ଗଜପତି : କର୍କଟ ରୋଗ ନିରାକରଣକୁ ନେଇ ସଚେତନ ହେଲେ ଛାତ୍ରଛାତ୍ରୀ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୬/୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର , ମାତୃପୀଠ ଠାରେ ବିଶ୍ଵ କର୍କଟ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କାଶୀନଗରର ହୋମିଓପାଥି ମେଡିକାଲ ଅଫିସର ଡାକ୍ତର ଜି. ବେଦ ବିକାଶ କର୍କଟ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ତଥା ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର ଗୁଟଖା , ସିଗାରେଟ ତଥା ମାଦକ ଦ୍ରବ୍ୟ ସେବନର ଅପକାରିତା ଓ ସେ ସମ୍ବନ୍ଧୀୟ ରହିଥିବା ଆଇନ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଜଣାଇଥିଲେ ।
ସେହିପରି ଜିଲ୍ଲା ନ୍ୟାୟାଳୟର ନବ ନିଯୁକ୍ତ ସ୍ପେଶଲ୍ ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ଗୌରହରି କରସୁଧା ପଟ୍ଟନାୟକ ଦିବସର ଉଦ୍ଧେଶ୍ୟକୁ ନେଇ ସ୍ୱରଚିତ ଗୀତ ମାଧ୍ୟମରେ ସମସ୍ତଙ୍କୁ ଭବିଷ୍ୟତରେ ନିଶା ଦ୍ୱାରା ପରିଚାଳିତ ହୋଇ କୁପଥରେ ନ ଯାଇ ଉତ୍ତମ ନାଗରିକ ହୋଇ ସର୍ବଶ୍ରେଷ୍ଠ ରାଷ୍ଟ୍ର ନିର୍ମାଣରେ ହାତ ବଢାଇବାକୁ ଶପଥ କରାଇଥିଲେ।
ସର୍ବଶେଷରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳୀ ଦାସ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ଅନୁଷ୍ଠାନର ସମସ୍ତ ସଭ୍ୟସଭ୍ୟା ତଥା ପିଲାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




