Odisha News

ଗଜପତି: ଜିଲ୍ଲାରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭାକ୍ସିନ ଟୀକାକରଣ ଆରମ୍ଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୧: ଗଜପତି ଜିଲ୍ଲାର ୭ଟି ବ୍ଲକ ସମେତ ପାରଳାଖେମୁଣ୍ଡି ସହରର ୨ଟି ସ୍ଥାନରେ ଆଜିଠାରୁ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ନିମନ୍ତେ କୋଭାକ୍ସିନ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏହି କୋଭାକ୍ସିନ ଟୀକାକରଣ କାର୍ଯ୍ୟକ୍ରମ ସୋମବାର ଜିଲ୍ଲାର ମୋହନା, ରାୟଗଡା, ଆର୍ ଉଦୟଗିରି, ଗୁରାଣ୍ଡି, ଖଜୁରିପଦା, ଗୁମ୍ମା ଓ କାଶୀନଗର ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ସମେତ ପାରଳାଖେମୁଣ୍ଡି ସହରରେ ଥିବା ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ ଏବଂ ରୋଟାରୀ କ୍ଲବ ଠାରେ କୋଭାକ୍ସିନ ଟୀକା ଦିଆହୋଇଛି ।
ଜିଲ୍ଲାରେ ସୋମବାର ପ୍ରଥମ ଦିନରେ ୧୫ରୁ ୧୮ ବର୍ଷ ବୟସର ମୋଟ ପ୍ରାୟ ୩୩ ହଜାର ୬୦୦ ଜଣଙ୍କୁ ଏହି କୋଭାକ୍ସିନ ଟୀକାକରଣ କରାଇବାର ଲକ୍ଷଧାର୍ଯ୍ୟ ରହିଥିବା ବେଳେ ଆଜି ଏହି ବୟସର ପ୍ରାୟ ୧ ହଜାର ଜଣ ପିଲାଙ୍କୁ କୋଭାକ୍ସିନ ଟୀକା ଦିଆ ଯାଇଥିବା ଜଣାଯାଇଛି ।
କୋଭିଡ ଟୀକାକରଣ ଆରମ୍ଭ ହେବା ପ୍ରାୟ ଦେଢ ବର୍ଷ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୫ ରୁ ୧୮ବର୍ଷ ବୟସର ପିଲାଙ୍କୁ କୋଭିଡ ମହାମାରୀରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ କୋଭାକ୍ସିନ ଟୀକାକରଣ କରାଇବାର ସୁଯୋଗ ଦେଇ ଯେଉଁ ଐତିହାସିକ ପଦକ୍ଷେପ ନିଆଯାଇଛି , ସେଥିପାଇଁ ଆଜି କୋଭାକ୍ସିନ ଟୀକା ନେଇଥିବା ପିଲାମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସେମାନଙ୍କ କୃତଜ୍ଞତା ଓ ଧନ୍ୟବାଦ ଦେଇଛନ୍ତି ।
ପାରଳାଖେମୁଣ୍ଡି ସହରର ଟାଉନ ହଲ ପରିସରରେ ଥିବା ରୋଟାରୀ କମ୍ୟୁନିଟି ହଲ ଓ ଜିଲ୍ଲାମୁଖ୍ୟ ଚିକିସ୍ୟାଳୟ ଠାରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ନିମନ୍ତେ ୨ଟି କୋଭାକ୍ସିନ ଟୀକାକରଣ କେନ୍ଦ୍ର ହୋଇଥିବା ବେଳେ ସେଠାରେ ଏଡିଏମଓ(ପରିବାର କଲ୍ୟାଣ) ତଥା କୋଭିଡ ଟୀକାକରଣର ଜିଲ୍ଲା ନୋଡାଲ ଅଧିକାରୀ ଡାଃ ମହେନ୍ଦ୍ର କୁମାର ଭୂୟାଁ ଏବଂ ଡିଏମଆରସିଏଚ ଶ୍ରୀ ଶୁସାନ୍ତ ପ୍ରସାଦ ନାୟକଙ୍କ ଉପସ୍ଥିତି ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ବେଳେ ଏହି ବୟସର \’ଝିଅ ଓ ପୁଅ ମାନେ ଅତି ଆନନ୍ଦରେ ଟୀକାକରଣ କେନ୍ଦ୍ରକୁ ଆସି ଟୀକା ନେବାର ଦେଖାଯାଇଛି । ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସେମାନେ ୨ ଦିନ ପୂର୍ବରୁ ସ୍ଲଟ ବୁକିଙ୍ଗ କରି ଆଜି ନିର୍ଦ୍ଧାରିତ ଟୀକାକରଣ କେନ୍ଦ୍ରକୁ ଆସି ନାମ ପଞ୍ଜିକରଣ କରାଇ ଏବଂ ଆଧାର କାର୍ଡ ଦେଖାଇ କୋଭାକ୍ସିନ ଟୀକା ନେଇଥିଲେ ।
ତେବେ ଏହି ରୋଟାରୀ ହଲ ଠାରେ ଟୀକା ନେଇଥିବା ଜଣେ ଝିଅ ନିହାରିକା ରଥ ଏବଂ ଜଣେ ପୁଅ କାର୍ତ୍ତିକ ପାଣିଙ୍କ ସମେତ ଜିଲ୍ଲାମୁଖ୍ୟ ଚିକିସ୍ୟାଳୟ ଠାରେ ଏହି ଟୀକା ନେଇଥିବା ୨ ଜଣ ଝିଅ ମୋନିକା ପଣ୍ଡା ଏବଂ ମୋନାଲିଶା ପଣ୍ଡା ପ୍ରମୁଖ ସେମାନଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି ଯେ ଆମକୁ ଏହି କୋଭିଡ ଟୀକା ନେବାର ସୁଯୋଗ ମିଳିଥିବା ଯୋଗୁଁ ଆମେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛୁ ।
ଏହି ଟୀକା ନିରାପଦ ଓ ସୁରକ୍ଷିତ । ଆମେ ଟୀକା ନେଲୁ । କୋଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ସମସ୍ତେ ଏହି ଟୀକା ନିଅନ୍ତୁ ଏବଂ କରୋନା ମୁକ୍ତ ସମାଜ ଗଠନରେ ସହାୟକ ହୁଅନ୍ତୁ ବୋଲି କହିଛନ୍ତି ।

Related Posts

Seo wordpress plugin by www.seowizard.org.