Odisha News

ଗଜପତି: ଜିଲ୍ଲାରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ କାର୍ଯ୍ୟକ୍ରମ ଆରମ୍ଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୮: ଗଜପତି ଜିଲ୍ଲାରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଭୋଟର ମାନଙ୍କ ପରିଚୟ ଦୃଢ଼ୀକରଣ କରିବା ତଥା ଭୋଟର ତାଳିକାରେ ତଥ୍ୟ ବୈଧକରଣ କରିବା ହେଉଛି ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ।
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଏହି ପ୍ରକ୍ରିୟା\’ର ଆରମ୍ଭ କରିଥିଲେ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଏ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟତଃ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା , ଅନଳଆଇନ ମାଧ୍ୟମରେ ଆଧାର ତଥ୍ୟ ଦେବାପାଇଁ ପ୍ରୋତ୍ସାହିତ କରିବା , ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରିବା ପ୍ରଭୃତି ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।
ଭାରତର ନିର୍ବାଚନ ଆୟୋଗ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ତା:-୧/୮/୨୦୨୨ ଠାରୁ ତା:- ୩୧/୩/୨୦୨୩ ରିଖ ପର୍ଯ୍ୟନ୍ତ ଏହି ସଂଯୋଗୀକରଣ ପ୍ରକ୍ରିୟାର ପଦକ୍ଷେପ ଆରମ୍ଭ ହୋଇଛି ।
ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ନାମ ପଞ୍ଜିକରଣ ଓ ଚି଼ହ୍ନଟ ସହଜ ହୋଇପାରିବ ।
ଅନ୍ୟପକ୍ଷରେ ଭୋଟର ତାଲିକା ସହ ଆଧାର ନମ୍ବର ସଂଯୋଗୀକରଣ ବାଧ୍ୟତା ମୂଳକ ନୁହେଁ , କିନ୍ତୁ ଭୋଟର ମାନେ ସ୍ବେଛାକୃତ ଭାବେ ଭୋଟର ତାଲିକାରେ ଆଧାର ନମ୍ବର ସଂଯୋଗ କରିପାରିବେ ।
ଯୋଗ୍ୟ ବିବେଚିତ ଭୋଟର ଅନଲାଇନ ବା ଅଫଲାଇନ ମାଧ୍ୟମରେ ନିଜେ ଆବେଦନ କରିପାରିବେ । ଜଣେ ଅଫଲାଇନ(ଇରୋ-ନେଟ) , ଅନଲାଇନ (ଗରୁଡ଼ ଆପ ) ବୁଥସ୍ତରୀୟ ଅଧିକାରୀଙ୍କ ଠାରେ , ଭୋଟର ହେଲ୍ପ ଲାଇନ ଆପରେ , ଭୋଟର ପୋର୍ଟାଲ , ନେସନାଲ ଭୋଟର ସର୍ଭିସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ବୋଲି ସୂଚନା ଦିଆଯାଇଛି
ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କହିଥିଲେ ଯେ , ପ୍ରତିବର୍ଷ ଜାନୁଆରି ୧ ତାରିଖକୁ ଯୋଗ୍ୟ ବିବେଚିତ ତାରିଖ ଭାବେ ଗ୍ରହଣ କରି ଭୋଟର ତାଲିକା ପ୍ରସ୍ତୁତ କରା ଯାଉଥିଲା , କିନ୍ତୁ ବର୍ତ୍ତମାନ ନିର୍ବାଚନ ଆୟୋଗ ଏ ଦିଗରେ ଚାରୋଟି ଯୋଗ୍ୟ ତାରିଖ ଯଥା:- ପ୍ରତିବର୍ଷର ଜାନୁଆରି , ଏପ୍ରିଲ , ଜୁଲାଇ ଓ ଅକ୍ଟୋବର ମାସର ୧ ତାରିଖକୁ ଯୋଗ୍ୟ ତାରିଖ ଭାବେ ଗ୍ରହଣ କରିଛନ୍ତି ।
ତେଣୁ ଜଣେ ଭୋଟର ନିଜର ବୟସ ୧୮ ବର୍ଷ ବୟସରେ ପଦାର୍ପଣ କଲେ ସେ ନିଜର ନାମକୁ ଭୋଟର ତାଳିକାରେ ଯୋଗ କରିବା ସୁଗମ ହେବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା , ସୂଚନା ଦେଇ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡିଏମ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଡେପୁଟି ନିର୍ବାଚନ ଅଧିକାରୀ ଶ୍ରୀ ଅଚ୍ୟୁତା ନନ୍ଦ ଜାନୀ ପ୍ରମୁଖ ମଞ୍ଚାସିନ ଅଧିକାରୀ ଭାବେ ଯୋଗଦେଇ ଏହାର ବ୍ୟାପକତା ଦିଗରେ ସହଯୋଗ କରିବା ପାଇଁ ସମସ୍ତ ଲୋକ ପ୍ରତିନିଧି , ଗଣ-ମାଧ୍ୟମ ପ୍ରତିନିଧି , ବୁଦ୍ଧିଜୀବୀ , ଛାତ୍ରଛାତ୍ରୀ , ଭୋଟର ଓ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଆହ୍ବାନ କରିବାକୁ ସହ ସହଯୋଗ କାମନା କରିଥିଲେ । ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ଗଣ ମାଧ୍ୟମର ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.