Odisha News

ଗଛ କାଟିବାକୁ ଅନୁମତି ମିଳୁନି; ବସିପାରୁନି ୫୮ ଟାୱାର୍, ସିର୍ତ୍ତିଗୁଡ଼ା ବିଦ୍ୟୁତ୍ ଗ୍ରିଡ୍ ୭ ବର୍ଷ ହେଲା ଅଟକିଛି

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧/୩: କନ୍ଧମାଳ ଜିଲ୍ଲାରେ ଲାଗି ରହିଥିବା ବିଜୁଳି ସମସ୍ୟାର ସମାଧାନ ପାଇଁ ୭ ବର୍ଷ ତଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ର ସିର୍ତ୍ତିଗୁଡ଼ାଠାରେ ୧୦୨ କୋଟି ଟଙ୍କାର ଏକ ବୃହତ୍ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ୭ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରିଡ୍ ଷ୍ଟେସନ ନିର୍ମାଣ ଅଧାରେ ଅଟକି ରହିଛି ।

କଳାହାଣ୍ଡି ଜିଲ୍ଲାର କେସିଙ୍ଗାରୁ ବିଦ୍ୟୁତ୍ ଆଣି କନ୍ଧମାଳ ଜିଲ୍ଲାର ୯ଟି ବ୍ଲକକୁ ଯୋଗାଣ ନିମନ୍ତେ ଏହି ଗ୍ରିଡ୍ ଷ୍ଟେସନ ନିର୍ମାଣ ହୋଇଛି। ଏଥିପାଇଁ ଆବଶ୍ୟକ ୩୮୨ଟି ଟାୱାର ମଧ୍ୟରୁ ୩୨୪ଟି ଟାୱାର ମଧ୍ୟ ବସିସାରିଛି । ବଳକା ୫୮ଟି ଟାୱାର ପାଇଁ ଗଛକଟା ପ୍ରତିବନ୍ଧକ ସାଜିଛି । ଏଥିପାଇଁ ଆନୁମାନିକ ୭୦ ହଜାରରୁ ଅଧିକ ଗଛ କଟାଯିବାକୁ ପଡୁଥିବାରୁ ବନ ବିଭାଗ ପକ୍ଷରୁ ଅନୁମତି ଲୋଡ଼ାଯାଇଛି । କିନ୍ତୁ ଅନୁମତି ମିଳୁ ନଥିବାରୁ ପ୍ରକଳ୍ପଟି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହା ଫଳରେ କନ୍ଧମାଳ ଜିଲ୍ଲାରେ ପାଞ୍ଚ ଦଶନ୍ଧି ତଳେ ଯେଉଁ ଲୋ-ଭୋଲ୍ଟେଜ୍ ସମସ୍ୟା ଥିଲା ତାହା ଆଜି ବି ପରିଲକ୍ଷିତ ହେଉଛି। ବିଜୁଳି କାଟ୍ ଏକ ସାଧାରଣ କଥା। ପ୍ରତି ମୁହୂର୍ତ୍ତରେ ଏଠାରେ ବିଜୁଳି କାଟ ହୋଇଥାଏ। ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ୯ଟି ବ୍ଲକ୍ରେ ବିଜୁଳି ସେବା ରେ ଉନ୍ନତି ଆଣିବା ପାଇଁ ସିର୍ତ୍ତିଗୁଡ଼ାଠାରେ ଏହି ଗ୍ରିଡ୍ ସବ୍ଷ୍ଟେସନ (୨୨୦/୩୩ କେଭି) ନିର୍ମାଣ ହୋଇଥିଲା।
ଗତ ୨୦୧୬ ମସିହାରେ ୧୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଟି ଆରମ୍ଭ ହୋଇଥିଲା। ୨୦୧୮ ମାର୍ଚ୍ଚ ମାସରୁ ଏହି ଗ୍ରିଡ୍ରୁ କନ୍ଧମାଳର ୯ଟି ବ୍ଲକ ବାସିନ୍ଦାଙ୍କୁ ନିରବଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲକ୍ଷ୍ୟ ରଖାଯାଇଥିଲା। ଏହି ଗ୍ରିଡ୍ କାର‌୍ୟ୍ୟକ୍ଷମ ହେଲେ ବାଲିଗୁଡ଼ା, କୋଟଗଡ଼, ତୁମୁଡ଼ିବନ୍ଧ, କେ.ନୂଆଗାଁ, ଦାରିଙ୍ଗବାଡ଼ି, ରାଇକିଆ, ଘୁ.ଉଦୟଗିରି ଓ ଟିକାବାଲି ବ୍ଲକବାସୀ ଉପକୃତ ହେବେ ।

ଗ୍ରିଡ୍ ଷ୍ଟେସନ ନିର୍ମାଣ କାର‌୍ୟ୍ୟ ବହୁ ବାଟ ଆଗେଇ ଯାଇଥିଲେ ମଧ୍ୟ ବହୁମାସ ଧରି କାମ ବନ୍ଦ ହୋଇରହିଛି। କେସିଙ୍ଗାରୁ କ.ନୂଆଗାଁ ମଧ୍ୟରେ ଟାୱାର ସ୍ଥାପନ ପାଇଁ କେତେକ ସ୍ଥାନରେ ପାହାଡ଼ ଖୋଳିବାର ଆବଶ୍ୟକତା ପଡୁଥିବାବେଳେ ବହୁ ସଂଖ୍ୟାରେ ଗଛ କାଟିବା ଦରକାର ପଡୁଛି। ଟାୱାର ପ୍ରତିଷ୍ଠା ପାଇଁ କେତେକ ପ୍ରଭାବଶାଳୀ ଲୋକଙ୍କ ଘରୋଇ ଜମିର ମଧ୍ୟ ଆବଶ୍ୟକତା ପଡ଼ୁଛି। ଏହିସବୁ ପ୍ରତିବନ୍ଧକ ଯୋଗୁ ଏହି ଗ୍ରିଡ୍ ପ୍ରତିଷ୍ଠା ଏବେ ସ୍ବପ୍ନ ପାଲଟିଛି। ଗ୍ରିଡ୍ ଷ୍ଟେସନର ଶତକଡ଼ା ୮୦ ପ୍ରତିଶତ ନିର୍ମାଣ କାମ ଶେଷ ହୋଇଥିଲେ ମଧ୍ୟ ଏହା କାର‌୍ୟ୍ୟକ୍ଷମ ହୋଇପାରୁନାହିଁ। ଏଥିନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି।

Related Posts

Seo wordpress plugin by www.seowizard.org.