Odisha News

କୋଭିଡ୍ ସ୍ଥିତି ସମୀକ୍ଷା: ସ୍ଥିତି ଚିନ୍ତାଜନକ ନୁହେଁ, କଟକଣା ଲାଗୁ ହେବନି, ସରକାର ସଜାଗ

ଭୁବନେଶ୍ବର,୨୮/୧୨ : ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଆରଏମଆରସିର ଅଧିକାରୀ, ଏମ୍ସ ଓ ଆଇଏଲଏସର ପ୍ରଫେସର, ଗୋଷ୍ଠୀ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯୋଗଦେଇଥିଲେ ।
ଏହି ବୈଠକ ପରେ ଗଣମାଧ୍ୟମକୁ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା କମି କମି ଚାଲିଛି । ଭାରତରେ ଦିନକୁ ୧ ଶହରୁ ୨ ଶହ ମଧ୍ୟରେ ସଂକ୍ରମଣ ମାମଲା ରହୁଥିବାବେଳେ ଓଡ଼ିଶାରେ ତାହା ମାତ୍ର ୫ରୁ ୭ ମଧ୍ୟରେ ରହୁଛି । ଗତ ୩ ମାସ ହେଲା ଏପରି ସ୍ଥିତି ରହିଛି । ଓଡିଶାରେ ସଂକ୍ରମଣ ହାର ଓ ପଜିଟିଭିଟି ହାର କମ ରହିଛି । ଓଡ଼ିଶାରେ ଟେଷ୍ଟିଂ ହାର ଜାତୀୟ ସ୍ତର ଅପେକ୍ଷା ଅଧିକ ରହିଛି । ରାଜ୍ୟରେ ଅଧାରୁ ଅଧିକ ଆରଟିପିସିଆଇର ଟେଷ୍ଟ କରାଯାଉଛି ଓ ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟିଂ ଲାବ ରହିଛି । ଦିନକୁ ୬ରୁ ୭ ହଜାର ଟେଷ୍ଟିଂ ପ୍ରତିଦିନ କରାଯାଉଛି । ଏତେ ଟେଷ୍ଟ ହେଉଥିଲେ ବି ମାତ୍ର ୫ରୁ ୭ କୋଭିଡ୍ ପଜିଟିଭ ଚିହ୍ନଟ ହେଉଛନ୍ତି । ଏଣୁ ରାଜ୍ୟରେ ପଜିଟିଭିଟି ରେଟ ମାତ୍ର ୦.୦୪ ପ୍ରତିଶତ ରହିଛି । ଜାତୀୟସ୍ତରରେ ଏହା .୩ ପ୍ରତିଶତ ରହୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ କଟକଣା ଲଗାଯାଇନାହିଁ । ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଉନାହିଁ । ବର୍ତ୍ତମାନ ପାଇଁ କୌଣସି କଟକଣା, ଜୋରିମାନା, ଦଣ୍ଡ ଆଦି ଲଗାଯାଇ ନାହିଁ । କିନ୍ତୁ ଲୋକମାନଙ୍କୁ କେବଳ ପରାମର୍ଶ ଦିଆଯାଉଛି ଯେ ସେମାନେ ଗହଳି ସ୍ଥାନକୁ ଗଲେ ନିଜର ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ
ଆଜିର ସମୀକ୍ଷାରୁ ଜଣାଯାଇଛି ଆଗକୁ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ରାଜ୍ୟର ବିଭିନ୍ନ ହସପିଟାଲ ଓ ମେଡିକାଲ କଲେଜରେ ଯଥେଷ୍ଟ ପରିମାଣରେ ଔଷଧ, କିଟ୍ ଓ ଅକ୍ସିଜେନ ମହଜୁଦ ଅଛି ।
ଏହି ସମୀକ୍ଷା ବେଳେ ବିଶେଷଜ୍ଞମାନେ କହିଥିଲେ ଯେ ଚୀନ ପରି ପରିସ୍ଥିତି ଭାରତରେ ହେବାର ଆଶଙ୍କା କମ । କାରଣ ସେଠାରେ ଓମିକ୍ରନର ଯେଉଁ ଭାରିଆଣ୍ଟ ଆତଙ୍କ ସୃଷ୍ଟି କରିଛି ସେହି ଭାରିଆଣ୍ଟ ଗତ କିଛି ମାସ ହେଲା ଭାରତରେ ବି ଅଛି । କିନ୍ତୁ ଆମ ଦେଶରେ ତାହାର କୌଣସି ପ୍ରଭାବ ପଡ଼ୁନାହିଁ । ଏହାର କାରଣ ହେଉଛି ଆମ ଦେଶର ୯୦ ପ୍ରତିଶତରୁ ଅଧିକ ଲୋକ ଟିକା ନେଇସାରିଛନ୍ତି । ଏଣୁ ଚୀନ ପାଇଁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ପଣ୍ଡିତ କହିଛନ୍ତି ।

Related Posts

Seo wordpress plugin by www.seowizard.org.