Odisha News

ଗଜପତି : ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ୧୧୭ ତମ ଜନ୍ମଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୯/୮: କଳାତ୍ମକ ହକିର ଯାଦୁକର ତଥା ହକି ଖେଳର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ୧୧୭ ତମ ଜନ୍ମଦିବସ ଅବସରରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡା ଦିବସ” ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ପରିସରରେ ଥିବା ଜିଲ୍ଲା ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ପାଳିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ର ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ସେହିଭଳି ସେଠାରେ ଉପସ୍ଥିତ ଥିବା ଜିଲ୍ଳା କ୍ରୀଡା ଅଧିକାରୀ ଶ୍ରୀ ନଟବର ଗରଡ଼ଙ୍କ ସମେତ ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲଗୁନୀ ମାଝୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ , ପାରଳା ପୌର ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ବହୁ କ୍ରୀଡା ଶିକ୍ଷକ ଓ ପୌର ଅଧିକାରୀ ଓ କର୍ମଚାରୀ , ବିଭିନ୍ନ ଖେଳର ଖେଳାଳୀ ମାନେ ଉପସ୍ଥିତ ରହି ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଖେଳ ଜୀବନର ସ୍ମୃତି ଚାରଣ କରି କ୍ରୀଡା ମନୁଷ୍ୟକୁ ଖେଲୁଆଡ ମନୋଭାବ ସହ ଅନେକ କିଛି ଶିଖାଇଥାଏ ।
ଛାତ୍ରଛାତ୍ରୀ ମାନେ ଶୃଙ୍ଖଳା , ନିଷ୍ଠା ଓ ଦୃଢ଼ ମନୋବଳ ନେଇ କୌଣସି ଖେଳ ପ୍ରତି ଅଭ୍ୟାସ ରଖିଲେ ସେ ନିଶ୍ଚିତ ଭାବେ ସଫଳତାର ସହ ଜଣେ ପ୍ରତିଷ୍ଠିତ ଖେଳାଳୀ ହୋଇପାରିବ ବୋଲି କହିଥିଲେ ।
ଅନ୍ୟପକ୍ଷରେ , ଜିଲ୍ଲାରେ ହକି ଖେଳର ପ୍ରୋତ୍ସାହନ ଏବେ ପ୍ରତି ସ୍କୁଲରେ ପ୍ରାୟ ଚାଲିଛି । ଏମିତିକି , ଜିଲ୍ଲାରେ କ୍ରୀଡା ପ୍ରତିଭାକୁ ଆଗେଇ ନେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଜାରୀ ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କହିଛନ୍ତି ।
ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ନଟବର ଗରଡ , କହିଥିଲେ ଯେ , ହକି ଖେଳରେ ଧ୍ୟାନଚାନ୍ଦଙ୍କ କ୍ରୀଡା-ନୈପୁନ୍ୟତା ଯେଭଳି ଭାବେ ପ୍ରଦର୍ଶନ ରହିଥିଲା , ସେଥିପାଇଁ ସେ କେବଳ ଭାରତରେ ନୁହନ୍ତି , ସାରା ବିଶ୍ୱରେ ସେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଥିଲେ ।
ଏମିତି କି ଖେଳିବା ବେଳେ ତାଙ୍କ ହକି ବାଡ଼ିରେ ଥରେ ବଲ ଲାଗି ରହିଗଲେ ତାହା ଗୋଲରେ ପରିଣତ କରୁଥିଲେ । ମେଜର ଧ୍ୟାନଚାନ୍ଦ ୧୯୨୮ , ୧୯୩୨ ଓ ୧୯୩୬ ମସିହାରେ ଭାରତକୁ ଅଲିମ୍ପିକ୍ସ ଖେଳରେ ହକି ବିଜେତା ତଥା ଚାମ୍ପିଆନ କରାଇଥିଲେ ।
ଏଥିସହିତ ୧୯୨୬ ରୁ ୧୯୪୮ ମସିହା ମଧ୍ୟରେ ବିପକ୍ଷ ଦଳଗୁଡିକ ବିରୋଧରେ ସେ ୪୦୦ ରୁ ଅଧିକ ଗୋଲ ଦେଇଥିଲେ ।
ଏହି କ୍ରମରେ ଗଜପତି ଜିଲ୍ଲାରେ ମଧ୍ୟ ଅଳ୍ପଦିନ ମଧ୍ୟରେ ହକି ଖେଳର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଜିଲ୍ଲାକୁ ଜଣେ ହକି ତାରକା କ୍ରୀଡା ଶିକ୍ଷକ ଭାବେ ଆସିଛନ୍ତି । ତାଙ୍କରି ହକି କୋଚ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟରେ ହକି ଖେଳ ପାଇଁ ଭଲ ଖେଳାଳୀ ଚୟନ ହୋଇ ହକି ଖେଳର ଏକ ନୂତନ ଦିଗନ୍ତ ସୃଷ୍ଟି ହେବ ଏବଂ ସେମାନଙ୍କ ପ୍ରତିଭା ରାଜ୍ୟସ୍ତରୀୟ ହକି ଖେଳରେ ତାହା ପ୍ରସ୍ପୁଟିତ ହେବ ବୋଲି କହିଥିଲେ ।

Related Posts

Seo wordpress plugin by www.seowizard.org.