Odisha News

ଗଜପତି:ଜିଲ୍ଲାରେ ୮୨୮୧ ଜଣ ଦଶମ ମେଟ୍ରିକ ଶ୍ରେଣୀର ଛାତ୍ରଛାତ୍ରୀ ୩୫ଟି କେନ୍ଦ୍ରରେ ଏସଏ:-ପାର୍ଟ-୧ ପରୀକ୍ଷା ଦେଉଛନ୍ତି

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୬/୧: ସମଗ୍ର ଗଜପତି ଜିଲ୍ଲାରେ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ୧୦ମ ମେଟ୍ରିକ ଶ୍ରେଣୀ ଏସ୍ଏ-୧ ପରୀକ୍ଷା କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି । ଏହି ପରୀକ୍ଷା ୪ଦିନ ପାଇଁ ଚାଲୁ ରହିବ ।
ଗଜପତି ଜିଲ୍ଲାରେ ମୋଟ ୩୫ ଗୋଟି ପରୀକ୍ଷା କେନ୍ଦ୍ରରେ ଏହି ୧୦ମ ଶ୍ରେଣିର ଏସ୍ଏ-୧ ପରୀକ୍ଷାରେ ସମଗ୍ର ଜିଲ୍ଲାରୁ ମୋଟ ୮୨୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏହି ପରିକ୍ଷା ପରିଚାଳନା ପାଇଁ ୪ ଗୋଟି ନୋଡାଲ ସେଣ୍ଟର ଖୋଲାଯାଇଛି ।
ପାରଳାଖେମୁଣ୍ଡି ସହରରେ ଥିବା ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ , ବାଳିକା ଉଚ୍ଚ ବିଦ୍ୟାଳୟ , ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ପ୍ରଭୃତିରେ ଶାନ୍ତି ଶୃଙ୍ଖଳାର ସହ କୋଭିଡ କଟକଣା ମାନି ଅତି ସାବଧାନତାର ସହ ଖୁସିରେ ପରୀକ୍ଷା ଦେଉଛନ୍ତି ଓ ପରୀକ୍ଷା ମଧ୍ୟ ଭଲ କରିଛନ୍ତି ବୋଲି ଏହି ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ୨ ଜଣ ଛାତ୍ରୀ ପ୍ରକାଶ କରିଛନ୍ତି ।
ପାରଳାଖେମୁଣ୍ଡି ମହାରାଜା ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ନୋଡାଲ ସୁପରିନଟେଣ୍ଡେଣ୍ଟ ଡ଼ଃ ବୃଷକେତୁ ଦାସ କହିଛନ୍ତି, ସକାଳ ୧୦ଘଣ୍ଟା ଠାରୁ ଏହି ପରିକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲୁଛି । ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ଭାବେ ପରୀକ୍ଷା ଅନୁଷ୍ଠିତ ହୋଇଛି । ନୋଡାଲ ସେଣ୍ଟର ଭାବେ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରକୁ ଠିକ ସମୟରେ ଏବଂ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ଯୋଗାଇ ଦିଆଯାଉଛି ।
ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ଓ କୋଭିଡ କଟକଣା ମଧ୍ୟରେ ପରୀକ୍ଷା ହେବା ସହ ପିଲାଙ୍କୁ ସେନିଟାଇଜ ଓ ଥର୍ମାଲ ଟେଷ୍ଟିଙ୍ଗ କରି ପରୀକ୍ଷା ହଲକୁ ଛଡ଼ାଯାଉଛି । ପରୀକ୍ଷା ହଲରେ ପିଲାମାନେ ମାସ୍କପିନ୍ଧି ସାମାଜିକ ଦୂରତା ବଜାୟ ରଖି ପରୀକ୍ଷା ଦେଉଛନ୍ତି ବୋଲି ଡ଼ଃ ଦାସ କହିଛନ୍ତି ।

Related Posts

Seo wordpress plugin by www.seowizard.org.