Odisha News

ନକଲି ସୁନା ଦେଇ ବ୍ୟାଙ୍କରୁ ୫୨.୮୩ ଲକ୍ଷ ଠକେଇ: ବାପ, ପୁଅ ଓ ବଣିଆ ସମେତ ୭ ଗିରଫ

ସୋନପୁର,୬/୧୨: ସୁନା ନାଁରେ ପିତଳ ଦେଇ ଠକି ନେଲେ ୫୨ ଲକ୍ଷରୁ ଅଧିକ ଟଙ୍କା। ଖୁବ୍ ଚତୁରତାର ସହ ବ୍ୟାଙ୍କରୁ ଠକି ଦେଇଛନ୍ତି ଠକ। ହେଲେ ଚୋରଘର ସବୁବେଳେ ଅନ୍ଧାର ନ ଥାଏ। ଏହି ଠକେଇ କରିଥିବା ୮ ଜଣଙ୍କୁ ପୁଲିସ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି। ଏନେଇ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍କାରେ ଘଟିଛି ଏଭଳି ଘଟଣା। ବ୍ୟାଙ୍କର ପୂର୍ବତନ ସୁନାରୀ ହିଁ ଦେଇଛି ଧୋକା। ନାମ ନେଇଛି ବ୍ୟାଙ୍କ।
ଏନେଇ ଏସ୍ପି କହିଛନ୍ତି, ଠକମାନେ ସୋନପୁର ବରୋଦା ବ୍ୟାଙ୍କ ଶାଖାରେ ନକଲି ସୁନା ବନ୍ଧା ରଖି ପ୍ରାୟ ୫୨ ଲକ୍ଷ ୮୩ ହଜାର ୧୦୦ ଟଙ୍କାର ଠକି ନେଇଥିଲେ। ୨୦୧୯ରୁ ୨୦୨୧ ମଧ୍ୟରେ ଏହି ଠକେଇ ହୋଇଛି। ଏହା ଜଣାପଡିବା ପରେ ବ୍ୟାଙ୍କର ଶାଖା ପରିଚାଳକ ଯଜ୍ଞେଶ୍ୱର ସାମଲ ସୋନପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ସୋନପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ବ୍ୟାଙ୍କରେ ବନ୍ଧା ପଡ଼ିଥିବା ସୁନାଗୁଡ଼ିକ ଯାଞ୍ଚ ବେଳେ ପିତଳ ବୋଲି ଜଣାପଡ଼ିଥିଲା। ଏହି ଘଟଣାରେ ବ୍ୟାଙ୍କର ପୂର୍ବତନ ସୁନାରୀ ସମେତ ମୋଟ ୧୧ ଜଣ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା। ସେଥିମଧ୍ୟରୁ ଆଜି ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
ଯାହା ଭିତରେ ସୁନାରି ମଧ୍ୟ ଅଛନ୍ତି। ସେମାନେ ହେଲେ ସୋନପୁର ବିନିକା ସିଲାଟିର ଈଶ୍ୱର ସରାଫ, ତାଙ୍କ ପୁଅ ସୁରେନ୍ଦ୍ରେ ସରାଫ, ଅଞ୍ଜନ ସା, ହଜାରୁ ସାହୁ, ଡୁଙ୍ଗରିପାଲି ଅନ୍ତର୍ଗତ ଚେରୁପାଲିର ଡାକ୍ତର ସେଠ୍, ଉଲୁଣ୍ଡା ଇଚ୍ଛାପୁରର ରାମକୁମାର ମେହେର, ବରଗଡ଼ ଜିଲ୍ଲା ବାଇଡେନ୍ ଥାନା ଅନ୍ତର୍ଗତ ରୁଷୁଡ଼ାର ରାମଚନ୍ଦ୍ର ବଣିଆ ଓ ସୁନାରୀ ସୋନପୁର ଘୋଡ଼ା ଘାଟପଡ଼ାର ଜୟନାରାୟଣ ମହାରଣା।
ବ୍ୟାଙ୍କର ପୂର୍ବତନ ସୁନାରୀ ଜୟନାରାୟଣ ଠକେଇର ମୁଖ୍ୟ କାର୍ପଟଦାର। ସେ ଋଣ ନେଇଥିବା ୭ ଜଣଙ୍କ ନକଲି ସୁନାକୁ ଅସଲି ସୁନା ବୋଲି ସାର୍ଟିଫିକେଟ ଯୋଗାଇ ଦେଇଥିଲେ। ଏହି ମାମଲାରେ ବ୍ୟାଙ୍କର ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି, ସେନେଇ ତଦନ୍ତ ଚାଲିଛି ବୋଲି ଏସ୍ପି କହିଛନ୍ତି।

Related Posts

Seo wordpress plugin by www.seowizard.org.