Odisha News

ଘାଟିରୁ ଓହ୍ଲାଇବାବେଳେ କାର୍କୁ ପିଟିଲା ଟ୍ରକ୍: ୨ ମହିଳା ମୃତ, ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁଙ୍କ ସମେତ ୪ ଜଣ

ବାଙ୍ଗିରିପୋଷି,୨୧/୧୦: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ନିକଟ ଦୁଆରଶୁଣୀ ଘାଟିରେ ଶନିବାର ଅପରାହ୍ଣରେ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା କାରକୁ ଦ୍ରୁତଗାମୀ ଟ୍ରକ୍ ପଛରୁ ଚାପିଦେଇଛି। ଫଳରେ କାର୍ରେ ଯାଉଥିବା ୭ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ମହିଳା ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସମିପର୍ଣ୍ଣା ଚକ୍ରବର୍ତ୍ତୀ (୪୬) ଓ ନବନୀତା ଚକ୍ରବର୍ତ୍ତୀ।
ସୂଚନା ଅନୁସାରେ ପଶ୍ଚିମବଙ୍ଗର ଖଡ଼ଗପୁର ସହରର ଏକ ପରିବାର ମା’ ଦ୍ବାରଶୁଣୀଙ୍କ ଦର୍ଶନ ପାଇଁ ଆଜି ପୂର୍ବାହ୍ନରେ ଯାଇଥିଲେ। ଡ୍ରାଇଭରଙ୍କ ସମେତ ଏହି କାର୍ରେ ମୋଟ ୭ ଜଣ ଥିଲେ। ସେମାନେ ମନ୍ଦିର ଦର୍ଶନ ସାରି ପ୍ରାୟ ୨୦୦ ମିଟର ଘାଟି ତଳକୁ ଓହ୍ଲାଇଥିଲେ।
ଅପରାହ୍ନ ପ୍ରାୟ ଅଢ଼େଇଟାରେ ଘାଟିରେ ଏକ ଗାଡ଼ି ବ୍ରେକ୍ ଫେଲ ରହିଥିଲା। ଘାଟି ଭିଡ଼ ଥିବାରୁ ଏକ ଟ୍ରକ୍ ପଛରେ ଇନୋଭା (କାର) ଧୀରେ ଧୀରେ ଯାଉଥିବା ବେଳେ ଅନ୍ୟ ଏକ ଟ୍ରକ୍ ଦ୍ରୁତଗତିରେ ଆସି ମାଡ଼ି ଯାଇଥିଲା। ଫଳରେ ଆଗରେ ଯାଉଥିବା ଟ୍ରକ୍ ସହିତ ଇନୋଭା ଚାପି ହୋଇଯାଇଥିଲା।
କାର୍ ପଛରେ ବସିଥିବା ଆୟାନ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ସମିପର୍ଣ୍ଣା ଓ ଅନିର୍ବାଣ ଚକ୍ରବର୍ତ୍ତୀଙ୍କ ପତ୍ନୀ ନବନୀତାଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହା ପରେ ସେଠାରୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନାଯୋଗ୍ୟ, ଦୁଆରଶୁଣୀ ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହି କାରଣରୁ ପ୍ରତିବର୍ଷ ଏଠାରେ ଲୋକଙ୍କର ମୃତ୍ୟୁ ହେଉଛି। ଗତ ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟ ଏଠାରେ ଦୁର୍ଘଟଣା ଘଟିଥିଲା। ଟ୍ରକ୍ ସହିତ ବାଇକ୍ ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀଙ୍କର ଜୀବନ ଯାଇଥିଲା।
ମୃତକ ମାନେଥିଲେଲେ ବିଶୋଇ ବ୍ଲକ ଦେଉଳସାହିର ରବିନାରାୟଣ ଦାଶ (୪୮) ଓ ପତ୍ନୀ ରେବତୀ ଦାଶ(୪୦)। ଘଟଣା ଦିନ ଝାରପୋଖରିଆ ପାର୍ଶ୍ବରୁ ଏକ ଟ୍ରକ୍ ୪୯ ନମ୍ବର ଜାତୀୟ ରାଜପଥରେ ଦୁଆରଶୁଣୀ ଅଭିମୁଖେ ଯାଉଥିଲା। ଅପରପକ୍ଷେ ଜିଲ୍ଲାର ବିଶୋଇ ପଟରୁ ବାରିପଦାକୁ ବାଇକ୍ରେ ଦଂପତି ଯାଉଥିଲେ। ଦୁଆରଶୁଣି ଘାଟିରେ ଟ୍ରକ୍ ସହିତ ବାଇକ୍ ଆରୋହୀ ଦଂପତିଙ୍କର ମୁହାଁମୁହିଁ ହୋଇଥିଲା।

Related Posts

Seo wordpress plugin by www.seowizard.org.