Odisha News

ଗଜପତି : ପାରଳା ପୌର ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩୧/୮ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପାରଳା ପୌର ପରିଷଦ ଅଞ୍ଚଳରେ ରହିଥିବା ୧୬ ଗୋଟି ୱାର୍ଡ ରେ ରହିଥିବା ବରପୁତ୍ର ଓ ମହାପୁରୁଷ ଯଥା:- ଓଡ଼ିଶାର ପ୍ରଥମ ନାଟ୍ୟକାର କବିଚନ୍ଦ୍ର ରଘୁନାଥ ପରିଛା , କଳହଂସ ଭକ୍ତକବି ଗୋପାଳ କୃଷ୍ଣ ପଟ୍ଟନାୟକ , ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ , ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ , ଜାତିର ପିତା ମହାତ୍ମାଗାନ୍ଧୀ , ପଣ୍ଡିତ ଜବାହର ଲାଲ ନେହେରୁ , ସମ୍ବିଧାନ ପ୍ରଣେତା ବାବା ସାହେବ୍ ଡ଼ଃ ବି ଆର: ଆମ୍ବେଦକର ଓ ଅନ୍ୟ ବରପୁତ୍ର ଓ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀ ଉପରେ ପୌର ଉପାଧ୍ୟକ୍ଷ ଓ କାଉନସିଲର ମାନେ ପୁଷ୍ପମାଲ୍ୟ ପକାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏହି ଅବସରରେ ଅନୁଷ୍ଠିତ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଉଦବୋଧନ ଦେଇ ପୌର ପରିଷଦ ଅଞ୍ଚଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସବୁ ଆଗେଇ ଚାଲିଥିବା ବେଳେ କେତେକ ହେବାକୁ ଅଛି , ସେଥିପାଇଁ ପାରଳା ପୌର ପରିଷଦ ବାସୀ ଭାଇଚାରା ମନୋଭାବ ରଖି ଉନ୍ନୟନ କାର‌୍ୟ୍ୟରେ ସହଯୋଗ କରି ପୌର ପରିଷଦକୁ ରାଜ୍ୟରେ ଏକ ଅଗ୍ରଣୀ ପୌରପରିଷଦ ଭାବେ ଗଢିତୋଳିବା ରେ ସହାୟକ ହେବାକୁ ଆହ୍ବାନ କରିଥିଲେ ।
ସେହିଭଳି ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ପୌରପରିଷଦ ଅଞ୍ଚଳ ରେ କାର‌୍ୟ୍ୟକାରୀ ହୋଇଥିବା ଏବଂ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ ଗୃହରେ ବାହାରୁଥିବା ଅଳିଆ ଆବର୍ଜନାକୁ ନାଳରେ କି ଏଣେ ତେଣେ ନ ପକାଇ ତାକୁ ଅଲଗା ରଖି ପୌର ପରିଷଦର ଆସୁଥିବା ଅଳିଆ ସଂଗ୍ରହକାରୀ ଗାଡ଼ିରେ ପକାଇବାକୁ କହିବା ସହ ପଲିଥିନ ମୁକ୍ତ ସମାଜ ଗଠନ କରିବା ଏବଂ ପାରଳା ସହରକୁ ସବୁଜ ଓ ସୁନ୍ଦର ରଖିବାରେ ସହାୟକ ହେବାକୁ ଆହ୍ବାନ କରିଥିଲେ ।
କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ମଧୁସ୍ମିତା ଦାସ ଏହି ଅବସରରେ ସମାଜରେ ନାରୀ ସୁରକ୍ଷା ଓ ନାରୀକୁ ସମ୍ମାନ ଦେବା ସହ “ସୁଭଦ୍ରା” ଯୋଜନା ଉପରେ କହି ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ପୌର ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁଙ୍କ ନେତୃତ୍ୱରେ କାଉନସିଲର ମାନେ ସ୍ଥାନୀୟ କୁଷ୍ଟାଶ୍ରମ ଯାଇ ସେଠାକାର ଅନ୍ତେବାସୀ ମାନଙ୍କ ଫଳାହାର ବଣ୍ଟନ କରିଥିଲେ ।
ଏହି ଅବସରରେ ପୌର ପରିଷଦ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ଯୋଜନାରେ ହୋଇଥିବା ୨ଟି ଶିଶୁ ପାର୍କ , ଗୌରବ ମୟ ପାରଳା ପାର୍କ ଓ ଆଧୁନିକ ଶ୍ମଶାନ କ୍ଷେତ୍ର ପ୍ରଭୃତି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ପୌର ପରିଷଦର ଏମଇ: ସୁନିଲ ଚମ୍ପତ୍ତି , କନିଷ୍ଠ ଯନ୍ତ୍ରୀ ଏମ: ଯୁଧିଷ୍ଠିର ଙ୍କ ସମେତ ମନୋଜ ଶତପଥୀ , ସୁରେଶ ପାଣିଗ୍ରାହୀ , ବିରଞ୍ଚି ମିଶ୍ର , ରାଜେଶ ବେବର୍ତ୍ତା , ଇନ୍ଦିରା ଗୌଡ , ସ୍ଵଚ୍ଛାସାଥି ଏବଂ ପୌର ପରିଷଦର ଅନ୍ୟାନ୍ୟ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.