Odisha News

ଗଜପତି: ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ୫୦ ତମ ତିରୋଧାନ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୫: ପାରଳାଖେମୁଣ୍ଡି ଠାରେ ନବ ଉତ୍କଳର ନିର୍ମାତା , ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା , ଓଡ଼ିଶା ଭାଷା-ଭିତ୍ତିକ ରାଜ୍ୟ ଗଠନର ମୁଖ୍ୟ ବିନ୍ଧାଣୀ ତଥା ସ୍ଵାଧୀନ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା ଶ୍ରୀଶ୍ରୀଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲାସ୍ତରୀୟ ୫୦ ତମ ତିରୋଧାନ ଦିବସ ଉତ୍ସବ ଉତ୍କଳ ହିତ୍ୟେଷିଣୀ ସମାଜ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ବଜାର ଛକ ସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତି ଠାରେ ଉତ୍କଳ ହିତ୍ୟେଷିଣୀ ସମାଜ କର୍ମକର୍ତ୍ତା , ଜିଲ୍ଲା ପ୍ରଶାସନିକ ଅଧିକାରୀ , ଗଜପତି ଜିଲ୍ଲା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ପୁଷ୍ପମାଲ୍ୟ ଓ ପୁଷ୍ପ ଦେଇ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ସେହିଭଳି ଗଜପତି ମହାରାଜାଙ୍କ ସ୍ମୃତି-ସୌଧ ପୀଠ ଠାରେ ମଧ୍ୟ ସଂପୃକ୍ତ ବ୍ୟକ୍ତି ବିଶେଷ ଉପସ୍ଥିତ ପୁଷ୍ପମାଲ୍ୟ ଓ ପୁଷ୍ପ ଅର୍ପଣ କରି ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ
ଏହି ଅବସରରେ ପୂର୍ବାହ୍ନରେ ଉତ୍କଳ ହୀତ୍ୟେଷିଣୀ ସମାଜର ସଭାଗୃହ ଠାରେ ସମାଜର ସଭାପତି ଶ୍ରୀ ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ବରେ ଏକ ସ୍ମୃତିଚାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ନାଟ୍ୟକାର ତଥା ସୁ ସାହିତ୍ୟିକ ପ୍ରଫେସର ମେଜର ରମା ରମଣ ପାଢ଼ୀ , ଐତିହାସିକ ତଥା ଗବେଷକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ବାଲ୍ୟ ଓ କର୍ମମୟ ଜୀବନୀ ଓ ତାଙ୍କର କୃତିତ୍ଵ ଓ ଅବଦାନର ବିଭିନ୍ନ ଦିଗ ସମ୍ପର୍କରେ ସ୍ମୃତିଚାରଣ କରି ସଙ୍କଟମୟ ସମୟରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ସେ ଯେଉଁ ସ୍ବପ୍ନ ଦେଖିଥିଲେ ଏବଂ ତାଙ୍କର ଯେଉଁ ଅସୀମ ତ୍ୟାଗ , ନିରବଚ୍ଛିନ୍ନ ପ୍ରଚେଷ୍ଟା ଓ କାୟାବିଷ୍ଠ ସାଧନା ଥିଲା , ତାହା ଅବିସ୍ମରଣୀୟ ବୋଲି କହିଥିଲେ ।
ଅନ୍ୟ ପକ୍ଷରେ ଭାଷା ଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିକା ଅତ୍ୟନ୍ତ ସର୍ବାଗ୍ରେ ବୋଲି କହିଥିଲେ। ।
ଏହି ଅବସରରେ ନାଟ୍ୟକାର ତଥା ସୁ-ସାହିତ୍ୟିକ ପ୍ରଫେସର ମେଜର ରମା ରମଣ ପାଢୀଙ୍କୁ ସାରସ୍ବତ ସମ୍ଭର୍ଦ୍ଧନା ଜ୍ଞାପନ କରା ଯାଇଥିବା ବେଳେ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ସେଠାକାର ଚଳିତ ମେଟ୍ରିକ୍ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରୀ ମିତୁ ମହାପାତ୍ରଙ୍କୁ ମଧ୍ୟ ସମ୍ଭର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ଶ୍ରୀ ଵିଚିତ୍ରା ନନ୍ଦ ବେବର୍ତ୍ତା ଏବଂ ଶିକ୍ଷାବିତ୍ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଅନ୍ୟତମ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ପଣ୍ଡିତ କୁମୁଦ ରଞ୍ଜନ ଦାସ ଏବଂ ପଣ୍ଡିତ ସିଏଚ: ଭେଙ୍କଟେଶ୍ୱର୍ ରାଓ ବେଦ ପାଠ କରିଥିବା ବେଳେ ଅଧ୍ୟାପକ ଶ୍ରୀ ରତ୍ନାକର ଚଇନି ଅତିଥି ଆବାହନ ଓ ଶ୍ରୀ ଭଗବତ ପାଢ଼ୀ ଅତିଥି ମାନଙ୍କ ପରିଚୟ ପ୍ରଦାନ ଏବଂ ଶେଷରେ ଶ୍ରୀ ତ୍ରିପତି ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସମ୍ବର୍ଦ୍ଧିତ ପ୍ରତିଭାଙ୍କ ମାନପତ୍ର ପାଠ କରିଥିଲେ ଶ୍ରୀମତୀ ସସ୍ମିତା ମହାପାତ୍ର ଏବଂ ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ । ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀ ବିଷ୍ଣୁ ପଣ୍ଡା , ଶ୍ରୀ ଶରତ ପରିଚ୍ଛା , ଶ୍ରୀମତୀ ମିନା ଟହଲ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାୟୀଙ୍କ ସମେତ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.