଆଇଡି-ସିବି, ଭୁବନେଶ୍ୱରର ଆଇଜିପି ଶ୍ରୀ ହିମାଂଶୁ ଲାଲ, ଆଇପିଏସ୍ ବୌଦ୍ଧ ଜିଲ୍ଲା ଗସ୍ତ କରିଥିଲେ।
ଏହି ଅବସରରେ ଜିଲ୍ଲା ସଦ୍‌ଭାବନା ସଭାଗୃହଠାରେ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଆଇଏଏସ୍‌; କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ, ଆଇପିଏସ୍‌; ଏଏନ୍‌ଟିଏଫ୍‌, ସିଆଇଡି-ସିବିର ଆରକ୍ଷୀ ଅଧୀକ୍ଷକ ସଞ୍ଜୀବ ଶତପଥୀ, ଓପିଏସ୍‌(ଏସ୍‌)ଙ୍କ ସମେତ ଅବକାରୀ ଅଧୀକ୍ଷକ ଶାନ୍ତି ମାରାଣ୍ଡି, ବୌଦ୍ଧ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଏସ୍‌ଡିପିଓ, ବାଲିଗୁଡ଼ା ଏବଂ ପୋଲିସ, ଅବକାରୀ, ରାଜସ୍ୱ ଓ ବନ ବିଭାଗର ସମସ୍ତ ଅଧିକାରୀ ଯୋଗଦେଇଥିଲେ।
ବୈଠକରେ ବୌଦ୍ଧ ଜିଲ୍ଲାରୁ ବେଆଇନ ଗଞ୍ଜେଇ ଚାଷର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ସମସ୍ତ ଅଧିକାରୀ ଓ ଅଂଶଗ୍ରହଣକାରୀମାନେ ସାମୂହିକ ଶପଥ ଗ୍ରହଣ କରିଥିଲେ। ଏହି ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ସହ ଏକ ସମନ୍ୱିତ ଓ ବ୍ୟାପକ ରଣନୀତି ଅବଲମ୍ବନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
କେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ନୁହେଁ, ଗଞ୍ଜେଇ ଚାଷରେ ନିୟୋଜିତ ଅଞ୍ଚଳର ଲୋକମାନଙ୍କୁ ସ୍ଥାୟୀ ଓ ଆଇନସମ୍ମତ ଜୀବିକାର ବିକଳ୍ପ ଯୋଗାଇଦେବାର ଆବଶ୍ୟକତାକୁ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗ ସହ ଆଲୋଚନା କରି ଦୁର୍ଗମ ଗଞ୍ଜେଇ ଚାଷପ୍ରବଣ ଅଞ୍ଚଳରେ ବିକଳ୍ପ ଜୀବିକା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ରଖାଯାଇଛି।
କୃଷି, ଉଦ୍ୟାନକୃଷି, ପ୍ରାଣୀ ସମ୍ପଦ ଇତ୍ୟାଦି ବିଭାଗର ସମନ୍ୱୟରେ କଦଳୀ, ପଣସ,ପିଜୁଳି, ଅମୃତଭଣ୍ଡା,ସଜନା, କାଜୁ, କଫି ଇତ୍ୟାଦି ଚାଷ ଓ ଛେଳି ମେଣ୍ଢା ଗୋରୁ ପାଳନ ଭଳି ବିକଳ୍ପ ଜୀବିକା ଯୋଗାଇ ଦେବା ଉପରେ ଆଲୋଚନା ହୋଇଥିଲା । ଏହାଦ୍ୱାରା ଲୋକମାନେ ବେଆଇନ କାର୍ଯ୍ୟ ଛାଡ଼ି ଆଇନସମ୍ମତ ଓ ସ୍ଥାୟୀ ଆୟର ଉତ୍ସ ଆପଣାଇବାକୁ ଉତ୍ସାହିତ ହେବେ।ବୈଠକ ପରେ ଆଇଜିପି, ଏଏନ୍‌ଟିଏଫ୍ ଙ୍କ ସମେତ ବୌଦ୍ଧ ଓ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ, ଏଏନ୍‌ଟିଏଫ୍ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଜିଲ୍ଲାର ବିଭିନ୍ନ ଗଞ୍ଜେଇ ଚାଷ ସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ଚାଲିଥିବା ଗଞ୍ଜେଇ ଗଛ ନଷ୍ଟ କରିବା ଅଭିଯାନର ସମୀକ୍ଷା କରିବା ସହ କାର‌୍ୟ୍ୟାନୁଷ୍ଠାନର ଅଗ୍ରଗତି ଆକଳନ କରିଥିଲେ।
ବେଆଇନ ଗଞ୍ଜେଇ ଚାଷ ବିରୋଧରେ ବୌଦ୍ଧ ପୋଲିସର ନିରନ୍ତର ଅଭିଯାନର ଫଳସ୍ୱରୂପ ୨୦୨୬-୨୭ ଚାଷ ଋତୁରେ ଏପର‌୍ୟ୍ୟନ୍ତ ପ୍ରାୟ ୨,୧୮୮.୦୩ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଏଥିସହ ୭୩ଟି ମାମଲା ରୁଜୁ କରାଯାଇ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସେହିପରି ଜୁନ୍ ୨୦୨୬ ଠାରୁ ଏପର‌୍ୟ୍ୟନ୍ତ ବୌଦ୍ଧ ପୋଲିସ ୧୩,୨୪୩.୪୫୦ କିଲୋଗ୍ରାମ ନିଶାଦ୍ରବ୍ୟ ଗଞ୍ଜେଇ ଜବତ କରିବା ସହ ୯୩ଟି ମାମଲା ରୁଜୁ କରି ୯୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାବ୍ୟତୀତ ‘ଅପରେସନ୍ ଦହନ’ ଅଧୀନରେ ଜବତ ହୋଇଥିବା ୮୩,୭୯୦ କିଲୋଗ୍ରାମ ଗଞ୍ଜେଇକୁ ନିର୍ଦ୍ଧାରିତ ଦହନ କେନ୍ଦ୍ରରେ ପ୍ରଚଳିତ ନିୟମ ଓ ପ୍ରକ୍ରିୟା ଅନୁସାରେ ନଷ୍ଟ କରାଯାଇଛି।
‘ଏକ ସଂକଳ୍ପ – ଦୁଇ ମାସ ମଧ୍ୟରେ ନିଶାମୁକ୍ତ ବୌଦ୍ଧ’ ଅଭିଯାନ ସଫଳ ହେବ କ୍ଷ ଏହା ବେଆଇନ ଗଞ୍ଜେଇ ଚାଷ ଓ ନିଶାଦ୍ରବ୍ୟ ଚୋରା ଚାଲାଣର ମୁକାବିଲା ପାଇଁ ବୌଦ୍ଧ ପୋଲିସ ଓ ଜିଲ୍ଲା ପ୍ରଶାସନର ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି। କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ, ଜନସଚେତନତା ଏବଂ ସ୍ଥାୟୀ ବିକଳ୍ପ ଜୀବିକାର ସୁଯୋଗ ସୃଷ୍ଟି ମାଧ୍ୟମରେ ଏକ ନିଶାମୁକ୍ତ, ସୁରକ୍ଷିତ ଓ ସମୃଦ୍ଧ ବୌଦ୍ଧ ଗଠନ ଏହି ଅଭିଯାନର ମୂଳ ଲକ୍ଷ୍ୟ।
ଜିଲ୍ଲାବାସୀ ବେଆଇନ ଗଞ୍ଜେଇ ଚାଷ ଓ ନିଶାଦ୍ରବ୍ୟ ଚୋରା ଚାଲାଣ ବିରୋଧରେ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବା ସହ ନିଜ ଅଞ୍ଚଳରେ ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେବାକୁ ଏବଂ ସମସ୍ତେ ମିଶି ନିଶାମୁକ୍ତ, ସୁସ୍ଥ ଓ ସମୃଦ୍ଧ ବୌଦ୍ଧ ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।

Related Posts