Odisha News

ଗଜପତି: କାଶୀନଗର ଠାରେ ସୁନେତ୍ର ଯୋଜନାରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୯/୧୦: ରାଜ୍ୟ ସରକାରଙ୍କ ଓ.ପେ.ପା: ବିଭାଗ ସହାୟତାରେ କାଶୀନଗର ବ୍ଲକ ଶିକ୍ଷାଧିକାରୀଙ୍କ ଆନୁକୁଲ୍ୟରେ ସରକାରଙ୍କ ସୁନେତ୍ର ଯୋଜନାରେ କାଶୀନଗର ଏନଏସି: ଅଧୀନସ୍ଥ ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପାଠ ପଢା -ଲେଖାରେ ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁରେ ଯେଭଳି କୌଣସି ପ୍ରକାର ଅସୁବିଧା ନ ହୁଏ , ସେଥିପ୍ରତି ଦୃଷ୍ଟି ଦେଇ ସରକାରଙ୍କ ପକ୍ଷରୁ ଏହି ସୁନେତ୍ର ଯୋଜନାର ପରିକଳ୍ପନା କରାଯାଇ ପାଠ ପଢୁଥିବା ଶିଶୁ ମାନଙ୍କ ଚକ୍ଷୁ ପରୀକ୍ଷା ବ୍ୟବସ୍ଥା କରାଯାଉଛି ।
ଏହି ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ମୋଟ ୧୮୫ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରା ଯାଇଥିଲା । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡ଼ାଃ ଦୁଃଖୀ ରାମ ସିଂ ଓ ତାଙ୍କ ସହାୟତା ଦଳଙ୍କ ମାଧ୍ୟମରେ ଶିଶୁ ମାନଙ୍କ ଚକ୍ଷୁ ପରୀକ୍ଷା କରା ଯାଇଥିଲା ।
ପରୀକ୍ଷା ବେଳେ କୌଣସି ଛାତ୍ରଛାତ୍ରୀଙ୍କ ଯଦି କୌଣସି ପ୍ରକାର ଚକ୍ଷୁ ସମସ୍ୟା ଦେଖାଦିଏ ତେବେ ସେଥିପାଇଁ ଆବଶ୍ୟକ ସ୍ଥଳେ ମାଗଣାରେ ସେମାନଙ୍କୁ ଚଷମା ଓ ଔଷଧ ସହ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇଦେବା ବ୍ୟବସ୍ଥା ମଧ୍ୟ ହୋଇଛି ।
ଏଥି ସମେତ କାଶୀନଗର ବ୍ଲକର ରାଣୀପେଣ୍ଠା ପଞ୍ଚାୟତ ଠାରୁ ଆରମ୍ଭ କରି ଖାଣ୍ଡବା ପଞ୍ଚାୟତ ପର୍ଯ୍ୟନ୍ତ ସମସ୍ତ ୧୨ ଗୋଟି ପଞ୍ଚାୟତ ଅଞ୍ଚଳରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏହି ସୁନେତ୍ର ଯୋଜନାରେ ଚକ୍ଷୁ ପରୀକ୍ଷା ପାଇଁ କଭର ତଥା ସାମିଲ କରାଯିବ ବୋଲି କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ (ପିଏଚଇଓ:) ଶ୍ରୀମତୀ ସଂଯୁକ୍ତା ଜେନା କହିଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ଶିଆଳି ସିଆରସିସି: ଶ୍ରୀ ମୋହନ ରାଓ ଏବଂ କାଶୀନଗର ଏନଏସି: ର ସିଆରସିସି: ଶ୍ରୀ ଗୋପାଳ ରାଓଙ୍କ ସମେତ ଶିକ୍ଷକ ଶ୍ରୀ ମାଗତା ଶବର ଓ ଶ୍ରୀ ଅମନ ମଙ୍ଗରାଜ ପ୍ରମୁଖ ଏହି ଶିବିର ପରିଚାଳନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ସୁନେତ୍ର ଯୋଜନା ଅନ୍ତର୍ଗତରେ ଏହି ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ କାଶୀନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଠାରେ ଅନୁଷ୍ଠିତ ହୋଇଥିଲା ।
ପ୍ରଥମେ ୫ଟି ଶିକ୍ଷା କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଚକ୍ଷୁ ସ୍କ୍ରିନିଂ ଟେଷ୍ଟ କରାଯିବା ପରେ କାଶୀନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କାଶୀନଗର ଏନଏସି: ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା କରା ଯାଇଥିଲା ।

Related Posts

Seo wordpress plugin by www.seowizard.org.