Odisha News

କାଲି କଟକରେ ରୋଡ୍ ଶୋ’ କରିବେ ଅମିତ ଶାହ

ଭୁବନେଶ୍ବର, ୧୪/୫: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଆଗରୁ ରାଉରକେଲା ଓ କଣ୍ଟାବାଞ୍ଜିରେ ଅମିତ ଶାହଙ୍କର ନିର୍ବାଚନୀ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା।
ହେଲେ ଏବେ ସେ ଆସନ୍ତାକାଲି (୧୫ ତାରିଖ) ଓଡ଼ିଶା ଗସ୍ତରେ ଆସି ସୋରଡ଼ା ଓ ବୌଦ୍ଧରେ ସାଧାରଣ ସଭାରେ ଯୋଗ ଦେବେ ବୋଲି ଜଣାଯାଇଛି। ଏହାଛଡ଼ା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଟକରେ ରୋଡ୍ ସୋ କରିବେ।
ଅମିତ ଶାହଙ୍କ ରୋଡ ସୋ ବକ୍ସି ବଜାରର ଗୋପବନ୍ଧୁ ପାର୍କ ନିକଟରୁ ବାହାରି ବକ୍ସି ବଜାର, ତିନିକୋଣିଆ ବଗିଚା, ନୟାସଡ଼କ, ବାଲୁ ବଜାର, ଚାନ୍ଦିନୀଚୌକ, ମହମ୍ମଦିଆ ବଜାର ଓ ଶେଖ ବଜାର ଦେଇ ଚଣ୍ଡୀ ମନ୍ଦିର ଯାଏ ହେବ ବୋଲି ସୂଚନା ରହିଛି।
ସୂଚନାଯୋଗ୍ୟ, ଗତ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସୋନପୁରରେ ନିର୍ବାଚନ ବିଗୁଲ୍ ବଜାଇଥିଲେ। ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଥିଲେ। ରାମେଶ୍ବର ଷ୍ଟାଡିୟମ୍ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶାହ କହିଥିଲେ, ଓଡ଼ିଶାରେ ଖଣିଜ ସଂପଦ ପ୍ରଚରୁ ରହିଛି। ସବୁଠାରୁ ଅଧିକ ପାଣି ରହିଛି।
ତଥାପି ଓଡ଼ିଶାର ବିକାଶ ହୋଇପାରୁ ନାହିଁ। ଓଡ଼ିଶାର ଜନତା ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଉଛନ୍ତି। ଭାରତୀୟ ଜନତା ପାର୍ଟିର ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ। ଲୋକଙ୍କୁ ଏଠାରେ ରୋଜଗାର ମିଳିବ।
ଶ୍ରୀ ଶାହ କହିଥିଲେ, କେନ୍ଦ୍ର ସରକାର ଯେତିକି ଟଙ୍କା ଦେଉଛନ୍ତି, ରାଜ୍ୟ ସରକାର ତାହା ବିନିଯୋଗ କରିପାରୁ ନାହିଁ। ଭାରତୀୟ ଜନତା ପାର୍ଟିର ସରକାର ପ୍ରତ୍ୟେକ ଘରକୁ ପାଣି ଯୋଗାଇବ।
ନବୀନ ସରକାରଙ୍କୁ ଡର ଯେ, ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁହେଲେ ରାଜ୍ୟ ସରକାରଙ୍କ ଲୋକପ୍ରିୟତା କମି ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ିଯିବ। ଓଡ଼ିଶାର ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ ବିଜେପି ସରକାର ଆସିବାର ଅଛି। ବିଜେପି ମାତ୍ର ୫ ବର୍ଷ ମଧ୍ୟରେ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିପାରିବ। ଆମେ ଲୁଗା କାରଖାନା କରି କପାଚାଷୀଙ୍କ ବିକାଶ କରିବୁ। କେନ୍ଦ୍ରର ଅନୁଦାନକୁ ରାଜ୍ୟ ସରକାର ନିଜର ଫଟୋ ଦେଇ ଲୋକପ୍ରିୟତା ହାସଲ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ଶାହ କହିଥିଲେ।

Related Posts

Seo wordpress plugin by www.seowizard.org.