ତାତିରେ ରେକର୍ଡ କଲା ଅନୁଗୋଳ; ତା’ ତଳକୁ ଅଛି ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ବର, ୨୭/୪: ଓଡ଼ିଶାବାସୀ ପ୍ରବଳ ଖରାରେ ସିଝୁଛନ୍ତି। ସକାଳ ୮ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପ୍ରଖର କିରଣ ଓ ତତଲା ଝାଞ୍ଜିରେ ଛଟପଟ ହେଉଛନ୍ତି। ଆଜି ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି।
ଅନୁଗୁଳରେ ତାପମାତ୍ରା ୪୪.୭ ଡ଼ିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ୱରରେ ୪୪.୬ ଡ଼ିଗ୍ରି ଏବଂ ବାରିପଦାରେ ୪୪.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୩୩ଟି ସହରରେ ତାପମାତ୍ରା ୪୦ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ସେହିପରି ୧୪ଟି ସହରରେ ୪୩ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି।
ଆଂଚଳିକ ପାଣିପାଗ କେନ୍ଦ୍ର ଏହାପୂର୍ବରୁ ଭୁବନେଶ୍ୱର ଓ କଟକ ପାଇଁ ରେଡ୍ ଆଲର୍ଟ ଜାରି କରିଥିଲା। ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି କହିଥିଲା। ଅସହ୍ୟ ତାତି ପାଇଁ ଉତ୍ତର ଓଡ଼ିଶା, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଗାମୀ ୨୪ ଘଂଟା ପାଇଁ ମୟୂରଭଂଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ବରଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ସହ କୋରାପୁଟ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।