Odisha News

ଗଜପତି : ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରେ ମେଗା ସ୍ୱାସ୍ଥ୍ୟ ଶିବିର ଏବଂ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୨ /୧୦ : ଗଜପତି ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ତରଫରୁ ପାରଳାଖେମୁଣ୍ଡି ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୨ ପାଳନ ଅବସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଏବଂ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ପାରଳା ପୌର ପରିଷଦ ଅଧକ୍ଷା , ଶ୍ରୀମତୀ ନିର୍ମଳା ସେଠୀ , ଉପାଧ୍ୟକ୍ଷ ପୌର ପରିଷଦ ଶ୍ରୀ ଲେଙ୍କା ମଧୁ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ପୌର ନିର୍ବାହୀ ଅଧିକାରୀ, ପାରଳାଖେମୁଣ୍ଡି ଶ୍ରୀ ଜୁବୁଲି ଚରଣ ବେହେରା , ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ।
ପ୍ରଥମେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି ତିରୁପତି ରାଓ ଏବଂ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ମଞ୍ଚାସିନ ଅତିଥି ମାନଙ୍କ ଗହଣରେ ବୟସ୍କା ମହିଳା ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରା ଯାଇଥିଲା ।
କାର୍ଯ୍ୟକ୍ରମ ସ୍ଥଳରେ ଦୁଇ ଗୋଟି ନାମ ପଞ୍ଜୀକରଣ ପ୍ରକୋଷ୍ଠ ଖୋଲାଯାଇ ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟ ଶିବିରକୁ ଆସିଥିବା ବୟସ୍କ ପୁରୁଷ-୧୪୮ ଏବଂ ବୟସ୍କା ମହିଳା ୧୫୭ ଜଣ ଏଭଳି ମୋଟ ୩୦୫ ଜଣଙ୍କର ନାମ ପଞ୍ଜୀକରଣ କରା ଯାଇଥିଲା । ସେହି ବୟସ୍କ ଓ ବୟସ୍କା ମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ।
ଏଠାରେ ମୋଟ ୮ ଗୋଟି ପ୍ରକୋଷ୍ଠ ମଧ୍ୟରୁ ୫ ଗୋଟି ଚିକିତ୍ସା ଅଧିକାରୀ ମାନଙ୍କ ନିମନ୍ତେ ଓ ତିନୋଟି ଔଷଧ , ପାଥଲୋଜି ଏବଂ ଫିଜିଓଥେରାପି ରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସରକାରଙ୍କ ନିରାମୟ ଔଷଧ ମାଗଣାରେ ବଣ୍ଟନ କରା ଯାଇଥିଲା । ମଞ୍ଚାସୀନ ସମସ୍ତ ଅତିଥିବୃନ୍ଦ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା ସୁଯୋଗ ସବୁ କଣ ରହିଅଛି ତାହା ଅତି ପ୍ରାଞ୍ଜଳ ଭାବରେ ପ୍ରକାଶ କରିଥିଲେ ।
ବରିଷ୍ଠ ନାଗରିକ ମାନେ ସମାଜର ମାର୍ଗଦର୍ଶକ । ବିନା ବରିଷ୍ଠ ନାଗରିକ ରେ ସମାଜର ଅଭିବୃଦ୍ଧି ଅସମ୍ଭବ । ତେଣୁ ପ୍ରତ୍ୟେକ କ୍ଷେତ୍ରରେ ବରିଷ୍ଠ ନାଗରିକ ମାନଙ୍କୁ ସହାନୁଭୂତି ଦେଖାଇ ଉଚିତ୍ ସମାନ ଦେବାସହ ଆବଶ୍ୟକ ସ୍ଥଳେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କୁହା ଯାଇଥିଲା ।
ଏହି ଅବସରରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ୧୦ ଜଣ ବରିଷ୍ଠ ନାଗରିକଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରା ଯାଇଥିଲା ।
ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.