Odisha News

ଗଜପତି : ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପବିତ୍ର “ମହେନ୍ଦ୍ର ତନୟା” ନଦୀରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ବୋଇତ ବନ୍ଦାଣ ତଥା ଡଙ୍ଗା-ଭଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୧୧: ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳର ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଓ “ବୋଇତ-ବନ୍ଦାଣ” ତଥା “ଡଙ୍ଗା-ଭଷା” କାର୍ଯ୍ୟକ୍ରମ ପାରମ୍ପରିକ ଶ୍ରଦ୍ଧା ଓ ଭକ୍ତିର ସହ ଉତ୍ସବ ମୁଖର ହୋଇ ଉଠିଛି ।
ଓଡ଼ିଶାର ଇତିହାସ ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳନ କରାଯାଇଛି ଏହି ପବିତ୍ର ବୋଇତ ବନ୍ଦାଣ ବା ଡଙ୍ଗା-ଭଷା କାର୍ଯ୍ୟକ୍ରମ ।
ଓଡିଶା-ଆନ୍ଧ୍ର ସୀମାନ୍ତରେ ଥିବା ପବିତ୍ର ମହେନ୍ଦ୍ର ତନୟା ନଦୀରେ “ବୋଇତ ବନ୍ଦାଣ” ଅବସରରେ ଚଳିତ ଥର ୫୦ ହଜାରରୁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇ ବୋଇତ ବନ୍ଦାଣ କାର‌୍ୟ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଏଥି ସମେତ ପାରଳା ସହରର ବିଭିନ୍ନ ପ୍ରତିଷ୍ଠିତ ପୋଖରୀ ଯଥା ସଦାରାମ ପୋଖରୀ , ପଟନାୟକ ବନ୍ଧ ଓ ଅନ୍ୟାନ୍ୟ ପୋଖରୀ ଗୁଡିକରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ବୋଇତ ବନ୍ଦାଣ କରିଥିଲେ ।
ଗତ ୨ ବର୍ଷଧରି କୋଭିଡ କଟକଣା ଯୋଗୁଁ ନଦୀ ଓ ପୋଖରୀ ମାନଙ୍କରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମକୁ ପ୍ରଶାସନିକ ସ୍ତରରେ ସମ୍ପୂର୍ଣ୍ଣ ବାରଣ କରା ଯିବା ସହ ସେଠାକୁ ଯିବା ପାଇଁ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରା ଯାଇଥିଲା , ଯାହା ଫଳରେ ବୋଇତ ବନ୍ଦାଣ ତଥା ଡଙ୍ଗା-ଭଷା କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।
ତେବେ ଚଳିତ ଥର କୋଭିଦ୍ କଟକଣା ଆଉ ନ ଥିବା ଯୋଗୁଁ ଶ୍ରଦ୍ଧାଳୁ ମାନେ ବେଶ୍ ଆନନ୍ଦ ଓ ଉତ୍ସାହ ମଧ୍ୟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ ।
ଏହି ଅବସରରେ ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ଥିବା ପବିତ୍ର ମହେନ୍ଦ୍ର ତନୟା ନଦୀ , ବିଭିନ୍ନ ପୋଖରୀ ଓ ଦେବାଳୟ ଗୁଡ଼ିକର ପରିସର ଚଳ-ଚଞ୍ଚଳ ଓ ଉତ୍ସବ ମୁଖର ହୋଇ ଉଠି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।
ଶ୍ରଦ୍ଧାଳୁ ମାନେ ପବିତ୍ର ମହେନ୍ଦ୍ର ତାନୟା ନଦୀ ସମେତ ସହରରେ ଥିବା ସଦାରାମ ବନ୍ଧ, ଦୋଳବନ୍ଧ , ମତ୍ସ୍ୟବିଭାଗ ଓ ପଟନାୟକ ବନ୍ଧ ପ୍ରଭୃତି ଠାରେ ପାରମ୍ପରିକ ରୀତିନୀତି ଓ ପୂଜାର୍ଚ୍ଚନା ପ୍ରକାରେ , ବୁଡ଼ ପକାଇ ନୂତନ ବସ୍ତ୍ର ପରିଧାନ କରି ବୋଇତ ବନ୍ଦାଣ ତଥା ଡ଼ଙ୍ଗାଭଷା କରିଥିଲେ ।
ଚଳିତ ଥର ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଓ ବୋଇତ ବନ୍ଦାଣ ଉତ୍ସବ ସାଙ୍ଗକୁ ନିର୍ଦ୍ଧାରିତ ସମୟରେ ଚନ୍ଦ୍ର ଗ୍ରହଣ ପଡ଼ୁଥିବା ଏବଂ ଜଗନ୍ନାଥ ମନ୍ଦିରରେ ଠାକୁର ମାନଙ୍କ ଆଳତି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ବିଳମ୍ବିତ ରାତି ୩ ଟା ସମୟରେ ଥିବା ଯୋଗୁଁ ଏହି ଅବସରରେ ବିଳମ୍ବିତ ରାତି ଠାରୁ ହିଁ ସମଗ୍ର ସହର ଚଳଚଞ୍ଚଳ ହୋଇ ଉଠିଥିଲା ।
ପରେ ଉପାନ୍ତ ତଥା ମହେନ୍ଦ୍ର ଶ୍ରୀ କ୍ଷେତ୍ର ପାରଳାଖେମୁଣ୍ଡି ସହରର ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ଆଳତି ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ସମାଗମ ହୋଇଥିଲା । ଏଥି ସହିତ ବିଭିନ୍ନ ଦେବାଳୟ ଗୁଡିକରେ ମଧ୍ୟ ଠାକୁର ଓ ଆଳତି ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଥିଲା । ।

Related Posts

Seo wordpress plugin by www.seowizard.org.