Odisha News

ଗଜପତି : ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୮/୮ : ଗଜପତି ଜିଲ୍ଲାରେ ଚଳାଚଳ ହେଉଥିବା ବସ୍ ସେବାର ବ୍ୟବସ୍ଥା ନେଇ ଆଜି ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ ଯୋଗ ଦେଇ ଗଜପତି ଜିଲ୍ଲାରେ ବସ୍ ସେବା ଚଳପ୍ରଚଳ ନେଇ ରହିଥିବା ସ୍ଥିତି ସମ୍ପର୍କରେ ବିଭିନ୍ନ ଷ୍ଟେକ୍ ହୋଲ୍ଡରଙ୍କ ସହ ଆଲୋଚନା କରିଥିଲେ ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ କାନ୍ତ ମହାନ୍ତି , ଉପ-ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ଦାଶ ଏବଂ ଜିଲ୍ଲା ପରିବହନ ପରିଚାଳକ ଶ୍ରୀ ତନ୍ମୟ କୁମାର ପ୍ରଧାନ ପ୍ରମୁଖ ମଞ୍ଚାଷିନ ଥିଲେ।
ଜିଲ୍ଲାର ଗ୍ରାମାଞ୍ଚଳ ପରିବହନ ସେବା ଭଲ ଭାବେ ଚାଲିଛି , ଏହି ସେବାରୁ ବଞ୍ଚିତ ବାକି ଥିବା ସମସ୍ତ ଗ୍ରାମ ପଞ୍ଚାୟତକୁ ମଧ୍ୟ ପରିବହନ ସେବା ଚାଲିବ ବୋଲି ପରିବହନ ବିଭାଗ ଅତିରିକ୍ତ ସଚିବ କହିଥିଲେ । ଜିଲ୍ଲାର ସଦର ମହକୁମା ସମେତ ସମସ୍ତ ବ୍ଲକରେ ବସ ଷ୍ଟାଣ୍ଡ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଗ୍ରାଧିକାର ଦିଆଯାଉଛି। ବସ ସେବାରେ ଯେଉଁଭଳି ଭାବେ ସ୍ବଚ୍ଛତା ବଜାୟ ରହିବ ସେଥିପ୍ରତି ବିଭାଗ ସମ୍ପୂର୍ଣ ସଜାଗ ରହିଛି। ପ୍ରତି ପଞ୍ଚାୟତ ମୁଖ୍ୟାଳୟ ଠାରୁ ବସ୍ ଚଳାଚଳ ପାଇଁ ପ୍ରୟାସ କରାଯାଉଛି ବୋଲି ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ କହିଛନ୍ତି ଯେ , ଜିଲ୍ଲାର ଜନସାଧାରଣଙ୍କୁ ପରିବହନ ସେବା ଯୋଗାଇ ଦେବାର ଯେଉଁଭଳି ଅସୁବିଧା ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବ।
ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ବସ ସେବା ଯୋଗାଇ ଦେବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି। ଗମନାଗମନର ସୁବିଧା ପାଇଁ ସମସ୍ତ ବିଭାଗ ଓ ଷ୍ଟେକ୍ ହୋଲ୍ଡରଙ୍କ ଭିତରେ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ହେବ ବୋଲି ମତ ପ୍ରକାଶ କରିଛନ୍ତି। ଏହି ବୈଠକରେ ଯୋଗ ଦେଇଥିବା ଘରୋଇ ବସ ମାଲିକ ସଂଘ କର୍ମଚାରୀ ଓ ବୁଦ୍ଧିଜୀବୀ ମାନେ ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ଜିଲ୍ଲାସ୍ତରରେ ଅନୁମୋଦନ କରାଯାଇ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି।
ଏହି ବୈଠକରେ ଘରୋଇ ବସ ମାଲିକ ସଂଘ ସଭାପତି ଶ୍ରୀ ସି.ଏଚ.ସୀମାଦ୍ରି , ସମ୍ପାଦକ ଶ୍ରୀ ଆଇ: ଭେଙ୍କଟ ରାଓ ସମେତ ସମସ୍ତ ବ୍ଲକର ଗୋଷ୍ଠୀ ବିଡ଼ିଓ ଓ ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ , ଘରୋଇ ବସ ମାଲିକ ସଂଘ କର୍ମଚାରୀ , ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related Posts

Seo wordpress plugin by www.seowizard.org.