Odisha News

ଜଳେଶ୍ୱର ଜାତୀୟ ରାଜପଥରେ ଟ୍ରକ୍ ଧକ୍କାରେ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜଳେଶ୍ଵର,୧୪/୭: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବ୍ରିଜ ଠାରୁ ୨୦୦ ମିଟର ଆଗକୁ ଭୁବନେଶ୍ୱରରୁ କୋଲକାତା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଚାଳକଙ୍କୁ ମିଶାଇ ୩୭ ଜଣ ଆହତ ହୋଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ବିବରଣୀରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟାରେ ଓଡି୫ଓ୍ବାଇ୦୦୧୫ ନମ୍ବରର ପ୍ରଧାନ ନାମକ ଏକ ଘରୋଇ ବସ ଭୁବନେଶ୍ଵରରୁ କୋଲକାତା ଅଭିମୁଖେ ବାହାରିଥିଲା।
ବସରେ ୩୩ ଯାତ୍ରୀଙ୍କ ସହ ଚାଳକ ଓ ବସ୍ କର୍ମଚାରୀଙ୍କୁ ମିଶାଇ ମୋଟ ୩୭ ଜଣ ରହିଥିଲେ। ତେବେ ରାତି ପ୍ରାୟ ୨ ଟା ୪୫ ମିନିଟ ସମୟରେ ଆମ୍ବିଳିଅଠା ବ୍ରିଜ-ଲକ୍ଷ୍ମଣନାଥ ମଝିରେ ଥିବା (ବ୍ରିଜ ଠାରୁ ୨୦୦ ମିଟର ଆଗକୁ)ଏକ ହମ୍ପସ ଥିବାରୁ ବସର ଚାଳକ ବ୍ରେକ ମାରି ଗାଡ଼ିର ବେଗ କମାଇଥିଲେ।
ଏହି ସମୟରେ ପାରାଦୀପରୁ କୋଲକାତା ଅଭିମୁଖେ ଯାଉଥିବା ଓଡି୨୧ଜେ୮୩୪୭ ନମ୍ବରର ଏକ ମାଲ ବୋଝେଇ ଟ୍ରକ ବସକୁ ପଛରୁ ଧକ୍କା ଦେଇଥିଲା। ଫଳରେ ବସଟି ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ୫୦ ମିଟର ଆଗକୁ ଗଡ଼ି ଯାଇଥିଲା।
ଏହାପରେ ରାସ୍ତା ପାର୍ଶ୍ବରେ ଥିବା ପ୍ରୋଟେକସନ ବାଡ଼କୁ ଭାଙ୍ଗି ଏକ ଗଛରେ ବାଡ଼େଇ ଯିବା ସହ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଥିଲା।କିନ୍ତୁ ସମସ୍ତ ଯାତ୍ରୀ ଆହତ ହୋଇଥିଲେ ମଧ୍ୟ ସୁରକ୍ଷିତ ଅଛନ୍ତି।
ବସ ଓଲଟିବା ସ୍ଥାନରୁ ମାତ୍ର ଗୋଟିଏ ମିଟର ଦୁରତାରେ ୧୧ କେଭି ବିଦ୍ୟୁତ୍ ତାର ଥିଲେ ମଧ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାତ୍ରୀମାନଙ୍କୁ ଉଦ୍ଧାର ଖରାଯାଇ କୋଲକାତା ଅଭିମୁଖେ ଯାଉଥିବା ଅନ୍ୟ ଏକ ବସରେ କୋଲକାତା ପଠାଇ ଦିଆଯାଇଛି। ତେବେ ବସ୍ ର କଣ୍ଡକ୍ଟରଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ କଟକ ପଠାଯାଇଛି।

Related Posts

Seo wordpress plugin by www.seowizard.org.