Odisha News

ଦୁର୍ଗମ ଅଞ୍ଚଳରେ ଅଜବ ବିଶ୍ବାସ: ପ୍ରତିଷେଧକ ଭାବେ ପିଲା ପିଇଲେ ସଲପ ରସ

ମାଲକାନଗିରି/ପଡ଼ିଆ,୨୨/୭: ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ କରୋନାକୁ ନେଇ ଅଜବ ବିଶ୍ବାସ। ଛୋଟ ଛୋଟ ପିଲାଙ୍କୁ ପ୍ରତିଷେଧକ ଭାବେ ପିଆଇଦେଲେ ନିଶାଯୁକ୍ତ ସଲପ ରସ। ଏଥିପାଇଁ ସରକାରୀ ନିୟମକୁ ମଧ୍ୟ ଗ୍ରାମବାସୀ ଉଲ୍ଲଂଘନ କରିବାକୁ ପଛାଇଲେ ନାହିଁ। ସମାବେଶର ଆୟୋଜନ କରି ସାମାଜିକ ଦୂରତା ରକ୍ଷା କରିବାକୁ ବି ଭୁଲିଗଲେ। କେହି ମାସ୍କ ପିନ୍ଧି ନଥିବା ବେଳେ ପିଲାଙ୍କୁ ପତ୍ର ଦନାରେ ପରସା ଯାଇଥିଲା ସଲପ ରସ। ଏହି ଭିଡିଓ ଭାଇରାଲ ହେବା ପରେ ତନାଘନା ଆରମ୍ଭ କରିଛି ଅବକାରୀ ବିଭାଗ।
ଭିଡିଓଟି ପଡ଼ିଆ ବ୍ଲକ୍ ମୋଟି ପଞ୍ଚାୟତ ଅନ୍ତର୍ଗତ ପର୍ସନପାଲ୍ଲୀ ଗ୍ରାମର ବୋଲି ଜଣାପଡ଼ିଛି। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗ୍ରାମବାସୀ ଏକତ୍ରିତ ହୋଇଥିବା ବେଳେ ବହୁ ସଂଖ୍ୟାରେ ପିଲାଙ୍କୁ ବସାଇ ସଲପ ରସ ପିଇବାକୁ ଦେଇଥିଲେ। ସଲପ ରସ ପିଇଥିବା ପିଲାଙ୍କ ବୟସ ୧୦ରୁ ୧୨ବର୍ଷ ମଧ୍ୟରେ ହେବ। ବିଡ଼ମ୍ବନା ହେଲା ଅଭିଭାବକମାନେ ହିଁ ପିଲାଙ୍କୁ ନେଇ ଏଠାରେ ପହଞ୍ଚିବା ସହ ପିଇବାକୁ ବାଧ୍ୟ କରିଥିବା କୁହାଯାଉଛି। ଏହି ରସ ପିଇବା ଦ୍ବାରା ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଏବଂ କରୋନା ପାଖ ମାଡ଼ବ ନାହିଁ ଭଳି ଅଜବ ଯୁକ୍ତି କରିଥିଲେ। ଅଭିଭାବକଙ୍କ କଥାରେ ପଡ଼ି ପିଲାମାନେ ମଧ୍ୟ ଔଷଧ ଭଳି ସଲପ ରସ ପିଇ ଦେଇଥିଲେ।
ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳର ଲୋକେ ଶିକ୍ଷା ଅଭାବରୁ ଲୋକେ ଏଭଳି ଅନ୍ଧବିଶ୍ବାସକୁ ଆପଣେଇଛନ୍ତି। ଏପରିକି ଏଭଳି ଅଜବ ବିଶ୍ବାସ ଯୋଗୁଁ ଅନେକ ଜୀବନ ଅକାଳରେ ଚାଲିଯାଇଛି। ତଥାପି ଲୋକେ ସଚେତନ ହେଉ ନଥିବା ବେଳେ ଛୋଟ ପିଲାଙ୍କ ଜୀବନ ସହ ଖେଳିବାକୁ ପଛାଇ ନାହାନ୍ତି। ସଲପ ରସ ଏକ ପ୍ରକାର ମାଦକ ଦ୍ରବ୍ୟ ହୋଇଥିବା ବେଳେ ଛୋଟ ଛୋଟ ପିଲାଙ୍କୁ ଏହା କେଉଁ ପରିସ୍ଥିତିରେ ଦିଆଗଲା ଏବଂ ଯଦି କିଛି ଅଘଟଣ ଘଟିଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅପରପକ୍ଷରେ ଅବକାରୀ ବିଭାଗ ଏହି ସମ୍ଭେଦନଶୀଳ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ବିଭାଗ ପକ୍ଷରୁ ଏହାକୁ ମଦ ବୋଲି ଅସ୍ବୀକାର କରି ଖଜୁରି କିମ୍ବା ତାଳ ରସ ବୋଲି କୁହାଯାଉଛି। ଆଦିବାସୀ ବହୁଳ ଅଞ୍ଚଳରେ ଲୋକେ ଦେଶୀ ମଦ ଏବଂ ବିଭିନ୍ନ ଗଛର ଫଳ ରସକୁ ନିଶାଯୁକ୍ତ କରି କରି ପିଇଥାନ୍ତି। ତେବେ ତେବେ ଦିନ ତଳେ ପିଲାଙ୍କୁ ଏଭଳି ସଲପ ରସ ଦିଆ ଯାଇଥିଲା ସେନେଇ କିଛି ସୂଚନା ମିଳିନାହିଁ। ଘଟଣାଟି ଅଳ୍ପ ଦିନ ତଳର ଏବଂ ଆଜି ଭିଡିଓ ଭାଇରାଲ ହେବା ପଦାକୁ ଆସିଥିବା ଜଣାପଡ଼ିଛି। ଏହି ଘଟଣାର ତଦନ୍ତ କରି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

-Sambad

Related Posts

Seo wordpress plugin by www.seowizard.org.