Odisha News

ଗଜପତି : ସହାୟତାର ହାତ ବଢ଼ାଇ ତ୍ରାଣକାର୍ତ୍ତା ସାଜିଲେ ସ୍ବେଚ୍ଛାସେବୀ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୬/୨ : ପବିତ୍ର ମହାଶିବରାତ୍ରିରେ ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତିରେ ଲୋକାରଣ୍ୟ ହୋଇଥିଲା ରାଜଧାନୀ ଭୁବନେଶ୍ବରର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲିଙ୍ଗରାଜ ମନ୍ଦିର। ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତି ୩ଟାରୁ ଏହି ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା।
ଏହି ଭିଡକୁ ପ୍ରତିହତ କରି ସମସ୍ତ ଭକ୍ତଙ୍କ ପାଇଁ ସୁଚାରୁ ରୂପେ ଦର୍ଶନର ବ୍ୟବସ୍ଥା କରାଇବା ତଥା ପ୍ରଶାସନକୁ ଯଥାର୍ଥ ସହଯୋଗର ହାତ ବଢାଇବା ନିମନ୍ତେ ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ଆଗେଇ ଆସିଥିଲେ ସମାଜସେବୀ ନୀଳମଣି ମିଶ୍ରଙ୍କ ନେତୃତ୍ୱାଧୀନ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ପ୍ରତିନିଧି”।
ସୂଚନାଯୋଗ୍ୟ ଯେ , ଦୀର୍ଘ ୩୬ ବର୍ଷ ଧରି ଏହି ସଙ୍ଗଠନ ବିଭିନ୍ନ ଯାନୀ-ଯାତ୍ରାରେ ଲୋକଙ୍କ ସେବା କରି ଉଚ୍ଚ ପ୍ରଶଂସିତ ହେଉଛନ୍ତି।
ଏ ବର୍ଷ ଗଜପତି ଜିଲ୍ଲା ନ୍ୟାୟାଳୟରେ ଥିବା ପଦସ୍ଥ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର’ଙ୍କ ସଂଯୋଜକତାରେ ଗଜପତି , ଗଞ୍ଜାମ , ଅନୁଗୁଳ , ଖୋର୍ଦ୍ଧା ତଥା ଅନ୍ୟଜିଲ୍ଲା ମାନଙ୍କରୁ ଆସିଥିବା ୧୫୦ ଜଣିଆ ସ୍ବେଚ୍ଛାସେବୀ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରାତି ୨ ଘଟିକାରୁ ମହାଦୀପ ଉଠିବା ଶେଷ ପର‌୍ୟ୍ୟନ୍ତ ଉପସ୍ଥିତ ରହି ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ।
ସର୍ବ ପ୍ରଥମେ ଶ୍ରୀ ପିୟୁସ ମହାନ୍ତି , ଶ୍ରୀ ସଞ୍ଜୟ ଦାସ , ଗଜପତି ଜିଲ୍ଲାର କୁମାର ରେଡ୍ଡୀଙ୍କ ନେତୃତ୍ୱରେ ମନ୍ଦିର ଭିତରେ ତଥା ବାହାରେ ଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ଜଳ ବଣ୍ଟନ କରା ଯାଇଥିଲା।
ସେହିପରି ଶ୍ରୀ ଟୁଟୁ ନାୟକ , ଶ୍ରୀ ମନୋରଞ୍ଜନ ବେହେରା , ଶ୍ରୀ ମନୋଜ ମିଶ୍ରଙ୍କ ନେତୃତ୍ୱରେ ଗଞ୍ଜାମରୁ ଆସିଥିବା ସ୍ବେଚ୍ଛାସେବୀ ମନ୍ଦିର ପରିସର ସଫେଇ କରିବା ସହ ମହାପ୍ରଭୁଙ୍କ’ର ସୁଚାରୁ ଦର୍ଶନ କିପରି ହେଇପାରିବ ସେ ନେଇ ବ୍ୟବସ୍ଥା କରିଥିଲେ। ସେହିଭଳି ଶ୍ରୀ ସମୀର ପ୍ରଧାନ , ଶ୍ରୀ କହେଁଇ ପ୍ରଧାନ , ଶ୍ରୀ ପ୍ରଦୀପ ସାହୁଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାର ସଦସ୍ୟ ମାନେ ବୟୋଜ୍ୟେଷ୍ଠଙ୍କୁ ଭଗବାନଙ୍କର ସୁଚାରୁରୂପେ ଦର୍ଶନ କରାଇବା ଏବଂ ସୁନିଶ୍ଚିତ କରାଇବା ସହ ପୋଲିସ ପ୍ରଶାସନକୁ ଆବଶ୍ୟକ ସହାୟତା କରିଥିଲେ। ଏଥିସହ ଡ଼ଃ ପ୍ରିୟବ୍ରତ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀପ୍ତିବାଳା ସାହୁ ଓ ସ୍ରୋତ ଶାଶ୍ୱତ ଦାସ’ଙ୍କ ସହାୟତାରେ ଆହତ ହୋଇଥିବା ତଥା ମୂର୍ଚ୍ଛା ହୋଇ ଯାଇଥିବା ଶ୍ରଦ୍ଧାଳୁଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଏହି ସଦସ୍ୟ ମାନେ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିଲେ।
ସେହିପରି “ଲିଓରା ଫାଉଣ୍ଡେସନ”ର ମୁଖ୍ୟ ଶ୍ରୀ ପ୍ରଦ୍ୟୁମ୍ନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀପା ମହାରଣା , ଓକିଲ ଶ୍ରୀ ନିର୍ଲିପ୍ତ ମିଶ୍ର ଓ ଶ୍ରୀ ଉଜ୍ଜଳ ମହାନ୍ତି , ଶ୍ରୀ ସନାତନ ମହାରଣା ତଥା ଶ୍ରୀ ସୁଶାନ୍ତ କୁମାର ଗୌଡ଼ଙ୍କ ଦ୍ୱାରା ଦ୍ୱିପ୍ରହର ସମୟରେ ଭକ୍ତ ମାନଙ୍କୁ ଜୁସ ଓ ଖାଦ୍ୟ ଆଦି ବଣ୍ଟନ କରା ଯାଇଥିଲା ।
ସୂଚନାଯୋଗ୍ୟ ଯେ , ଗତ ରଥଯାତ୍ରାରେ ଏହି ଦଳର ନିଷ୍ଠାପର ସେବାକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ ଓ ଏଥର ବି ଅନୁରୂପ ଭାବେ ପୂର୍ବତନ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ତଥା ଏକାମ୍ର ବିଧାୟକ ବାବୁ ସିଂ ଏହି ଦଳର ୨୪ ଘଣ୍ଟିଆ ନିଷ୍ଠାପର ସେବାକୁ ନେଇ ପ୍ରଶଂସା କରିବା ସହ ଆଗକୁ ଏପରି ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ।

Related Posts