Odisha News

ଗଜପତି : ଜିଲ୍ଲାସ୍ତରୀୟ “ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ:-୨୦୨୩” ପାଲାନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୩: ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସଭାଗୃହ ଠାରେ ଆଜି ମାର୍ଚ୍ଚ-୨ ରୁ ୯ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳନ ଅବସରରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅନ୍ତର୍ଗତ ଆମ୍ବ୍ରେଲା ଯୋଜନା ଉଦ୍ଧିଷ୍ଟ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା “ସଖୀ” ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ:-୨୦୨୩ , ବିଭିନ୍ନ କାର‌୍ୟ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ୱାନ ଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ କାର୍ଯ୍ୟକ୍ରମରେ ସଭାପତି କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ଏକ ସୁସ୍ଥ ସମାଜ ଗଠନରେ ମହିଳା ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ଜିଲ୍ଲା ପ୍ରଶାସନଙ୍କ ଡେପୁଟି କଲେକ୍ଟର ଶ୍ରୀ ଜ୍ଞାନରଞ୍ଜନ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନାରୀ ଓ ପୁରୁଷ ମଧ୍ୟରେ ଦେଖା ଦେଉଥିବା ଲିଙ୍ଗଗତ ଭେଦଭାବ ଓ ସମ୍ମାନତାରେ ଯେଉଁ କିଛିଟା ଦୂରତା ରହିଛି ତାକୁ କିଭଳି ହ୍ରାସ କରିହେବ , ତାହା ଆଜିର ସାମ୍ପ୍ରତିକ ସ୍ଥିତିରେ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ସ୍ଥାନୀୟ ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ନାରୀ ଆଜି ଦୁର୍ବଳତା ନୁହେଁ ସେ ସବଳା , ନାରୀ ଆଜି ସବୁ କ୍ଷେତ୍ରରେ ଆଗୁଆ ହେଲେ ମଧ୍ୟ ସେ ଆଜି ଅବହେଳା ।
ତେଣୁ କୌଣସି କାହାର ଦୟାର ପାତ୍ର ନ ହୋଇ ନାରୀ ନିଜେ ଠିକ୍ ରହିବା ସହ ନିଜ କର୍ତ୍ତବ୍ୟ ଠିକ୍ ରଖିଲେ ସମ୍ମାନ ତା ରାସ୍ତାରେ ଆପେ ଆପେ ଆସିବ ଏବଂ ସେହି ନାରୀ ସବୁ କ୍ଷେତ୍ରରେ ସମ୍ମନପ୍ରାପ୍ତି ଲାଭ କରିପାରିବ ବୋଲି କହିଥିଲେ ।
ସିଡିଏମଓ: ତଥା ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଲିଙ୍ଗ ନିରୂପଣ ଓ ଗର୍ଭପାତ ତଥା କନ୍ୟା ଭ୍ରୁଣହତ୍ୟା ଠାରୁ ଦୂରେଇ ରହିବା ସହ ଶିଶୁର ଲାଳନ ପାଳନ ଏବଂ ମହିଳା ଓ ମାତୃତ୍ୱଙ୍କ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରହିଥିବା ବିଭିନ୍ନ ସରକାରୀ ଯୋଜନା ସହାୟତା ସମ୍ପର୍କରେ କହିଥିଲେ। ।
ଆଇସିଡିଏସ: ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ କେ: ସୁନିତା ଯୋଗଦେଇ ଘରୋଇ ପାରିବାରିକ କି ବାହାରେ କି ଅଫିସ ଯେଉଁଠାରେ ହେଲେ ମଧ୍ୟ କୌଣସି ପ୍ରକାର ହିଂସା କି ନିର‌୍ୟ୍ୟାତନାର ଶିକାର ହେଲେ ପ୍ରତିବାଦ ଓ ସ୍ୱରଉତ୍ତୋଳନ କରିବା ଦିଗରେ ଆଗେଇ ଆସିବା ପାଇଁ ଆହ୍ବାନ କରି ମହିଳା ସୁରକ୍ଷା ଦିଗରେ ରହିଥିବା ବିଭିନ୍ନ ଅଧିନିୟମ-ଧାରା ଉପରେ ଉପାଦେୟ ତଥା ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।
ସେହିଭଳି ସଖୀ ୱାନ-ଷ୍ଟପ କେନ୍ଦ୍ରର କାଉନସିଲର ଶ୍ରୀମତୀ ମୀନା କୁମାରୀ ଟହଲ , ଜନକଲ୍ୟାଣ ପ୍ରତିଷ୍ଠାନର ବିଉଟି ଲିମା , ଜନଶିକ୍ଷା ସଂସ୍ଥାନର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଭାଗବତ ପାଢ଼ୀ , ଚାଇଲଡ ଲାଇନର ଜିଲ୍ଲା ସଂଯୋଜକ ଶ୍ରୀ ନାଗେଶ୍ଵର ଚୌଧୁରୀ ଏବଂ ଶ୍ରୀମତୀ ମଞ୍ଜୁଳା ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ସଂଗଠନ ପକ୍ଷରୁ ମହିଳା ମାନଙ୍କ ପାଇଁ କଣ ଓ କିଭଳି କାର୍ଯ୍ୟକ୍ରମ ସବୁ କରୁଛନ୍ତି ଓ ସାମାଜିକ ଅଭିବୃଦ୍ଧି ହେବାରେ କେତେଦୂର ମହିଳା ମାନେ ସେଥିରେ ଉପକୃତ ହେଉଛନ୍ତି ତାହା ଅତି ଚୁମ୍ବକ ଭାବେ ଉପସ୍ଥିତ ସମସ୍ତ\’ଙ୍କୁ ଅବଗତ କରାଇଥିଲେ ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ୱାନ-ଷ୍ଟପ କେନ୍ଦ୍ରର ମୋହିନୀ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ଜନ ସଚେତନତା ପାଇଁ ବାଲ୍ୟ ବିବାହ ନ କରିବା ଓ ତାଦ୍ୱାରା ହେଉଥିବା କ୍ଷତି ସମ୍ବନ୍ଧୀୟ ସଚେତନତା ରେକର୍ଡ ଗୀତ ପରିବେଷଣ କରା ଯାଇଥିଲା ଏବଂ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା:- ଝୋଟି , ପିଠା , ହୁଳହୁଳି ପ୍ରଭୃତି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିବା ବେଳେ ଶେଷରେ ନବଜୀବନ ଟ୍ରଷ୍ଟର ଅନ୍ତେବାସୀ ଛାତ୍ରୀ ମାନଙ୍କ ଦ୍ଵାରା ରାଙ୍ଗାରଙ୍ଗ ବିଭିନ୍ନ ନୃତ୍ୟ ପରିବେଷଣ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଏଏନଏମ: , ଅଙ୍ଗନବାଡ଼ି , ଆଶା କର୍ମୀଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ମହିଳା କର୍ମୀ , ବିଭିନ୍ନ ଏସଏଚଜି: ର ମହିଳା ସଦସ୍ୟା , ଶିକ୍ଷୟତ୍ରୀ , ଛାତ୍ରୀ ଓ ପାରଳା ପୌର ପରିଷଦର ମହିଳା ସଫେଇ କର୍ମୀ ଯୋଗ ଦେଇଥିଲେ ।
ସମସ୍ତ କାର୍ଯ୍ୟ୍ୟକ୍ରମକୁ ଅନିତା ମିଶ୍ର , ସୁନିତା ରଥ , ପ୍ରଣତି ଦାସ , ମଞ୍ଜୁଳା ଚୌଧୁରୀ , ମୋହିନୀ ପ୍ରଧାନ , ମଧୁସ୍ମିତା ପାଢ଼ୀ ଓ ମୀନା କୁମାରୀ ଟହଲ , ମୋନାଲିସା ବେହେରା , ପି: ପୁଷ୍ପଲତା , ପି: ଯୋଗେଶ୍ୱରୀ , ନିରୁପମା ଜେନା , ଦିବ୍ୟ କୁମାର ସ୍ୱାର ଓ ହରିକୃଷ୍ଣ ଚୌଧୁରୀ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.