Odisha News

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଜଗନ୍ନାଥ ସଂସ୍କୃତି ଓ ଲୋକ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୧ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ “ବିଶ୍ବ ଓଡିଆ ଭାଷା ସମ୍ମିଳନୀ” ଆନୁକୂଲ୍ୟରେ “ଜଗନ୍ନାଥ ସଂସ୍କୃତି ଓ ଲୋକ ସଂସ୍କୃତି” ଶିର୍ଷକ ଉପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ବିଭାଗ) ଶ୍ରୀ ବୀରେନ୍ଦ୍ର କୁମାର ଦାସ , ମୁଖ୍ୟଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜଗନ୍ନାଥ ସଂସ୍କୃତିର ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ ।
ଜଗନ୍ନାଥ ସଂସ୍କୃତି ଆଧାରିତ ବିଭିନ୍ନ କିମ୍ବଦନ୍ତୀ ଓ କାହାଣୀକୁ , ଉପଦେଶ ଛଳରେ କହି ପିଲାଙ୍କୁ ସ୍ଥିତପ୍ରଜ୍ଞ , ସାହସୀ ଓ କର୍ମ-କୁଶଳୀ ହେବା ପାଇଁ ପ୍ରରୋଚନା ଦେଇଥିଲେ ଏବଂ ଆଜିର ଦିନଟି \” ଜାତୀୟ ମତଦାତା ଦିବସ” ହୋଇଥିବା ଯୋଗୁଁ ଛାତ୍ରୀ ମାନଙ୍କୁ ଗଣତାନ୍ତ୍ରିକ ଅଧିକାର ଉପରେ ମଧ୍ୟ ସଚେତନ କରାଇଥିଲେ।
ସେହିପରି ଅନୁଷ୍ଠାନର ଅଧ୍ୟକ୍ଷା ଡଃ ରୀନା ସାହୁ ଜଗନ୍ନାଥ ସଂସ୍କୃତିକୁ ନେଇ ରଚିତ ସାହିତ୍ୟକୃତୀ ଗୁଡିକର ଅନୁଶୀଳନ ପୂର୍ବକ ଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ , ପରୋପକାରୀ , ଅହଂଶୂନ୍ୟ ହେଲେ ଜଣେ ଲକ୍ଷାଭିମୁଖୀ ହୋଇପାରିବ ବୋଲି କହିଥିଲେ।
ଆଜିର ଏହି କାର୍ଯ୍ୟକ୍ରମର ଆକର୍ଷଣୀୟ ବିଷୟ ଥିଲା ଜଣେ ଭିନ୍ନକ୍ଷମ ମେଧାବୀ ଛାତ୍ରୀ ଦୀପ୍ତିରାଣୀ ମଲ୍ଲିକ । ଦୀପ୍ତିରାଣୀ ମଲ୍ଲିକକୁ ମଞ୍ଚାସୀନ ଅତିଥି ବୃନ୍ଦ ତାଙ୍କ ବସିବା ସ୍ଥାନକୁ ଆସି ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଜଗନ୍ନାଥ ସଂସ୍କୃତିର ଏହା ହିଁ ମହିମା ।
ଆଲୋଚନା ଚକ୍ରର ପ୍ରାରମ୍ଭରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀ , “ନୂଆ-ଓ” କାର୍ଯ୍ୟକ୍ରମର ନୋଡାଲ୍ ଅଫିସର ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ପ୍ରାରମ୍ଭିକ ସମ୍ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ପୂର୍ବରୁ ଅନୁଷ୍ଠିତ ହୋଇ ଯାଇଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା , କର୍ମଚାରୀ ବୃନ୍ଦ ଏବଂ ଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ ଏବଂ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଥିଲା ।

Related Posts