Odisha News

ଗୋଟିଏ ଦିନରେ ପାଣିରେ ବୁଡ଼ି ୬ ଛାତ୍ରଛାତ୍ରୀ ମୃତ, ମୃତକଙ୍କ ମଧ୍ୟରେ ୩ ନାବାଳକ ଓ ୩ ନାବାଳିକା

ଓଡ଼ିଶା, ୧୬/୯ : ଗୋଟିଏ ଦିନରେ ଜଳ ନେଇଛି ୬ ଜଣଙ୍କ ଜୀବନ । ଗଞ୍ଜାମରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୩ ଜଣ ନାବାଳକ ଛାତ୍ର ପ୍ରାଣ ହରାଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି ।
ହିଞ୍ଜିଳିରେ ୨ ଛାତ୍ର ମୃତ
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଘୋଡ଼ାହାଡ଼ ନଦୀରେ ବିସର୍ଜନବେଳେ ୪ ଜଣ ଛାତ୍ର ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଉଦ୍ଧାର ହୋଇଛନ୍ତି । ଗୁରୁତରଙ୍କୁ ହିଞ୍ଜିଳି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ହିଞ୍ଜିଳି ଗଜପତି ମାର୍ଗର ୧୪ ବର୍ଷିୟ ଆଦର୍ଶ ସାହୁ ଏବଂ ଗାୟତ୍ରୀନଗରର ପ୍ରୀତମ ସାମେଲି କ୍ଷ ମାଣିକ୍ୟନଗରରେ ଏକ ଘରୋଇ ଟ୍ୟୁସନରେ ଗଣେଶ ପୂଜା କରାଯାଇଥିଲା । ଆଜି ସକାଳେ ଧୁମଧାମରେ ବାଣ ଫୁଟାଇ ବିସର୍ଜନ ପାଇଁ ସମସ୍ତ ପିଲାମାନେ ବାହାରିଥିଲେ । ଘୋଡ଼ହାଡ଼ ନଦୀ ଭିତରକୁ ପ୍ରଥମେ ଦୁଇ ଜଣ ଛାତ୍ର ମୂର୍ତ୍ତି ଧରି ପଶିଥିଲେ । ଏହା ପରେ ଆଉ ଦୁଇ ଜଣ ଛାତ୍ର ନଦୀ ଭିତରକୁ ଯାଇଥିଲେ । ବର୍ଷା ଦିନ ଯୋଗୁଁ ନଦୀରେ ପାଣି ଉଛୁଳିକି ଥିବାରୁ ଅସାବଧାନତା ବଶତଃ ୪ ଜଣ ଛାତ୍ର ବୁଡ଼ି ଯାଇଥିଲେ । ପାଖରେ ଥିବା ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଏହା ସହିତ ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦିଆଯାଇଥିଲା ।
ଅଗ୍ନିଶମ ବାହିନୀ ୪ ଜଣଙ୍କୁ ଉଦ୍ଧାର କରି ହିଞ୍ଜିଳି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ୨ ଜଣ ଛାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନ୍ୟ ୨ ଜଣ ଚିକିତ୍ସାଧୀନ ଅଛନ୍ତି । ଘଟଣାସ୍ଥଳରେ ହିଞ୍ଜିଳି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ଦିଗପହଣ୍ଡିରେ ବିସର୍ଜନବେଳେ ଚାଲିଗଲା ଛାତ୍ରଙ୍କ ଜୀବନ
ସେହିପରି ଦିଗପହଣ୍ଡିରେ ମଧ୍ୟ ସମାନ ଅଘଟଣ ଘଟିଛି । ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡ଼ି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରାଣ ହରାଇଛନ୍ତି । କୋଟିନଡ଼ା ପଞ୍ଚାୟତ ସିଦ୍ଧିଖଣ୍ଡି ଗାଁରେ ମୂର୍ତ୍ତି ବିସର୍ଜନ ବେଳେ ଏହି ଅଘଟଣ ଘଟିଛି । ଟ୍ୟୁସନରେ ଗଣେଶ ପୂଜା ଚାଲିଥିବାବେଳେ ଆଜି ବିସର୍ଜନ କରାଯାଇଥିଲା । ଟ୍ୟୁସନ୍ ପିଲାମାନେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବାବେଳେ ଜଣେ ଛାତ୍ରଙ୍କ ଗୋଡ଼ି ପଙ୍କ ଭିତରେ ପଶିଯାଇଥିଲା । ଫଳରେ ସେ ଧିରେ ଧିରେ ପାଣି ଭିତରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଛାତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଉକ୍ତ ଛାତ୍ରଙ୍କୁ ମୃତ ଘୋଷଣା କରିଛନ୍ତି ।
ସୁନ୍ଦରଗଡ଼ରେ କରମା ପୂଜା ବେଳେ ଅଘଟଣ
ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲରେ ଅଭାବନୀୟ ଘଟଣା ଘଟିଯାଇଛି । କରମା ପୂଜା ପାଇଁ ବେଶ ଖୁସି ମନରେ ନଦୀକୁ ବାଲି ଆଣିବାକୁ ଯାଇଥିବାବେଳେ ୩ ଜଣ ନାବାଳିକା ପାଣିରେ ବଡ଼ ପ୍ରାଣ ହରାଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ମୃତ ନାବାଳିକାଙ୍କ ପରିଚୟ ମିଳିପାରି ନାହିଁ ।

Related Posts