Odisha News

କନ୍ଧମାଳରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ:୧୭/୭: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ବିଶ୍ୱ ଯୁବ ଦକ୍ଷତା ଦିବସ -୨୦୨୨ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ପାଟିଲ ଆଶିଷ ଇଶ୍ୱର କହିଲେ ଯେ, ନିଜର ତଥା ନିଜ ପରିବାରର ଆର୍ଥିକ ଅବସ୍ଥାରେ ସୁଧାର ଆଣିବାକୁ ହେଲେ ପ୍ରଥମେ ନିଜର ଦକ୍ଷତା ବୃଦ୍ଧି କରିବା କରିବା ଆବଶ୍ୟକ ।
ଦ୍ୱିତୀୟରେ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପାଇବା ପରେ ଚାକିରି କିମ୍ବା କାର୍ଯ୍ୟ ପ୍ରତି ନିଜର ଉତ୍ସର୍ଗୀକୃତ ମନୋଭାବ ରହିବା ନିହାତି ଜରୁରୀ । ସେହି ସମୟ ଟିକେ କଷ୍ଟ ଲାଗିପାରେ ମାତ୍ର ଭବିଷ୍ୟତରେ ନିଜର,ନିଜ ପରିବାରର,ଜିଲ୍ଲାର ତଥା ଦେଶର ନାଁ ରଖିବା ସମ୍ଭାବନା ଅଧିକ ହୋଇଥାଏ ।
ଏମିତିବି ସମସ୍ତଙ୍କ ଜୀବନରେ କିଛି ନା କିଛି ସଂଘର୍ଷ ଅଛି । ତେଣୁ ଏମିତି ଏକ ନିଷ୍ପତ୍ତି ନିଅ ଯାହା ତୁମମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଦେଇପାରିବ । ମାତ୍ର ଚାକିରି ଛାଡ଼ି ଘରେ ବସିଲେ ପରିବାର ପାଇଁ ସମସ୍ୟା ସୃଷ୍ଟି କରିବା ସହିତ ନିଜର ଭବିଷ୍ୟତ ଅନ୍ଧାର ହୋଇଯିବ ।
ବେକାରି ସମସ୍ୟାକୁ ଦୂର କରିବା ପାଇଁ ସରକାର ଯୁବକ ଯୁବତୀ ମାନଙ୍କର ଦକ୍ଷତା ବୃଦ୍ଧିପାଇଁ ଗୁରୁତ୍ୱ ଦେଉଛନ୍ତି । ଏହାର ସୁଯୋଗ ନେବାକୁ ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ସେହିପରି ବିଜ୍ଞାନ ଭାରତୀ ଚାରିଟେବଲ୍ ଟ୍ରଷ୍ଟର ନିର୍ଦ୍ଦେଶକ ଶ୍ରୀ ଅନିଲ ପାଣିଗ୍ରାହୀ ମଧ୍ୟ ନିଯୁକ୍ତି ପାଇବା ପରେ ଧର‌୍ୟ୍ୟର ସହ କାମ କରିଚାକୁ ଗୁରୁତ୍ୱ ଦେଇଥିଲେ । ଫଳରେ ଅଭିଜ୍ଞତା ବୃଦ୍ଧି ହେବା ସହିତ ଦରମା ମଧ୍ୟ ବୃଦ୍ଧି ହେବ ବୋଲି ସେ କହିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଭୃଙ୍ଗରାଜ ମହାନ୍ତି ଯୁବ ସାମର୍ଥ୍ୟକୁ ଅଚଳ ସମୁଦ୍ର ସହ ତୁଳନା କରିଥିଲେ ।
ସେମାନେ କୁଶଳୀ ହୋଇପାରିଲେ ସାରା ଜୀବନ ସେମାନଙ୍କର ତଥା ସେମାନଙ୍କ ପରିବାରର ଉନ୍ନତି ହୋପାରିବ ବୋଲି ସେ କହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନ ଯୁବ ଶକ୍ତିକୁ ରାଷ୍ଟ୍ରର ଶକ୍ତି ବୋଲି କହିଥିଲେ ।
ରାଷ୍ଟ୍ରକୁ ଆଗେଇନେବାକୁ ହେଲେ ପ୍ରତିଟି କାର‌୍ୟ୍ୟରେ ଦକ୍ଷତା ଦରକାର । ସବୁଠାରୁ ବଡ଼ କଥା ହେଲା ଝିଅମାନେ କୁଶଳୀ ହୋଇପାରିଲେ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସେମାନେ ସମ୍ମୁଖୀନ ହୋଇପାରିବେ ଏପରିକି ବିବାହ ପରେ ମଧ୍ୟ ସେହି ପରିବାରରେ କେହି ବେକାର ହେବେ ନାହିଁ । ସେହିପରି ପ୍ରୋଗ୍ରାମ ଅଧିକାରୀ ଏସ୍. ଗାୟତ୍ରୀ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ ରାଷ୍ଟ୍ର ଯୁବଗୋଷ୍ଠୀ ମାନଙ୍କର ଦକ୍ଷତା ବୃଦ୍ଧି ଚାହୁଁଛି ବୋଲି କହିଥିଲେ ।
ତେଣୁ ଯୁବ ଗୋଷ୍ଠୀ ବଂଚିବାର କୌଶଳ ଶିଖନ୍ତୁ । ନିଜର ଦକ୍ଷତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ଦକ୍ଷତା ବୃଦ୍ଧି କରିବାରେ ସହଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଆକ୍ସନ-ଏଡ୍ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ କହିଲେ ଯେ, ଜଣେ କୁଶଳୀ ଯୁବକ ବା ଯୁବତୀ କେବେବି ବେକାର ହୋଇ ଘରେ ବସିରହିବ ନାହିଁ ଯଦି ସେ ତା’ର ତଥା ତା’ ପରିବାରର ଉନ୍ନତି ଚାହୁଁଥାଏ ।
ସେ ଜିଲ୍ଲାର କେତେଗୁଡ଼ିଏ ଯୁବତୀମାନଙ୍କୁ କାଉନ୍ସେଲିଙ୍ଗ୍ କରି ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଟ ଟ୍ରେଡ୍ରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ତାଲିମ ନେବେ ବୋଲି ନାମ ଲେଖାଇ ଛନ୍ତି । ସେମାନେ ଚାହିଁଲେ, କନ୍ଧମାଳ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲାପରେ ନିଯୁକ୍ତି ପାଇପାରିବେ।
ଏହି ତାଲିମ ପରେ ସେମାନେ ନର୍ସମାନଙ୍କ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇପାରିବେ ବୋଲି ସେ କହିଥିଲେ । ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ପ୍ରାରମ୍ଭିକ ସମ୍ଭାଷଣ ଦେଇଥିବାବେଳେ ତାଲିମ ଅଧିକାରୀ ଶ୍ରୀ ସେମନାଥ ତରିଆ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରାରମ୍ଭରେ ଜିଲ୍ଲାପାଳ ଦକ୍ଷତା ବୃଦ୍ଧି କେନ୍ଦ୍ରରେ ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଟ ତାଲିମକୁ ଶୁଭ ଉଦ୍ଘାଟନ କରିବା ସହିତ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ନୂଆ କରି ନାମ ଲେଖାଇଥିବା ଝିଅମାନଙ୍କୁ ତାଲିମ ପରେ ଓଡ଼ିଶା ବାହାରେ ନିଯୁକ୍ତି ପାଇଲେ ବି ନ ଛାଡ଼ିବାକୁ ପରାମର୍ଶ ଦେଇଥିଲେ ।
ପରେ ପରେ ସେ ପ୍ରଶିକ୍ଷାର୍ଥୀମାନେ ନିଜ ନିଜର ଅଭିନବ ଧାରଣାରେ ତିଆରି କରିଥିବା ପ୍ରୋଜେକ୍ଟ ଗୁଡ଼ିକୁ ବୁଲି ଦେଖିଥିଲେ ଓ ପ୍ରଶଂସା ମଧ୍ୟ କରିଥିଲେ ।
କନ୍ଧମାଳ : ବିଦ୍ୟୁତ ଆଘାତରେ ଦୁଇ ବଳଦ ମୃତ
କନ୍ଧମାଳ, ୧୭/୭: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ପିରିକୁଡି ଗ୍ରାମପଞ୍ଚାୟତ ଖଉମୁଣ୍ଡା ଠାରେ ବିଦ୍ୟୁତ୍ ଆଘାତରେ ଦୁଇ ବଳଦ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ଗୁଡ୍ରିସାହି ବିଷ୍ଣୁ ଚରଣ ବେହେରା ଏବଂ ଖଉମୁଣ୍ଡା ଗ୍ରାମର ଅରବିନ୍ଦ କହଁର ଗତକାଲି ସକାଳୁ ଚାଷକାମ ସାରି ଗୋରୁ ଚରାଇବାକୁ ଛାଡିଦେଇଥିଲେ।
ଜଙ୍ଗଲିଆ ସ୍ଥାନରେ ଥିବା ବିଦ୍ୟୁତ୍ ଖୁଣ୍ଟ ଏବଂ ଖୁଣ୍ଟ ପାଖରେ କୌଣସି କାରଣରୁ ଏହି ଦୁଇଟି ବଳଦ ଦେହରେ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିବା ଅନୁମାନ କରାଯାଉଛି। ଫଳରେ ଦୁଇଟି ବଳଦର ମୃତ୍ୟୁ ହୋଇଥିବା ଜଣାପଡିଛି।
ଉଭୟ ଚାଷୀ ବିଷ୍ଣୁ ଚରଣ ବେହେରା ଏବଂ ଅରବିନ୍ଦ କହଁର ବଳଦ ଖୋଜୁଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ପାଖରେ ବଳଦ ମରି ପଡିଥିବା ଦେଖି ବିଦ୍ୟୁତ୍ ବିଭାଗକୁ ସୂଚନା ଦେଇଥିଲେ।
ଏହାପରେ ବିଭାଗୀୟ କର୍ମଚାରୀ ବିଦ୍ୟୁତ୍ କାଟ କରିବା ପରେ ଉଭୟ ବଳଦ ମାଲିକ ଘଟଣା ସ୍ଥଳରେ ପହଞ୍ଚି ନିଜ ନିଜ ବଳଦ ବିଦ୍ୟୁତ୍ ଆଘାତରେ ମରିଥିବା ଜାଣି ପାରିଥିଲେ। ଉଭୟ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବୀ ହୋଇଛି ।
କନ୍ଧମାଳ : ସମାଜସେବୀ ଶଶାଙ୍କ ଶେଖର ସାହୁଙ୍କୁ ଏକାଦଶାହରେ ଶ୍ରଦ୍ଧାଞ୍ଜଳି:
କନ୍ଧମାଳ,୧୭/୭: କନ୍ଧମାଳର ଅଗ୍ରଣୀ ନିଷ୍ଠାପର ନୀର୍ଭୀକ ସମାଜସେବୀ ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ଏକାଦଶାହ ଫୁଲବାଣୀ ଗାୟତ୍ରୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସଂଗଠନ, ସାଙ୍ଗସାଥି ବନ୍ଧୁ ବାନ୍ଧବ, ଜ୍ଞାତିକୁଟୁମ୍ବଙ୍କ ପକ୍ଷରୁ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରି ସ୍ମୃତି ଚାରଣ କରାଯାଇଥିଲା।
ଜିଲ୍ଲା ବିକାଶ ପରିଷଦର ଆବାହକ ଅଶୋକ ପରିଡା ଶଶାଙ୍କର ଘନିଷ୍ଠ ବନ୍ଧୁ ସ୍ମୃତି ସଭାକୁ ସଂଯୋଜନା କରି ତାଙ୍କ ସହ ୩୨ ବର୍ଷର ନିର୍ଭୀକ ସମାଜ ସେବା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ଦୁର୍ନୀତି, ଶୋଷଣ, ଅନ୍ୟାୟ ବିରୋଧରେ ସର୍ବଦା ସ୍ୱର ଉଠାଉଥିଲେ।
ଜିଲାରୁ ନିଶା ନିବାରଣ ପାଇଁ ୧୩୫ ଦିନ ଗଣଧାରଣାର ନେତୃତ୍ୱ ନେଇ ୨୨ଟି ମଦଭାଟି ହଟାଇ ପାରିଥିଲେ।
ଯୁବ ସମାଜ କୃଷିକ୍ଷେତ୍ରରୁ ମୁଁହ ଫେରାଉଥିବା ବେଳେ ଜଣେ ଆଦର୍ଶ ସଫଳ କୃଷି ଉଦ୍ୟୋଗୀ ଭାବେ ଯୁବକମାନଙ୍କୁ ଅନୁପ୍ରାଣୀତ କରିବାକୁ ଖଲିବେରେଣା ଠାରେ ଏକ ଫାର୍ମ ହାଉସ କରିଥିଲେ।
ମହିଳା ଉଦ୍ୟୋଗ ନିମନ୍ତେ ଏକ ସମବାୟ ସମିତି ଗଠନ କରିଥିଲେ।
ସ୍ମୃତି ସଭାରେ ବନବାସୀ ସେବା ସମିତିର ଉତ୍ସବ ଚନ୍ଦ୍ର ଜେନା, ରବିନ୍ଦ୍ର କୁମାର ପଣ୍ଡା, ସମାଜ ସେବୀ ପଞ୍ଚାନନ ମିଶ୍ର, ବୈଦ୍ୟନାଥ ଖଟୁଆ, ଷଷ୍ଠୀ ପ୍ରସାଦ ମିଶ୍ର, ନବୀନ ନାୟକ, ସୁବଳ ରଣା, ଶାନ୍ତନୁ ମିଶ୍ର,ପ୍ରମୋଦ ନାୟକ, ମନୋଜ ମିଶ୍ରଙ୍କ ସହ ବରିଷ୍ଠ ନାଗରିକ ନବୀନ ପଣ୍ଡା, ବ୍ରଜ ପଟ୍ଟନାୟକ, ରାଜୁ ପାଢୀ, ବଂଶୀଧର ପଣ୍ଡା, ସଚି ପଟନାୟକ ମିଳିତ ନାଗରିକ କମିଟିର ସଭାପତି ବରିଷ୍ଠ ସାମ୍ବାଦିକ ଡ. ଅରୁପଜେନା, ପ୍ରଶାନ୍ତ ବେହେରା, ନାରାୟଣ ସାହୁ, ବିଜୟ ମହାନ୍ତି, ଆଇନଜୀବୀ ବିଜୟ ପଟ୍ଟନାୟକ, ବିଜୟ ମହାନ୍ତି, କୁଇ ସମାଜ ସମନ୍ୱୟ ସମିତି ସଂମ୍ପାଦକ ଲମ୍ବୋଦର କହଁର ପ୍ରମୁଖ ସ୍ମୃତି ଚାରଣ କରିଥିଲେ।
କନ୍ଧମାଳ : ଡକାୟତି ଯୋଜନା ପଣ୍ଡ କଲା ତୁମୁଡିବନ୍ଧ ପୋଲିସ , ୩ ଜଣ ଡକାୟତ ସହ ଗାଡି ଓ ବିଭିନ୍ନ ମରଣାସ୍ତ୍ର ଜବତ
ବାଲିଗୁଡା,୧୭/୭: କନ୍ଧମାଳ-କଳାହାଣ୍ଡି ସୀମାନ୍ତ ୫୯ନଂ ଜାତୀୟ ରାଜପଥ ମାତୃଗାଁ ନିକଟସ୍ଥ ଲମ୍ବା ଘାଟି ନିକଟ ପଡିଆ ଠାରେ ଗାଡି ଅଟକାଇ ଡ଼କାୟତି ପାଇଁ ଯୋଜନା କରୁଥିବା ବେଳେ ତୁମୁଡ଼ିବନ୍ଧ ପୁଲିସ ହାତରେ ତିନିଜଣିଆ ଡ଼କାୟତି ଗ୍ୟାଙ୍ଗ ଧରା ପଡ଼ିଛନ୍ତି।
ଏକ ବଡ଼ ଧରଣର ଡକାୟତି ଯୋଜନା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ରାତ୍ରୀ କାଳୀନ ପାଟ୍ରୋଲିଂ କରୁଥିବା ସମୟରେ ତୁମୁଡିବନ୍ଧ ପୋଲିସ ଥାନା ଅଧିକାରୀ ତରୁଣ ତପନ ବେହେରା ଘଟଣା ସ୍ଥଳରେ ସଦଳବଳ ସହ ପହଞ୍ଚି ଡକାୟତ ଦଳ ଙ୍କୁ ଧରିବା ରେ ସଫଳ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ମାତୃଗାଁର ଲମ୍ବା ଘାଟି ନିକଟରେ ଥିବା ଏକ ପଡିଆ ରେ ଉକ୍ତ ଡକାୟତ ମାନେ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତୁମୁଡିବନ୍ଧ ଥାନା ପୋଲିସ ଅଚାନକ ଚଢ଼ାଉ କରି ଡକାୟତି ଯୋଜନାରେ ବ୍ୟବହୃତ ପାଇଁ ରଖିଥିବା ଗୋଟିଏ ଧଳା ରଙ୍ଗର ମହିନ୍ଦ୍ରା ସବାରୀ ଗାଡି ନଂ.ଓଆର-୧୨ଏ-୭୩୫୩ ସହ ୫ ଗୋଟି ଛୁରୀ, ଗୋଟିଏ ଲୁହା ପାଇପ୍ ଓ ଗୋଟିଏ ସାଇକେଲ୍ ଚେନ୍ କ୍ରାଙ୍କ୍ ଜବତ କରିବା ସହ ତିନି ଜଣ ଡକାୟତ ତୁମୁଡିବନ୍ଧ ଥାନା ତେଲିମୁଣ୍ଡା ଅଞ୍ଚଳର ଉମାକାନ୍ତ ବଟକର (୨୦)ବୁଡାପଡ଼ା ଅଞ୍ଚଳର ପିଙ୍କୁ ନାୟକ (୨୧) ଏବଂ ସାରଙ୍ଗଗଡ଼ ଥାନା ଅଞ୍ଚଳ ପୁରୁଣା ସାହିର ମିଲନ ନାୟକ(୩୦) ଙ୍କୁ ଗିରଫ କରି ସେମାନଙ୍କ ନାମରେ ତୁମୁଡିବନ୍ଧ ଥାନା କେଶ ନଂ.୬୦/୨୨ ପ୍ରକାରେ ୟୁ/ଏସ୍-୩୯୯/୪୦୨/୩୫୩ ଆଇପିସି ପ୍ରକାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଅବ୍ୟାହତ ରଖିବା ସହ ଏ ଘଟଣା ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହା ତଦନ୍ତ ପରେ ଜଣା ପଡିବ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Related Posts

Seo wordpress plugin by www.seowizard.org.