ନିର୍ବାଚନ ପରେ ଶାନ୍ତ ସୁକିନ୍ଦା ଏବେ ଅଶାନ୍ତ : ଯୁବ ବିଜେଡି କର୍ମୀଙ୍କୁ ପୋଲିସ ଉପସ୍ଥିତିରେ ମାଡ଼ ମାରି ଅପହରଣ, ୬ ଘଣ୍ଟା ପରେ ଥାନା ସମ୍ମୁଖରେ ଫୋପାଡ଼ି ଦେଲେ

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୦/୫ : ନିର୍ବାଚନ ପରଠାରୁ ଅଶାନ୍ତ ହୋଇ ପଡିଛି ସୁକିନ୍ଦା । ବିଗତ ଦିନରେ ବିଜେପି କର୍ମୀ ବିଭିନ୍ନ ବ୍ୟକ୍ତିଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି । ସୁକିନ୍ଦାରେ ଆଜି ବିଜେପି କର୍ମୀଙ୍କ ଗୁଣ୍ଡାରାଜ ସୀମା ଟପିଛି ।
ଆଜି ବିଜେଡିର ଜଣେ ଯୁବ କର୍ମୀଙ୍କୁ ପୋଲିସ ଉପସ୍ଥିତିରେ ମାଡ଼ ମାରି ଅପହରଣ କରାଯାଇଛି । ଅପହରଣର ପ୍ରାୟ ୬ ଘଣ୍ଟା ପରେ ଜନ ସାଧାରଣଙ୍କ ତୀବ୍ର ପ୍ରତିକ୍ରିୟା ଓ ବିଜେଡି ଥାନା ଘେରିବା ଆୟୋଜନକୁ ଦେଖି ଯୁବ କର୍ମୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଡୁବୁରୀ ଥାନା ସମ୍ମୁଖରେ ଫୋପାଡ଼ି ଦେଇ ପଳାଇଛନ୍ତି ।
ପରେ ପୋଲିସ ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ଆହତ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ ଆଜି ଦିନ ପାୟ ୩ଟା ସମୟରେ ବିଜେଡି କର୍ମୀ ରୋହିତ ଖୁଣ୍ଟିଆ ନିଜ ବାଇକରେ ଘରକୁ ଫେରୁଥିବା ସମୟରେ ସୁକିନ୍ଦା ଛକ ନିକଟରେ ୪ରୁ ପାଞ୍ଚ ଜଣ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ ।
ପରେ ତାଙ୍କୁ ସେଠାରୁ କେଉଁ ଆଡ଼କୁ ନେଇ ପଳାଇଥିଲେ । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆ ଯାଇଥିଲା । ଏହି ଘଟଣା ସମୟରେ ତାଙ୍କ ନିକଟରେ ଜଣେ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।
ହେଲେ ସେ ତାଙ୍କୁ ସୁରକ୍ଷା ଦେଇ ପାରି ନଥିଲେ ।
ଏହି ଘଟଣା ପ୍ରଚାର ହେଲା ପରେ ସୁକିନ୍ଦାରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଖବର ପାଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ତୁରନ୍ତ ଏସ୍ପିଙ୍କ ସହିତ ଯୋଗାଯୋଗ କରିଥିଲେ ।
ଅନ୍ୟ ପଟେ ବିଜେଡି ପକ୍ଷରୁ ଥାନା ଘେରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ରାତି ପ୍ରାୟ ୯ଟା ବେଳେ ତାଙ୍କୁ ଡୁବୁରୀ ଥାନା ସମ୍ମୁଖରେ ପଡିଥିବା ଦେଖିବାକୁ ମିଳିଥିଲା ।
ତାଙ୍କୁ ଆକ୍ରମଣକାରୀ ଲୁହା ରଡ଼ରେ ମାଡ଼ ମାରି ଗୁରୁତର ଆହତ କରିଛନ୍ତି । ତାଙ୍କ ମୁଣ୍ଡ ସହିତ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି ।
ଏଠାରେ ସୂଚନା ଯୋଗ୍ୟ ରୋହିତ ବିଭିନ୍ନ ସମୟରେ ବିଜେପି ବିରୁଦ୍ଧରେ ଦୁର୍ନୀତିକୁ ନେଇ ସ୍ୱର ଉତ୍ତୋଳନ କରନ୍ତି । ଏ ନେଇ ରୋହିତଙ୍କ ମା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ଯାଇଛି ।
ଅନ୍ୟ ପକ୍ଷରେ ବିଜେଡି ଆକ୍ରମଣକାରୀ ଓ ଅପହରଣକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ଯଦି ପୋଲିସ ଏ ନେଇ ଟାଳଟୁଳ ନୀତି ଅବଲମ୍ବନ କରେ ତେବେ ବିଜେଡି ରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛି । ଏହାକୁ ନେଇ ସାଧାରଣରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜିର ଘଟଣା ପରେ ସୁକିନ୍ଦାରେ ଉଟ୍ରେଜେନା ପ୍ରକାଶ ପାଇଛି ।