Odisha News

ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ : ଶିକ୍ଷୟିତ୍ରୀଙ୍କ ମୃତ୍ୟୁ, ସରପଞ୍ଚ ସ୍ବାମୀ ଗୁରୁତର

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩/୧ : ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ । ସରପଞ୍ଚ ବି ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଶ୍ରୀବନ୍ତ ମେହେର ଓ ତାଙ୍କ ପତ୍ନୀ ରହୁଥିଲେ। ଶ୍ରୀବନ୍ତ ବାଣିଭୂଷଣପୁର ପଞ୍ଚାୟତର ସରପଞ୍ଚ ଥିବା ବେଳେ ପତ୍ନୀ ବିଷ୍ଣୁପ୍ରିୟା ଶିକ୍ଷକତା କରୁଥିଲେ ।
ଗତକାଲି ବିଷ୍ଣୁପ୍ରିୟା ରୋଷେଇ କରୁଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ନିଆଁ ବ୍ୟାପୀ ତାଙ୍କ ଦେହରେ ଲାଗି ଯାଇଥିଲା। ବିଷ୍ଣୁପ୍ରିୟା ଚିତ୍କାର କରିବାରୁ ତାଙ୍କ ସ୍ୱାମୀ ଶ୍ରୀବନ୍ତ ରକ୍ଷା କରିବାକୁ ଦୌଡ଼ି ଆସିଥିଲେ। ଫଳରେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା ।
ବିଷ୍ଣୁପ୍ରିୟାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶ୍ରୀବନ୍ତଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଠାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ଖବର ପାଇ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.