ଦେବ ଦର୍ଶନ ସାରି ଶ୍ରୀକ୍ଷେତ୍ରରେ ଟଳିପଡିଲେ ଶ୍ରଦ୍ଧାଳୁ
ପୁରୀ,୧୭/୪: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସୁଦୂର ଛତିଶଗଡ଼ରୁ ଛୁଟି ଆସିଥିଲେ ଜଣେ ବୃଦ୍ଧ। ସେ ନିଜର ପରିବାର ସହ ପୁରୀ ଆସିଥିଲେ। କିନ୍ତୁ ଜାଣି ନଥିଲେ ଯେ ଏହି ଯାତ୍ରା ହେବ ତାଙ୍କର ଶେଷ ଯାତ୍ରା। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏଭଳି ଘଟଣା ଘଟିଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଛତିଶଗଡ଼ର ୭୨ ବର୍ଷିୟ ୱାଇ.ଜି ମୂର୍ତ୍ତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ମାଆ ବିମଳାଙ୍କ ଦର୍ଶନ ଲାଗି ଯାଉଥିଲେ। ସେତିକିବେଳେ ୱାଇ.ଜି ମୂର୍ତ୍ତି ହଠାତ୍ ଅଚେତ ହୋଇଯାଇଥିଲେ। ତାଙ୍କୁ ତତକ୍ଷଣାତ୍ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୱାଇ.ଜି ମୂର୍ତ୍ତିଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପୁରୀରେ ଚର୍ଚ୍ଚାର ବିଷୟ ହୋଇଛି।