Odisha News

କଏନ୍ ନେବାକୁ ମନା କଲେ କାର୍ଯ୍ୟାନୁଷ୍ଠାନ ହେବ: ରିଜର୍ଭ ବ୍ୟାଙ୍କ

ବ୍ରହ୍ମପୁର, ୧୦/୧: କଏନ୍ ଗ୍ରହଣ କରିବାକୁ କୌଣସି ଦୋକାନୀ ମନା କରିପାରିବେ ନାହିଁ । ଯେଉଁମାନେ ସେଭଳି କାମ କରିବେ ସେମାନଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କଏନ୍ ସମ୍ପର୍କିତ କୌଣସି ବିଭ୍ରାନ୍ତୀକରଣ ସୂଚନା କିମ୍ବା ଗୁଜବକୁ ବିଶ୍ବାସ ନକରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କଏନେଜ୍ ଆକ୍ଟ ୨୦୧୧ରେ କଏନ୍କୁ ନେଇ ବିଭିନ୍ନ ପ୍ରକାର ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି।
କେବଳ ୧୦ ଟଙ୍କିଆ କଏନ୍ ନୁହେଁ, ଛୋଟ ଏକ ଟଙ୍କିଆ କଏନ୍ ବି ନେଉନାହାନ୍ତି ବ୍ୟବସାୟୀ। ଖାଲି ବ୍ୟବସାୟୀ ନୁହନ୍ତି, କେତେକ ସ୍ଥଳେ ବ୍ୟାଙ୍କ ବି ଗ୍ରାହକଙ୍କ ଠାରୁ କଏନ୍ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକଙ୍କ ଭିତରେ ବଢ଼ୁଛି ଅସନ୍ତୋଷ।
ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା ସମେତ ରାଜ୍ୟର ଅନେକ ଅଞ୍ଚଳରେ ଏବେ କଏନ୍ ବ୍ୟବହାରକୁ ନେଇ ବଡ଼ ସମସ୍ୟା ଦେଖାଦେଇଛି ।
ତେବେ କାହିଁକି ୧୦ ଟଙ୍କିଆ କଏନ୍ ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ବ୍ୟବସାୟୀ ପଚାରିଲେ ଗୋଟିଏ ଉତ୍ତର, ଲୋକେ ଆମଠୁ ୧୦ ଟଙ୍କିଆ କଏନ୍ ନେଉନାହାନ୍ତି। ତେଣୁ ଆମେ ଏସବୁ ରଖି କରିବୁ କଣ?
କଏନ୍ ଅଚଳ ପ୍ରସଙ୍ଗ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର‌୍ୟ୍ୟାଳୟ ନିଜ ସ୍ପଷ୍ଟୀକରଣରେ କହିଛି, କୌଣସି ବିଭ୍ରାନ୍ତିକର ସୂଚନା ବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ୫୦ ପଇସା ବା ତାଠାରୁ ଅଧିକ ମୂଲ୍ୟର ସମସ୍ତ କଏନ୍ ଲିଗାଲ ଟେଣ୍ଡର ବା ଆଇନଗତ ଭାବେ ବୈଧ। ଭାରତ ସରକାର ସମୟ ସମୟରେ ବିଭିନ୍ନ ଆକାର, ଥିମ୍ ଓ ଡିଜାଇନ୍ର ୫୦ ପଇସା, ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ କଏନ୍ ପ୍ରଚଳନ କରିଛନ୍ତି। ଏ ସମସ୍ତ କଏନ୍ ବୈଧ।
ଆରବିଆଇ କେବଳ କଏନ୍ର ବିତରଣ କରିଥାଏ। ଖାଲି ସେତିକି ନୁହେଁ, କଏନେଜ୍ ଆକ୍ଟ ୨୦୧୧ ଅନୁସାରେ ନେଣଦେଣ ସମୟରେ ଜଣେ ଏକକାଳୀନ ଟଙ୍କିକିଆରୁ ଊର୍ଦ୍ଧ୍ୱ ମୂଲ୍ୟର ୧ ହଜାର ଟଙ୍କା ଯାଏଁ କଏନ୍ ପେମେଣ୍ଟ କରିପାରିବ। ସେହିପରି ୫୦ ପଇସା କ୍ଷେତ୍ରରେ ଏହି ସୀମା ସର୍ବାଧିକ ୧୦ ଟଙ୍କା ଆରବିଆଇ କହିଛି, ନେଣଦେଣ ସମୟରେ କଏନ୍ ଗ୍ରହଣ କରିବା ଲାଗି ସମସ୍ତ ବ୍ୟାଙ୍କକୁ ନିୟମ ଓ ସର୍ତ୍ତାବଳି ସହ ନିର୍ଦ୍ଦେଶ ଦିଆଯାଇଛି ଏମିତିକି ଏହାର ଉଲ୍ଲଂଘନ ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ମଧ୍ୟ ରହିଛି।

Related Posts

Seo wordpress plugin by www.seowizard.org.