ଗଜପତି : ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀଙ୍କ ଦ୍ଵାରା ସେଞ୍ଚୁରିଅନ ୟୁନଭରସିଟିରେ ୨ ଦିନିଆ ଜିଲ୍ଲାସ୍ତରୀୟ ୪ର୍ଥ ଉତ୍କଳ କୃଷି ମେଳା କାର୍ଯ୍ୟକ୍ରମ ଉଦଘାଟିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୨/୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ରାଜ ସିତାପୂର ର ଆଲୂରୀ ନଗର ଠାରେ ଥିବା ସେଞ୍ଚୁରିଅନ ୟୁନଭରସିଟି ପରିସରରେ ଆଜି ୨ ଦିନିଆ ଜିଲ୍ଲାସ୍ତରୀୟ ୪ର୍ଥ ଉତ୍କଳ କୃଷି ମେଳା କାର୍ଯ୍ୟକ୍ରମକୁ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ମଧ୍ୟମ , କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ ।
ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବ ତଥା କୃଷକ ସମାବେଶ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ସେଞ୍ଚୁରିଅନ ୟୁନିଭରସିଟି ପକ୍ଷରୁ ଆୟୋଜିତ ଏଭଳି ପଦକ୍ଷେପର ଉଚ୍ଚ ପ୍ରଶଂସା କରି କହିଥିଲେ ଯେ , କୃଷକ ମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରାଇ ସେମାନଙ୍କ ମୁହଁରେ ହସ ଫୁଟାଇବା ଆମ ମୋହନ ମାଝି ସରକାରଙ୍କ ପ୍ରଥମ ଲକ୍ଷ୍ୟ। ସରକାର ଏ ଦିଗରେ ପ୍ରାଧାନ୍ୟ ଦେଇ କାର୍ୟ୍ୟ କରୁଛନ୍ତି।
କୃଷକ ମାନଙ୍କ ଆୟକୁ ଦ୍ଵିଗୁଣିତ କରିବା ପାଇଁ ବିଭିନ୍ନ କୃଷି କ୍ଷେତ୍ରରେ , ମତ୍ସ୍ୟ ପାଳନ କ୍ଷେତ୍ରରେ ଏବଂ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ଏଠାରେ ଅନେକ ପ୍ରକାରର ପ୍ରଶିକ୍ଷଣ ଦିଆହେଉଛି। । ବୈଜ୍ଞାନିକ ପ୍ରଣାଳୀରେ ଚାଷ ଓ ଗୋପାଳନ ସମେତ ନୂତନ ଜ୍ଞାନ କୌଶଳ ଆପଣାଇ ଜୈବିକ ପ୍ରଣାଳୀରେ କରିବା ପାଇଁ ମଧ୍ୟ ଏଠାରେ ପ୍ରଶିକ୍ଷଣ ଦିଆ ହେଉଛି ।
ଯାହା ଫଳରେ ଗୋଟିଏ ବିକଶିତ ରାଷ୍ଟ୍ର ଓ ବିକଶିତ ରାଜ୍ୟ ପାଇଁ ପ୍ରଥମେ କୃଷି ଓ କୃଷକମାନଙ୍କ ବିକାଶର ଆବଶ୍ୟକତା ରହିଛି । ଯାହାକି କୃଷି ଓ କୃଷକର ବିକାଶ ହେଲେ ଦେଶ ଓ ରାଜ୍ୟର ବିକାଶ ହେବ ବୋଲି କହିଥିଲେ।
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି , ତା ପାଇଁ ରୋଡ ମ୍ୟାପ ମଧ୍ୟ ପ୍ରସ୍ତୁତ ହୋଇସାରିଛି ।
ଦକ୍ଷତା ବିକାଶ କ୍ଷେତ୍ରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ , ଆପଣ ମାନେ ବିଭିନ୍ନ ବିଭାଗରେ ଏଠାରେ ପ୍ରଶିକ୍ଷଣ ପାଇ ଏଠାରୁ ପାସ ଆଉଟ୍ ହେବା ପରେ ଜଣେ ଅଭିଜ୍ଞତା ପୂର୍ଣ୍ଣ ଦକ୍ଷ ହୋଇ ବାହାରିବେ ଏବଂ ଜଣେ ଦକ୍ଷ ଓ ସଫଳ ଉଦ୍ୟୋଗୀ ହୋଇ ଉଭା ହେବେ ।
ତେଣୁ ଚାକିରୀ ପଛରେ ଗୋଡାଇବାର ଆବଶ୍ୟକତା ନାହିଁ । ଆପଣ ଆପଣଙ୍କର ଦକ୍ଷତା ଓ ଅଭିଜ୍ଞତାକୁ ନେଇ ନିଜେ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହୋଇ ଅନ୍ୟକୁ ଚାକିରି ଦେବାରେ ସକ୍ଷମ ହେବେ , କାହିଁକି ନା ସରକାର ତା ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି ବୋଲି କହି ସରକାରଙ୍କ ପକ୍ଷରୁ ଅନେକ ଯୋଜନା ରହିଛି ଏବଂ କାର୍ଯ୍ୟକାରୀ ହେଉଛି , ସେହି ଯୋଜନା ମାନଙ୍କରେ ଅନ୍ତର୍ଭୁକ୍ତ ହୋଇ ତାର ସୁଯୋଗ ନେବାକୁ ପାଇଁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀ ଏବଂ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି ତିରୁପତି ରାଓ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କୃଷକ ମାନଙ୍କ ଠାରେ କୃଷି ସମ୍ବନ୍ଧୀୟ ପ୍ରଯୁକ୍ତି ବିଦ୍ୟା ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ପହଞ୍ଚାଇ କୃଷକ ମାନଙ୍କୁ ସଶକ୍ତ କରାଇବାରେ ସେଞ୍ଚୁରିଅନ ୟୁନଭରସିଟି ର ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ୟୁନିଭରସିଟି ଉପକୁଳପତି ପ୍ରଫେସର ଡ଼ଃ ସୁପ୍ରିୟା ପଟ୍ଟନାୟକ ଏବଂ ଉପସଭାପତି ପ୍ରଫେସର ଡି: ଏନ: ରାଓ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଅଗ୍ରଣୀ ଉତ୍କୃଷ୍ଟ ଚାଷୀ ଏବଂ ସଫଳ ଉଦ୍ୟୋଗୀ ମାନଙ୍କୁ ସମ୍ଭର୍ଦ୍ଧିତ କରି ପ୍ରମାଣପତ୍ର ଓ ମୋମେଣ୍ଟୋ ବଣ୍ଟନ କରିଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ଚାଷୀମାନଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନ କରା ଯାଇଥିବା ୭୦ ଟି ପ୍ରଦର୍ଶନୀ ଷ୍ଟଲ୍ କୁ ଏବଂ ପ୍ଲାୱାର ଗାର୍ଡେନ କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଉଦଘାଟନ କରି ବୁଲି ଦେଖିଥିଲେ ।
ଏହି କାର୍ଯ୍ୟକ୍ରମରେ ୟୁନଭରସିଟିର ପ୍ରୋ-ଭାଇସ ଚାନସେଲର ପ୍ରଫେସର ଡ଼ଃ ଅଜୟ କୁମାର ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବା ସହ ୟୁନଭରସିଟିର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ତାର ସଫଳତା ଦିଗରେ ରହିଥିବା ମାଇଲଖୁଣ୍ଟ ଉପରେ ଅବଗତ କରାଇଥିଲେ ।
କାର୍ଯ୍ୟକ୍ରମର ଉଦଘାଟନୀ ପରେ ରାଜ୍ୟ ସଙ୍ଗୀତ \”ବନ୍ଦେ ଉତ୍କଳ ଜନନୀ\” ଗାନ ହେବା ପରେ ସୁଶ୍ରୀ ତାପଶୀ କରଙ୍କ ଦ୍ବାରା ପ୍ରାରମ୍ଭିକ ନୃତ୍ୟ ତଥା ଓଡ଼ିଶୀ ନୃତ୍ୟ ପରିବେଷଣ କରା ଯାଇଥିଲା ।
ଶେଷରେ ୟୁନଭରସିଟିରେ କୁଳ ସଚିବ ପ୍ରଫେସର ଡ଼ଃ ଅନିତା ପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳ ରୁ ୧ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଚାଷୀ ଯୋଗ ଦେଇଥିଲେ ।




