Odisha News

ଗଜପତି: ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଖସିଲା ମାଟି ଅତଡ଼ା , ଅଳ୍ପକେ ବର୍ତ୍ତିଲା ଗାଁ ଲୋକଙ୍କ ଜୀବନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୭/୭: ଲଗାଣ ବର୍ଷା ଯୋଗୁଁ ପାହାଡରୁ ଖସିଲା ମାଟି ଅତଡ଼ା । ଏଥିରୁ ଅଳ୍ପକେ ବର୍ତ୍ତୀ ଯାଇଛି ଗାଁ ଲୋକଙ୍କ ଜୀବନ
ଏଭଳି ଘଟଣା ଦେଖା ଦେଇଛି , ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ କଳାକୋଟ ପଞ୍ଚାୟତର ପାହାଡ଼ ଘେରା ଜଙ୍ଗଜଙ୍ଗଲ ଗ୍ରାମରେ ।
ଗତକାଲି ଠାରୁ ଏ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଏମିତିକି ଆଜି ସକାଳ ପର୍ଯ୍ୟନ୍ତ ଏହି ବର୍ଷାର ପରିମାଣ କମି ନ ଥିଲା ।
ଏହି ଲଗାଣ ବର୍ଷା ଫଳରେ ମଧ୍ୟରାତ୍ରୀ ୩ଟା ୩୦ ମିନିଟ ସମୟରେ ନିକଟସ୍ଥ ପାହାଡ଼ରୁ ମାଟି ଅତଡ଼ା ଧସି ସମ୍ପୃକ୍ତ ଗ୍ରାମ ମୁହାଁ ହୋଇଛି । ଏଥିରେ କୋଣସି ଜୀବନ ହାନି ହୋଇ ନ ଥିଲେ ମଧ୍ୟ ଅନେକ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଜଣାଯାଇଛି ।
ପାହାଡ଼ ଅତଡ଼ା ଧସିବା ବେଳେ ଏଥିରେ ପାହାଡ଼ ଉପରୁ ମାଟି , ପଥର , ଗଛ , ଗୋଡି କାଦୁଆ ପାଣି ସବୁ ଧୋଇ ହୋଇ ସବୁ ଝରଣା ଭଳି ପ୍ରବଳ ସୁଅରେ ଗ୍ରାମ ମୁହାଁ ହୋଇ ବିଭିନ୍ନ ଅଞ୍ଚଳକୁ ପ୍ରଭାବିତ କରିଥିଲା ।
ଗ୍ରାମର ବିଭିନ୍ନ ଘରକୁ ପାହାଡ଼ ଅତଡ଼ାର କାଦୁଆ ପାଣି ଘର ଭିତରେ ପସିଥିବା କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଗ୍ରାମ ଭିତରର ସ୍ଥାନେ ସ୍ଥାନେ ଅତଡ଼ାର ବର୍ଷା କାଦୁଆ ପାଣିର ସୁଅ ଛୁଟି ଚାଲିଛି । ଏଥିରେ ଗ୍ରାମବାସୀ\’ଙ୍କ ଚାଷଜମି ମଧ୍ୟ ପ୍ରଭାବିତ ହୋଇଥିବା ଜଣାଯାଇଛି ।
ଗ୍ରାମବାସୀ ବର୍ତ୍ତମାନ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଏଥିରେ ଏକାଧିକ ଘର ଭାଙ୍ଗି ନଷ୍ଟ ହୋଇ ଯାଇଥିବା ବେଳେ ଗୋଟିଏ ବାଇକ ମଧ୍ୟ ଅତଡ଼ା ସୁଅରେ ଭାସି ନଷ୍ଟ ହୋଇ ଯାଇଥିବା ଏବଂ ଗ୍ରାମକୁ ଯିବା ରାସ୍ତା ମଧ୍ୟ ନଷ୍ଟ ହୋଇ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିବା ଜଣାଯାଇଛି ।
ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତହସିଲଦାର , ସରପଞ୍ଚ , ଗ୍ରାମସେବକଙ୍କ ସମେତ ପୋଲିସ ଓ ଅଗ୍ନିଶମ ଦଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ଉଦ୍ଧାର କାର୍ଯ୍ୟ ଓ ପରିସ୍ଥିତି ସ୍ୱାଭାବିକ ପାଇଁ ପୋଲିସ ଓ ଅଗ୍ନିଶମ ଦଳ ପ୍ରୟାସ ଜାରୀ ରଖିଥିବା ଜଣା ଯାଇଛି ।

Related Posts