Odisha News

ଗଜପତି: ଜିଲ୍ଲାର ଆଦିବାସୀ ଝିଅ ତଥା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ଖେଳାଳୀ ଜ୍ୟୋତ୍ସ୍ନା ଶବରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ଵାଗତ ଓ ସମ୍ଭର୍ଦ୍ଧନା ଜ୍ଞାପନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୮: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ମାର୍ଲବା ପଞ୍ଚାୟତର ଆଦିବାସୀ ବହୁଳ ପେକଟ ଗ୍ରାମର ୧୫ ବର୍ଷୀୟ ଆଦିବାସୀ ଝିଅ ତଥା ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ଭାରୋତ୍ତଳନ ଚାମ୍ପିଅନସିପ ଖେଳରେ ମେଡାଲ ପୁରସ୍କାର ପ୍ରାପ୍ତ ସୁଶ୍ରୀ ଜ୍ୟୋତ୍ସ୍ନା ଶବରଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଭବ୍ୟ ସ୍ଵାଗତ ଓ ସମ୍ଭର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସ୍ଵାଗତ ସମ୍ଭର୍ଦ୍ଧାନା କାର୍ଯ୍ୟକ୍ରମକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ଖେଳରେ ମେଡାଲ ପୁରସ୍କାର ପ୍ରାପ୍ତ ସୁଶ୍ରୀ ଜ୍ୟୋତ୍ସ୍ନା ଶବର ତାଙ୍କ ବାପା କୀର୍ତ୍ତନ ଶବର ଓ ମାଆ ଗେଚ୍ଛମଣି ଶବରଙ୍କ ସହ ଆସିଥିବା ବେଳେ ତାଙ୍କୁ ପେକଟ ଗ୍ରାମରୁ ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣବାସି ନାୟକଙ୍କ ସମେତ ମାର୍ଲବା ସରପଞ୍ଚ ଜଳନ୍ଧର କାର୍ଜୀ, ସମିତିସଭ୍ୟା ଶ୍ରୀମତୀ ପାର୍ବତୀ ଭୂୟାଁ ଏବଂ ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ସହିତ ଆସିଥିଲେ ।
ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ମିଳିତ ଭାବେ ଜ୍ୟୋତ୍ସ୍ନା ଶବରଙ୍କୁ ତାଙ୍କର ପ୍ରତିଭା ଓ ଶ୍ରେଷ୍ଠ ଖେଳାଳୀ ପାଇଁ ତାଙ୍କୁ ଭବ୍ୟ ସ୍ଵାଗତ କରି ଅଭିନନ୍ଦନ ଜଣାଇବା ସହ ପୁଷ୍ପଗୁଚ୍ଛ ଓ ମାନପତ୍ର ସହ ସହାୟତା ରାଶି ୨୦ ହଜାର ଟଙ୍କାର ଏକ ଚେକ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ କହିଥିଲେ ଯେ , ଆମ ଜିଲ୍ଲା ପାଇଁ ଆଜି ଅତ୍ୟନ୍ତ ଖୁସି ଓ ଗର୍ବର ବିଷୟ । ଗଜପତି ଜିଲ୍ଲାର ଆଦିବାସୀ ବହୁଳ ପେକେଟ ଗ୍ରାମର ୧୫ ବର୍ଷୀୟ ଛୋଟ ଝିଅ ଜ୍ୟୋତ୍ସ୍ନା ଶବର ବିଭିନ୍ନ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରର ଭାରୋତ୍ତଳାନ ଚାମ୍ପିଅନସିପ ଖେଳରେ ଅଂଶଗ୍ରହଣ କରି ବହୁ ମେଡାଲ ପାଇ ପୁରସ୍କୃତ ହୋଇଛନ୍ତି ।
ବର୍ତ୍ତମାନ ସେ ପଞ୍ଜାବର ପଟିଆଲା ଠାରେ ଭାରୋତ୍ତଲନ ପ୍ରଶିକ୍ଷଣ ନେଇଛନ୍ତି। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭା ବଳରେ ଏତେ ସବୁ ମେଡାଲ ପୁରସ୍କାର ପାଇଥିବା ଜ୍ୟୋତ୍ସ୍ନା ଶବର ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ “କୀଟ”ରେ ୯ମ ଶ୍ରେଣୀରେ ପାଠ ପଢୁଛନ୍ତି । ତାଙ୍କୁ ଆଜି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ଅନ୍ୟପକ୍ଷରେ ଆଗାମୀ ଦିନରେ ତାଙ୍କର ଜାତୀୟ ଓ ଆନ୍ତର୍ଜାତୀୟ ଖେଳରେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାହା ଆବଶ୍ୟକତା ପଡ଼ିବ , ତାହା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ କହିଥିଲେ ।
ସେହିଭଳି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଭାରୋତ୍ତଳନ ଚାମ୍ପିଅନସିପ ଖେଳାଳୀ ସୁଶ୍ରୀ ଜ୍ୟୋତ୍ସ୍ନା ଶବର କହିଛନ୍ତି ଯେ , ସେ ଭାରୋତ୍ତଲନ ଏସିଆନ ଚାମ୍ପିଅନସିପ ଖେଳରେ ବ୍ରୋଞ୍ ମେଡାଲ , କମନ୍ ୱେଲଥ ଚାମ୍ପିଅନସିପରେ ଗୋଲ୍ଡ ମେଡାଲ , ୱାର୍ଲ୍ଡ ୟୁଥ୍ ଚାମ୍ପିଅନସିପରେ ବ୍ରୋଞ୍ଜ ମେଡାଲ , ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ରେ ସିଲଭର ମେଡାଲ , ୟୁଥ୍ ଜୁନିଅର ଚାମ୍ପିଅନସିପ ଖେଳରେ ଗୋଲ୍ଡ ମେଡାଲ ପାଇ ପୁରସ୍କୃତ ହୋଇଛନ୍ତି ।
ଆଗକୁ ଦେଶପାଇଁ ଆହୁରି ଅଧିକ ଓ ଉନ୍ନତ ମାନର ପ୍ରତିଭା ପ୍ରଦର୍ଶନ କରାଇବା ସହ ମୋର ସ୍ବପ୍ନ ଯେ , ଅଲିମ୍ପିକ୍ ଖେଳରେ ଅଂଶଗ୍ରହଣ କରି ଭାରତ ତଥା ରାଜ୍ୟ ତଥା ଗଜପତି ଜିଲ୍ଲା ପାଇଁ ଗୌରବ ଆଣିବି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାୟି ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.