Odisha News

ଗଜପତି: ଫୋଷ୍ଟାକ ପକ୍ଷରୁ “ଉତ୍ସର୍ଗ” ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଖାଦ୍ୟ ନିରାପତ୍ତା ଓ ସ୍ବଚ୍ଛତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି,୧୧/୩: ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଣିପେଣ୍ଠା ଗ୍ରାମ ସ୍ଥିତ ହୋମ ଅଫ ଲାଇଫ ହଷ୍ଟେଲର ସଭାଗୃହ ଠାରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ “ଫୋଷ୍ଟାକ” ର ସ୍ଵୀକୃତିପ୍ରାପ୍ତ ସ୍ବେଚ୍ଛାସେବୀ ସଂଗଠନ “ଉତ୍ସର୍ଗ” ଆନୁକୁଲ୍ୟରେ ଜିଲ୍ଲାର କାଜୁ ଫେକ୍ଟ୍ରି ଓ ଚାଉଳ ମିଲ ମାଲିକ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଖାଦ୍ୟ ନିରାପତ୍ତା ମାନକ, ସ୍ବଚ୍ଛତା ଓ ସ୍ୱାସ୍ଥ୍ୟକର ସମ୍ପର୍କିତ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ ଶିବିରର ସଚେତନତା ସଭା କାର୍ଯ୍ୟକ୍ରମରେ “ଉତ୍ସର୍ଗ” ଅନୁଷ୍ଠାନର ସଭାପତି ଶ୍ରୀ ପ୍ରିୟ ରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ଖାଦ୍ୟ ନିରାପତ୍ତା , ସ୍ବଚ୍ଛତା ଓ ସ୍ୱାସ୍ଥ୍ୟକର ଉପରେ କେନ୍ଦ୍ର ସରକାରଙ୍କ ଏକ ନିର୍ଦ୍ଧିଷ୍ଟ ଗାଇଡ ଲାଇନ ରହିଛି , ସେ ସବୁକୁ ପାଳନ କରି ତାର ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରି ଏହା ସର୍ବସାଧାରଣଙ୍କ ନିମନ୍ତେ ନିହାତି ଆବଶ୍ୟକ ବୋଲି କହିଥିଲେ ।
ଅନ୍ୟପକ୍ଷରେ , ଜିଲ୍ଲାରେ ରହିଥିବା ରାଇସ ମିଲ ଓ କାଜୁ କାରଖାନାରେ ବିଶେଷ କରି ମହିଳା ମାନେ ହିଁ କାମ କରୁଛନ୍ତି , ଯାହାକି ଏହା ନିଶ୍ଚିତ ଭାବେ ମହିଳା ଦାଦନ ଶ୍ରମିକ ରୋକିବାରେ ବେଶ ସହାୟକ ହୋଇପାରୁଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ଶ୍ରୀମତୀ ତପସ୍ଵିନୀ ବେହେରା ଯୋଗଦେଇ ଚଳିତ ବର୍ଷଠାରୁ ଏ ଦିଗରେ କାର୍ଯ୍ୟରତ ସମସ୍ତ ମାଲିକ ପ୍ରତିବର୍ଷ ଏଥିପାଇଁ ପ୍ରମାଣପତ୍ର କରିବାକୁ ହେବ ଏବଂ ଏଥିପାଇଁ ସରକାରଙ୍କ ରହିଥିବା ଗାଇଡ-ଲାଇନ ପ୍ରକାରେ ଇଣ୍ଡଷ୍ଟ୍ରି ଓ ମିଲ ଭିତରେ ମୌଳିକ ଆବଶ୍ୟକତାକୁ ବାଧ୍ୟତାମୂଳକ ଭାବେ ଅବଲମ୍ବନ କରିବାକୁ ହେବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଯୋଗଦେଇ ଜିଲ୍ଲାର ୫୦ ଜଣ ରାଇସ ମିଲ ଓ କାଜୁ କାରଖାନା ମାଲିକ ମାନଙ୍କୁ ମୁଖ୍ୟତଃ ଖାଦ୍ୟ ନିରାପତ୍ତା , ସ୍ବଚ୍ଛତା ଓ ସ୍ୱାସ୍ଥ୍ୟକରତା ର ଆଭିମୁଖ୍ୟ ଓ ଉପାଦେୟତା , ପ୍ରସ୍ତୁତି ପ୍ରଣାଳୀ , ସରକାରଙ୍କ ଗାଇଡ ଲାଇନ ପାଳନ , ଆଇନ ଓ କୋଭିଡ ସତର୍କତା ନିୟମାବଳୀ ପ୍ରଭୃତି ଉପରେ ବିଷଦ ଭାବେ ବୁଝାଇ ପ୍ରଶିକ୍ଷଣ ଦେଇଥିଲେ ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ଅନୁଷ୍ଠାନର ରାଜ୍ୟ ସଂଯୋଜକ ଶ୍ରୀ ସୁକାନ୍ତ ମନ୍ତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ।
ଏହି ପ୍ରଶିକ୍ଷଣ ଶିବିରର ସମସ୍ତ କାର୍ଯ୍ୟ କ୍ରମକୁ ଆନୁଷ୍ଠାନ ଜିଲ୍ଲା ସଂଜୋଜିକା ହେମା ମାଳିନୀ ଭୂୟାଁ ଏବଂ ଜିଲ୍ଲା ଖାଦ୍ୟ ନିରାପତ୍ତା କାର୍ଯ୍ୟାଳୟର ଶ୍ରୀ ବଳରାମ ପ୍ରଧାନ ଓ ଶ୍ରୀ ସସଜିତ ଗୁରୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.