ଗଜପତି : ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଗଜପତିର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୦/୧ :ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ ,( ଭା.ପ୍ର.ସେ.) ଆଜି ତାଙ୍କ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।
ନୂତନ ଜିଲ୍ଲାପାଳ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଦାୟିତ୍ୱ ଗ୍ରହଣ କରିବା ସହ ସରକାରୀ କାର୍ଯ୍ୟରେ ସ୍ଵଚ୍ଛତା ଓ ସମୟାନୁବର୍ତ୍ତିତା ଅବଲମ୍ବନ ପାଇଁ ଉପସ୍ଥିତ ପଦାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସହ ହିତାଧିକାରୀ ମାନଙ୍କ ନିକଟରେ ସଫଳତାର ସହ ସେବା ପହଞ୍ଚାଇବା ଓ ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ନୂତନ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଗୁରୁତ୍ୱାରୋପ କରିଥିଲେ ।
ସେହିପରି ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ ଯୋଜନା ତଥା ଶିକ୍ଷା , ସ୍ଵାସ୍ଥ୍ୟ , ଗମନାଗମନ ଓ ପାନୀୟ ଜଳ ସମସ୍ତ ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ସହିତ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରାଯିବା ସହ ଜିଲ୍ଲାର ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ତାଙ୍କର ପ୍ରାଥମିକତା ହେବ ବୋଲି ନୂତନ ଜିଲ୍ଲାପାଳ କହିଛନ୍ତି ।
ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଗୋଟିଏ ଟିମ ହୋଇ କାର୍ଯ୍ୟ କଲେ ଜିଲ୍ଲାର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ଅଗ୍ରୱାଲ ଆହ୍ବାନ କରିଥିଲେ ।
ଜନସାଧାରଣଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ।
ଶ୍ରୀଯୁକ୍ତ ଅଗ୍ରୱାଲ ପୂର୍ବରୁ ନୟାଗଡ଼ ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଥିଲେ । ଜିଲ୍ଲା କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ.ନାଗାରାଜୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିଦ୍ର ହୋନନାଗା ଓ ଶ୍ରୀ ଫାଲଗୁନୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ବୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ୍ ଅଲ୍ଲୀ ପ୍ରମୁଖଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ଓ ଅଭିବାଦନ ଜଣାଇଥିଲେ ।




