Odisha News

କନ୍ଧମାଳ ହଳଦୀ ଦେଖି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କଫି ପ୍ୟାକେଟ୍ ବି କିଣିଲେ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୯/୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ଅନସୂଚିତ ଜନଜାତି ବସବାସ କରୁଛନ୍ତି। ଏହି ଜିଲାର ହଳଦୀ ସମଗ୍ର ବିଶ୍ୱ ଦରବାରରେ ପରିଚିତ ରହିଥିବା ବେଳେ ଜୈବିକ ପଦ୍ଧତିର ହଳଦୀ ପାଇଁ ବିଶ୍ୱ ବିଖ୍ୟାତ ହୋଇପାରିଛି। ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ କନ୍ଧମାଳ ହଳଦୀର ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଏବେ ଦିଲ୍ଲୀରେ ନିଜେ ଭାରତର ପ୍ରଧାନମନ୍ତ୍ରୀ ଅତି ନିକଟରୁ କନ୍ଧମାଳ ହଳଦୀ ଗୁଣ୍ଡ ସମେତ ବିଭିନ୍ନ ପାରମ୍ପରିକ ଖାଦ୍ୟ ଶସ୍ୟ ଦେଖି ଖୁସି ବ୍ୟକ୍ତ କରିଛନ୍ତି। ପ୍ରକାଶ ଯେ, ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟବର୍ତ୍ତୀ ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ଆଦିବାସୀ ମହୋତ୍ସବ ( କେବଳ ଆଦିବାସୀ ମେଳା) ୧୨ ଦିନ ଧରି ଚାଲିଛି।
ଏହାର ଶୁଭ ଉଦ୍ଘାଟନ ଗୁରୁବାର ହୋଇଥିବା ବେଳେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ସେ ବିଭିନ୍ନ ଷ୍ଟଲ୍ ବୁଲି ଦେଖୁ୍ଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରୁ ଯାଇଥିବା ଫାରମର୍ସ ପ୍ରଡ୍ୟୁସର କମ୍ପାନୀର ଷ୍ଟଲ୍ରେ ଅଟକିବା ସହ ଫାରମର୍ସ କମ୍ପାନୀର ସମ୍ପାଦକ ସୁରେଶ ପ୍ରଧାନ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ ପ୍ରଧାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।
ସେମାନଙ୍କୁ କେଉଁଠାରୁ ଆସିଥିବା ପଚାରି ବୁଝିବା ସହ ହଳଦୀ ସମ୍ପର୍କରେ ପଚାରି ବୁଝିଥିଲେ। ହଳଦୀ ସମେତ କ୍ଷୁଦ୍ରଦାନା ଶସ୍ୟ ମାଣ୍ଡିଆ, ସୋରିଷ,ଅଦା, ଦାରିଙ୍ଗବାଡ଼ି କଫି ସମେତ ଦାରିଙ୍ଗବାଡ଼ି ଅଞ୍ଚଳର ପାରମ୍ପରିକ ସାମଗ୍ରୀ ସମ୍ପର୍କରେ ପଚାରି ବୁଝିଥିଲେ।
ଦାରିଙ୍ଗବାଡ଼ିରେ ଜୈବିକ ପଦ୍ଧତିରେ ଚାଷ ଓ ଅମଳ ହେଉଥିବା କଫିରୁ ଦୁଇ ପ୍ୟାକେଟ ପ୍ରଧାନମନ୍ତ୍ରୀ କିଣି ନେଇଥିବା ପ୍ରଡ୍ୟୁସର ଗ୍ରୁପ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।
ସେହିପରି ଦିଲ୍ଲୀର ନୋଇଡା ହାଟ ନିକଟରେ ସରସ ମେଳା ଶୁକ୍ରବାରଠାରୁ ଆରମ୍ଭ ହୋଇଥିତ୍ବା ବେଳେ ବିଧିବଦ୍ଧ ଭାବେ ଶନିବାର ଏହାକୁ ଉଦଘାଟନ କରାଯାଇଛି। ସେଠାରେ ମଧ୍ୟ ଓଡ଼ିଶାରୁ ମାତ୍ର ୯ଟି ଷ୍ଟଲ୍ ଯାଇଥିବା ବେଳେ ଦାରିଙ୍ଗବାଡ଼ିର ଏକ ମହିଳା ଗ୍ରୁପ୍ ଫୁଡ୍ସ ଏବଂ ସ୍ପାଇସ୍ ନେଇ ଝରଣା ସାହୁ ଏବଂ ପ୍ରଭାକର ସାହୁ କନ୍ଧମାଳ ହଳଦୀ ସମେତ ମାଣ୍ଡିଆ, ସୋରିଷ, ଆରିଶା ପିଠା ସମେତ ପାରମ୍ପରିକ ସାମଗ୍ରୀ ବିକ୍ରି କରୁଛନ୍ତି। ଖୁବ୍ ବିକ୍ରିବଟା ହେଉଥିବା ଝରଣା ସାହୁ କହିଛନ୍ତି।
ଏଥିପାଇଁ ଓଆଏମ୍ଏସ୍ ( ଓଡିଶା ରୁରାଲ ଡେଭଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି (କନ୍ଧମାଳ)ର ସହଯୋଗ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ଜଣାପଡ଼ିଛି।
କନ୍ଧମାଳ ଜିଲା ପ୍ରଶାସନ ଓ ଏମସିଏଲ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର
କନ୍ଧମାଳ,୧୯/୨ : କନ୍ଧମାଳ ଜିଲା ପ୍ରଶାସନ ଓ ମହାନଦୀ କୋଲଫିଲ୍ଡ ଲିମିଟେଡ଼୍ ମଧ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷର କନ୍ଧମାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ପାଇଁ ଏବଂ ଜିଲାର ୪୭ଟି ଅଙ୍ଗନୱାଡ଼ି କେନ୍ଦ୍ରର ପାନିୟ ଜଳ ଯୋଗାଣ ଓ ବିଦ୍ୟୁତ୍ ଯୋଗାଣ ପାଇଁ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିବା ବେଳେ ଏହି ଅବସରରେ କନ୍ଧମାଳ ଜିଲାପାଳ ଆଶିଷ୍ ଇଶ୍ୱର ପାଟିଲ୍ ଏବଂ ଏମସିଏଲ୍ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି କରଣ ପାଇଁ ୮ କୋଟି ୫୪ ଲକ୍ଷ ଟଙ୍କା ଏବଂ ୪୭ଟି ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ଜଳ ଓ ବିଦ୍ୟୁତ୍ ଯୋଗାଣ ପାଇଁ ୧ କୋଟି ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବୁଝାମଣା ପତ୍ରରେ ଉଲ୍ଲେଖ ରହିଛି।
ଏହି ବୁଝାମଣା ନେଇ ନିଜେ କନ୍ଧମାଳ ଜିଲାପାଳ ଟୁଇଟ୍ ମାଧ୍ୟମରେ ମଧ୍ୟ ଜଣାଇଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟ ବିଭାଗର ଜିଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
କନ୍ଧମାଳ : ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଉପସ୍ଥିତିରେ ଖୋଲିଲା ଲେଣ୍ଡିରି ଗାଁ ପ୍ରାଥମିକ ବିଦ୍ୟାଳୟ ତାଲା
କନ୍ଧମାଳ,୧୯/୨: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଁଙ୍ଗିଆ ପଞ୍ଚାୟତ ଲେଣ୍ଡିରୀ ଗାଁ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟକଳାପ କୁ ନେଇ ଅଶାନ୍ତି ଲାଗି ରହିଥିଲା ।
ଗତ କିଛି ଦିନ ପୂର୍ବରୁ ବିଦ୍ୟାଳୟରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ ଅଞ୍ଚଳବାସି ଶିକ୍ଷୟତ୍ରୀଙ୍କ କାର୍ଯ୍ୟ କଳାପରେ ଅତିଷ୍ଠ ହୋଇ ବିଦ୍ୟାଳୟରେ ତାଲା ପକାଇବା ପରେ ବିଇଓ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ଶୁଝା କରିଥିଲେ।
ଏହାପରେ ଶିକ୍ଷୟତ୍ରୀଙ୍କ ତୁରନ୍ତ ବଦଳି କରାଯିବାକୁ ପ୍ରତିଶ୍ରୁତି ପରେ ଅଞ୍ଚଳ ବାସି ତାଲା ଖୋଲିବା ପରେ ସ୍କୁଲର ସ୍ଥିତି ସ୍ବାଭାବିକ ହୋଇଥିଲା। କିନ୍ତୁ ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୁନର୍ବାର ୧୩ ତାରିଖ ରେ ଉତ୍ତ୍ୟକ୍ତ ଅଞ୍ଚଳ ବାସି ବିଦ୍ୟାଳୟରେ ତାଲା ପକାଇବା ସହ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ନ ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ପୁଣି ଦ୍ବିତୀୟ ଥର ବିଦ୍ୟାଳୟରେ ତାଲା ପଡ଼ିଥିଲା।
ଅନ୍ୟ ପଟେ ଏହି ଘଟଣାରେ ବିଦ୍ୟାଳୟ ପରିଚାଳନା କମିଟି ,ଅଭିଭାବକ ମାନେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ , ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଏବଂ ଫୁଲବାଣୀ ଜିଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ।
ଏହି ଘଟଣାକୁ ନେଇ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ପରେ ଦୀର୍ଘ ୫ ଦିନ ପରେ ବିଦ୍ୟାଳୟରେ ତାଲା ଖୋଲିଥିବା ଦେଖିବାକୁ ମିଳିଛି।
ଅନ୍ୟ ପଟେ ଏହି ଘଟଣାକୁ ନେଇ ଜନସାଧାରଣ ଶିକ୍ଷୟତ୍ରୀଙ୍କ ବଦଳି ନେଇ ନିଜ ଜିଦ୍ ରେ ଅଟଳ ଥିବା ବେଳେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଙ୍କୁ ପଚାରି ବାରୂ ଶିକ୍ଷୟତ୍ରୀଙ୍କୁ ବଦଳି ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଲିଖିତ ଭାବରେ ଜଣା ଯାଇଛି ଏବଂ ତୁରନ୍ତ ବଦଳି କରାଯିବାକୁ ପ୍ରତିଶ୍ରୁତି ଦେଇଥିବା କଥା କହିଛନ୍ତି।

Related Posts

Seo wordpress plugin by www.seowizard.org.