Odisha News

ଜିଲ୍ଲାପାଳ-ଏସ୍ପିଙ୍କ ଅଭିଯୋଗ ଶୁଣାଣି ଶିବିରରେ ବିଷ ପିଇଲେ ଦିବ୍ୟାଙ୍ଗ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର, ୨୫/୭: ବାରମ୍ୱାର ଗୁହାରି କଲେ। ହେଲେ କେହି ଶୁଣିଲେ ନାହିଁ। ଏଥିପାଇଁ ମଗାଗଲା ଲାଞ୍ଚ। ଜଣେ ୯୦ ପ୍ରତିଶତ ଦିବ୍ୟାଙ୍ଗ ବ୍ୟକ୍ତି ଲାଞ୍ଚ ଦେବାକୁ ଅସହାୟତା ପ୍ରକାଶ କଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣିଲେନି। ସବୁଆଡୁ ନିରାଶ ହେବା ପରେ ଆଜି ସେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସ୍ପିଙ୍କ ସମ୍ମୁଖରେ ବିଷ ପିଇଦେଲେ।
ସୋମବାର ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ହୋଇଥିଲା ମିଳିତ ଜନ ଶୁଣାଣି। ଏଥିରେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅଧିକାଂଶ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
ଏ ସମ୍ପର୍କରେ ଜାଣିପାରି କୁଶପଡ଼ା ବ୍ଲକ ପତାଣ୍ଡ ପୋଷ୍ଠ ଗାଁର ବାଳକୃଷ୍ଣ ଦୋରା ଗୁହାରି କରିବାକୁ ଆସିଥିଲେ। ନିଜ ଜମିକୁ ପଡ଼ୋଶୀ ଜବଦସ୍ତ ମାଡ଼ି ବସି ଘର ନିର୍ମାଣ କରିଥିବା ନେଇ ସେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ।
ଏହି ଜମିକୁ ଫେରାଇ ଆଣିବା ପାଇଁ ଡିମାର୍କେସନ୍ କରିଥିଲେ। ଆର୍ଆଇ ଜମି ମାପିବାକୁ ଆସି ଲାଞ୍ଚ ମାଗିଥିବା ଜିଲ୍ଲାପାଳଙ୍କଠାରେ ବାଳକୃଷ୍ଣ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ସବୁ କଥା ଶୁଣିବା ପରେ ବାଳକୃଷ୍ଣ ବାହାରକୁ ଆସି ପାଖରେ ରଖିଥିବା ବିଷ ପିଇ ଦେଇଥିଲେ।
ବାଳକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏମ୍କେସିଜି ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।
ପୂର୍ବରୁ ବାଳକୃଷ୍ଣ ଏନେଇ ଅଭିଯୋଗପତ୍ର ରାଜ୍ୟପାଳଙ୍କ ପାଖକୁ ପଠାଇ ଥିଲେ। ରାଜ୍ୟପାଳଙ୍କ ପାଖକୁ ପଠାଇଥିବା ପତ୍ରରେ ବାଳକୃଷ୍ଣ ଲେଖିଥିଲେ, ସେ ହେଉଛନ୍ତି ଜଣେ ୯୦ ପ୍ରତିଶତ ଦିବ୍ୟାଙ୍ଗ। ତାଙ୍କ ଘର ପତାଣ୍ଡ ପୋଷ୍ଠ ଗାଁରେ। ତାଙ୍କ ବାପା ଜାମାନୁ ଭିକାରୀ ଜଣେ ୭୦ ପ୍ରତିଶତ ଭିନ୍ନକ୍ଷମ ଓ ଭାଇ ମାନସିକ ବିକଳାଙ୍ଗ।
ଏହାର ସୁଯୋଗ ନେଇ ୩୦ ବର୍ଷ ତଳେ ତାଙ୍କ ଜମିକୁ ପଡ଼ୋଶୀ ଜବରଦସ୍ତ ମାଡ଼ି ବସି ଘର ନିର୍ମାଣ କରିଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ସେ ଡିମାର୍କେସନ୍ କରିଥିଲେ। ସ୍ଥାନୀୟ ଆର୍ଆଇ ଆଜି ଆସିବେ କାଲି ଆସିବେ କହୁଥିଲେ ମଧ୍ୟ ଆସୁନଥିଲେ।
ବାଳକୃଷ୍ଣ ପୁଣି ଥରେ ଅର୍ଥାତ ମାର୍ଚ୍ଚ ୧୪ ତାରିଖରେ ଡିମାର୍କେସନ୍ କରିଥିଲେ। ମେ’ ୨୪ ତାରିଖରେ ଆର୍ଆଇ ଆସି ମପାମପି କରି ଜାଗା ଠିକ୍ ଅଛି ବୋଲି କହିଥିଲେ। କିନ୍ତୁ ସେ ଠିକ୍ ଭାବେ ମାପଚୁପ କରିନଥିବା ବାଳକୃଷ୍ଣ ଅଭିଯୋଗ କରିଥିଲେ।
ଏ ସମ୍ପର୍କରେ ପଚାରିବାକୁ ଟଙ୍କା ଯୋଗାଡ଼ କରିବାକୁ ଆର୍ଆଇ କହିଥିବା ବାଳକୃଷ୍ଣ ଅଭିଯୋଗ କରିଛନ୍ତି। ଲାଞ୍ଚ ଟଙ୍କା ଦେବାକୁ ବାଳକୃଷ୍ଣ ଅସହାୟତା ପ୍ରକାଶ କରିଥିଲେ। ଆର୍ଆଇ ଲାଞ୍ଚ ମାଗୁଥିବା ନେଇ ବାଳକୃଷ୍ଣ ଏନେଇ ତହସିଲ୍ଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ।
ମାତ୍ର ତାଙ୍କ ଗୁହାରି କେହି ଶୁଣିନଥିଲେ। ସବୁ ଆଡୁ ନିରାଶ ହେବା ପରେ ରାଜ୍ୟପାଳଙ୍କ ପାଖକୁ ଚିଠି ଲେଖିଥିଲେ। ନ୍ୟାୟ ନମିଳିଲେ ବିଷ ପିଇବେ ବୋଲି ଚିଠିରେ ଉଲ୍ଲେଖ କରିଥିଲେ।

Related Posts

Seo wordpress plugin by www.seowizard.org.