ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୮/୧୨: ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରିବେ । ଧାନ ସହିତ ଅନ୍ୟାନ୍ୟ ଫସଲ ଯଥା ପାନବରଜ ଚାଷୀ, ପନିପରିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ ।
ଯେଉଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରିବା ସହ ଯେପରି ଜଣେ ବି ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଆସନ୍ତା ୩୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି, ରାଜସ୍ୱ ଏବଂ ସମବାୟ ବିଭାଗ ଏଥିରେ ସାମିଲ ଥିଲେ ।
ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଡିସେମ୍ବର ୨୦ ତାରିଖରୁ ୨୮ ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଲଘୁଚାପ ଜନିତ ବର୍ଷା ହୋଇଛି । ଅଦିନିଆ ବର୍ଷାରେ ବ୍ୟାପକ ଖରିଫ ଫସଲ ନଷ୍ଟ ହୋଇଛି ।
ଏହାକୁ ସରକାର ଗୁରୁତର ସହ ନେଇଛନ୍ତି । ଯେଉଁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଆଧାରରେ କ୍ଷତିପୂରଣ ପ୍ରଦାନ କରାଯିବା । ଫସଲ ବୀମା କରିଥିବା ଏବଂ ଫସଲ ବୀମା ନ କରିଥିବା ଚାଷୀ କ୍ଷତିପୂରଣ ପାଇବେ ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଗତକାଲି (ଶୁକ୍ରବାର ସୁଦ୍ଧା) ରାଜ୍ୟର ମୋଟ ୧ ଲକ୍ଷ ୨୬ ହଜାର ବୀମାଭୁକ୍ତ ଚାଷୀ କ୍ଷତିପୂରଣ ପାଇଁ ଆବେଦନ କରିଛନ୍ତି । ତେବେ ଆସନ୍ତାକାଲି (୨୯ ଡିସେମ୍ବର, ରବିବାର) ଆବେଦନ କରିବାର ଶେଷ ତାରିଖ ରହିଛି । ଆସନ୍ତାକାଲି ସୁଦ୍ଧା ‘କୃଷି ରକ୍ଷକ’ ଆପ୍ ଜରିଆରେ ଆବେଦନ କରିପାରିବେ ଚାଷୀ ।
ଟୋଲ୍ ଫ୍ରି ନମ୍ବର-୧୪୪୪୭ କୁ ଫୋନ୍ କରି ଚାଷୀମାନେ କ୍ଷୟକ୍ଷତି ବାବଦରେ ଜଣାଇପାରିବେ । ଆସନ୍ତା ୩୦ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସମବାୟ ଏବଂ ବୀମା କମ୍ପାନୀ ଗୁଡ଼ିକ ମଧ୍ୟ ରିପୋର୍ଟ ଦେବେ । ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଡିବିଟି ମାଧ୍ୟମରେ କୃଷକଙ୍କ ଆକାଉଣ୍ଟକୁ କ୍ଷତିପୂରଣ ସହାୟତା ରାଶି ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।