Odisha News

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ମିଳିଲା ଆଶ୍ୱସ୍ତି, ବଜାଇ ରଖିବେ ବିଧାୟକ ପଦ

କଟକ,୧୯/୧୦: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ବସ୍ତି । ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଥିବାବେଳେ ଏବେ ତାଙ୍କର ବିଧାୟକ ପଦ ବଜାୟ ରହିଛି ।
ଆସନ୍ତା ଫେବୃୟାରୀ ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ମୋକିମଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ ।
ସୂଚନାଯୋଗ୍ୟ, ଗତମାସ ୨୯ ତାରିଖରେ ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚ୍ଡିସି) ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଥିଲା।
ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଜଜ ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ମାମଲାର ବିଚାର କରି ଓଆରଏଚଡିସିର ତତ୍କାଳୀନ ଅଧ୍ୟକ୍ଷ ଆଇଏଏସ୍ ଅଧିକାରୀ ବିନୋଦ କୁମାର ଓ ମେଟ୍ରୋ ବିଲଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଥିଲେ।
ଏଥି ସହିତ ଓଆରଏଚ୍ଡିସି କଂପାନି ସେକ୍ରେଟାରି ସ୍ବସ୍ତି ରଂଜନ ମହାପାତ୍ରଙ୍କୁ ମଧ୍ୟ ୩ ବର୍ଷ ଜେଲଦଣ୍ଡ ହୋଇଥିଲା। ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୁଷଧାରୀ ମହାନ୍ତିଙ୍କୁ ମଧ୍ୟ ଋଣ ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡ ହୋଇଥିଲା।
ସମସ୍ତ ୪ ଦୋଷୀଙ୍କୁ ଜେଲ୍ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦାଖଲ କରିବା ପାଇଁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଉ ଭିଜିଲାନ୍ସ କୋର୍ଟର ରାୟ ବିରୁଦ୍ଧରେ ମୋକିମ ହାଇକୋର୍ଟକୁ ଯାଇଥିଲେ । ଆଉ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଆଉ ଆଜି ରାୟ ପ୍ରକାଶ ପାଇଛି ।

Related Posts

Seo wordpress plugin by www.seowizard.org.