Odisha News

ଦ୍ୱିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ପାଇବେ କେନ୍ଦୁପତ୍ର ହିତାଧିକାରୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫/୫: କେନ୍ଦୁପତ୍ର ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି । ଦ୍ୱିତୀୟ ପର୍ଯ୍ୟାୟ ରେ କେନ୍ଦୁପତ୍ର ହିତାଧିକାରୀଙ୍କୁ ୧୧୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ।
ପୂର୍ବରୁ ପ୍ରଥମ ପର୍ଯ୍ୟାୟ ରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି । ଦୁଇଟି ପର୍ଯ୍ୟାୟ କୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ । ଗୋଟିଏ ଫସଲ ବର୍ଷରେ ଏପରି ସହାୟତା ଏକ ସର୍ବକାଳୀନ ରେକର୍ଡ ।
ରାଜ୍ୟ ସରକାରଙ୍କ ଏହି ଘୋଷଣା ଦ୍ୱାରା ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ୭.୭୫ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଏବଂ ୪୦ ହଜାର ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଏହି ସହାୟତା ମିଳିବ।
ପ୍ରତ୍ୟେକ ତୋଳାଳୀଙ୍କୁ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ପାଣି ବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଓ ୧୬୦ ଟଙ୍କା ମିଳିବ। ସେହିପରି ପ୍ରତ୍ୟେକ ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଆର୍ଥିକ ସହାୟତା ଭାବରେ ୧୫୦୦ ଟଙ୍କା ଦିଆଯିବ।
କେନ୍ଦୁପତ୍ର ସଂଗ୍ରହ ହେଉଥିବା ରାଜ୍ୟର ୨୨ଟି ଜିଲ୍ଲା ମଧ୍ୟରୁ ଝାରସୁଗୁଡା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ହିତାଧିକାରୀମାନେ ଏହି ସହାୟତା ପାଇବେ । ନିର୍ବାଚନ ଆଚରଣ ବିଧି ଉଠିବା ପରେ ଝାରସୁଗୁଡାର ହିତାଧିକାରୀମାନଙ୍କୁ ଏହି ସହାୟତା ମିଳିବ।
ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀମାନଙ୍କୁ ୮୩ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦୁପତ୍ର ହିତାଧିକାରୀମାନେ ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି । ସେମାନଙ୍କ ଜୀବନଧାରଣ ମାନର ଉନ୍ନତି ନିମନ୍ତେ ଏହି ଘୋଷଣା ସହାୟକ ହେବ।

Related Posts

Seo wordpress plugin by www.seowizard.org.