Odisha News

କଂଗ୍ରେସ ପକ୍ଷରୁ ହାତ ସେ ହାତ ଯୋଡ କାର୍ଯ୍ୟକ୍ରମ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୨: ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ଙ୍କ ତତ୍ୱାବଧାନ ରେ ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ ଗୁଡ଼ିକରେ ଜାନୁଆରୀ ୨୬ ତାରିଖରୁ ଜାରି ରହିଛି ହାତ ସେ ହାତ ଯୋଡ ।
ସୋମବାର ଜିଲ୍ଲାର କଣ୍ଟମାଳ ବ୍ଲକ ଘଣ୍ଟାପଡ଼ା ଏବଂ ହରଭଙ୍ଗା ବ୍ଲକ ଧଳପୁର ଗ୍ରାମପଞ୍ଚାୟତ ରେ ଏହି ସମ୍ପର୍କ ଯାତ୍ରା ଜାରି ରହି ଥିଲା । କଣ୍ଟମାଳ ବ୍ଲକ ତଥା କଣ୍ଟମାଳ ନିର୍ବାଚନ ମଣ୍ଡଳୀରେ ପ୍ରଶାନ୍ତ ସାହୁ ଏହାକୁ ପରିଚାଳନା କରିଥିବା ବେଳେ ହରଭଙ୍ଗା ବ୍ଲକ ସଭାପତି ପଙ୍କଜ କୁମାର କର୍ଣ୍ଣ ଙ୍କ ସହ ଜିଲ୍ଲା କଂଗ୍ରେସ ଉପ -ସଭାପତି ସମରେଶ ମିଶ୍ର ଏବଂ ଜିଲ୍ଲା ମୁଖ୍ୟ ମୁଖପାତ୍ର ବରିଷ୍ଠ ଆଇନଜୀବୀ ଶାନ୍ତନୁ କୁମାର ମହାପାତ୍ର ଙ୍କ ଯୋଗଦାନରେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ଧଳପୁର ଗ୍ରାମପଞ୍ଚାୟତ ରେ କଂଗ୍ରେସ ଦଳର ଏହି ଜାତୀୟ କାର୍ଯ୍ୟକ୍ରମକୁ ପାଳନ କରି ଥିଲା ।
ଏହି ସମ୍ପର୍କ ଯାତ୍ରାର ଧଳପୁର ଗ୍ରାମପଞ୍ଚାୟତ ର ପଯ୍ୟବେକ୍ଷକ ମାନ ଭଂଜନ ମହାକୁଡ଼ ଙ୍କ ସହ ପୂର୍ବତନ କଂଗ୍ରେସ ର ସଂଗଠକ ଜୟରାମ ଗିରି ଲଡ଼ୁ କିଶୋର ଡାଙ୍ଗ, ବସନ୍ତ ହୋତା,ଚନ୍ଦନ ମହାକୁଳ, କୃପା ନାୟକ,ଜଗଦୀଶ ମହାନ୍ତି,ପବିତ୍ର ବେହେରା,ରାଜେନ୍ଦ୍ର ବେହେରା, ଦିଲ୍ଲିପ ସୁନା,ବିଶ୍ଵାମିତ୍ର ବେହେରା ,ପୌଲସ୍ତି ପ୍ରଧାନଏବଂ ଅଭିଳାଷ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।
ଜିଲ୍ଲାରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ବୌଦ୍ଧ,୨୧/୨ : ଜିଲ୍ଲାର ବିଭିନ୍ନ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବୌଦ୍ଧ ବ୍ଲକରେ ୧୮୪ ଜଣ ପଂଜିକୃତ ହୋଇଥିବାବେଳେ ସେଥିରୁ ୪୩ ଜଣଙ୍କୁ ୟୁଡି ଆଇଡି ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିସହିତ ୭ ଜଣଙ୍କୁ ତିନିଚକିଆ ସାଇକେଲ ,୧୦ ଜଣଙ୍କୁ ହୁଇଲ ଚେୟାର ଓ ୨୦ ଟି ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା ।
ସେହିପରି କଣ୍ଟାମାଳ ବ୍ଲକରେ ୫୦୧ ଜଣ ପଂଜିକୃତ ହୋଇଥିବାବେଳେ ୮୫ ଜଣଙ୍କୁ ୟୁଡି ଆଇଡି ପ୍ରମାଣପତ୍ର,୧୦ ଜଣଙ୍କୁ ତିନି ଚକିଆ ସାଇକେଲ,୧୦ ଜଣଙ୍କୁ ହୁଇଲ ଚେୟାର ଏବଂ ଦୁଇଟି ଆଶାବାଡି ପ୍ରଦାନ କରାଯାଇଥିଲା । ସେହିପରି ହରଭଙ୍ଗା ବ୍ଲକର ୨୩୦ ଜଣ ପଂଜିକୃତ ମଧ୍ୟରୁ ୮୦ ଜଣଙ୍କୁ ୟୁଡି ଆଇଡି ଭିନ୍ନକ୍ଷମ ପ୍ରମାଣପତ୍ର,୧୩ ଜଣଙ୍କୁ ତିନି ଚକିଆ ସାଇକେଲ,୧୭ ଜଣଙ୍କୁ ହୁଇଲ ଚେୟାର,୪ଟି ଶବଣ ଯନ୍ତ୍ର,୪ଟି ଆଶାବାଡି ଏବଂ ଦୁଇଗୋଟି ସିପି ଚେୟାର ପ୍ରଦାନ କରାଯାଇଥିଲା ।
ଚାରିଛକ ହାଇସ୍କୁଲଠାରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଶିବିର ଶେଷ ହେବା ପର୍ଯ୍ୟନ୍ତ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରିବା ସହ ଲୋକଙ୍କ ଅଭିଯୋଗ ଶୁଣି ତାର ଆଶୁ ସମାଧାନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଣେ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା,୧୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୮୫ ହଜାର ଟଙ୍କା ଏବଂ ୫ ଜଣକୁ ରେଡକ୍ରସ ପାଣ୍ଠିରୁ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଝାରୀ,ବିଡିଓ ବୌଦ୍ଧ ଅବିନାଶ ପାଣ୍ଡିଆ, କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନ ,ହରଭଙ୍ଗା ବିଡିଓ ସ୍ୱପ୍ନିତା ନାୟକ,ସିଡିପିଓ ବୌଦ୍ଧ ମିନତୀ ଦେଓ,କଣ୍ଟାମାଳ ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢି ଓ ହରଭଙ୍ଗା ସିଡିଫିଓ ନିରୁପମା ପାଣି,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବୌଦ୍ଧ ସାନନ୍ଦ ସାହୁ,କଣ୍ଟାମାଳ ସୂର୍ଯ୍ୟ ନାରାୟଣ ଦାଶ,ହରଭଙ୍ଗା ସୁନିଲ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ଣ୍ଣ,ନାଶା,ଗଳା,ଚକ୍ଷୁ,ଭେସଜ,କୁଷ୍ଠ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ଥିଲେ । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଜୟକୃଷ୍ଣ ମିଶ୍ର, କିମ୍ସ ର ଅସ୍ଥିଶଲ୍ୟ ବିଶେଷଜ୍ଞ ପ୍ରଦିପ୍ତ କୁମାର ପାତ୍ର,ବୌଦ୍ଧ ମେଡିକାଲର ଡା. କିଶୋର ଚନ୍ଦ୍ର ପଟ୍ଟନାୟକ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ପୁଲିସ କର୍ମଚାରୀ,ଅଙ୍ଗନବାଡି କର୍ମୀ,ଆଶା କର୍ମୀ,ସ୍ୱେଛାସେବୀ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ତାଲିମ ଅଧିକାରୀ,ସହକାରୀ ଜିଲ୍ଲାପାଳମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
ଚାଷୀ ବିକି ପାରିନାହିଁ ଧାନ, ମଣ୍ଡିର ଧାନ ଉଠାଣ ଟାର୍ଗେଟ ସରିଯିବାରୁ ଜିଲାପାଳଙ୍କ ଘର ଘେରିଲେ ଚାଷୀ
ବୌଦ୍ଧ,୨୧/୨: ବୌଦ୍ଧ ଜିଲ୍ଲା ରେ ଧାନ କିଣା ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାରେ ପହଞ୍ଚିଲାଣି, ଅନେକ ମଣ୍ଡିରେ ଧାନ କିଣା ଟାର୍ଗେଟ ସରି ଯାଇଥିବାବେଳେ କିଛି ମଣ୍ଡିରେ ଏପର୍ଯ୍ୟନ୍ତ ଧାନକିଣା ଚାଲୁ ରହିଛି ।
କିନ୍ତୁ ବହୁ ସଂଖ୍ୟାରେ ଚାଷୀ ଏପର୍ଯ୍ୟନ୍ତ ନିଜର ଧାନ ବିକ୍ରି କରିପାରିନଥିବାବେଳେ ମଣ୍ଡି ଗୁଡିକରେ ଧାନକିଣା ଟାର୍ଗେଟ ସରିଯାଇଥିବା ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡାପଡା ମଣ୍ଡିରେ ବହୁ ସଂଖ୍ୟାରେ ଚାଷୀ ଧାନ ବିକ୍ରି କରିପାରିନଥିବାବେଳେ ମଣ୍ଡିର ଟାର୍ଗେଟ ସରିଯାଇଥିବା ନେଇ ଅଭିଯୋଗ କରିବା ସହିତ ବଳକା ଧାନ କ୍ରୟ ପାଇଁ ମଣ୍ଡିକୁ ନୂତନ ଟାର୍ଗେଟ ଦେବାକୁ ଜିଲ୍ଲାପାଳଙ୍କ ଘର ଘେରାଉ କରିଛନ୍ତି ।ବିଦ୍ୟୁତ ମରାମତି ପାଇଁ ସକାଳୁ ବିଦ୍ୟୁତ କାଟ ସାଙ୍ଗକୁ ସମଗ୍ର ବୌଦ୍ଧ ସହର ଅନ୍ଧକାର ମଧ୍ୟରେ ବୁଡି ରହିଥିବାବେଳେ ମୁଣ୍ଡାପଡା ପଞ୍ଚାୟତର ପ୍ରାୟ ୬୦ ରୁ ଉର୍ଦ୍ଧ୍ୱ ଚାଷୀ ରବିବାର ହେଲେ ମଧ୍ୟ ବୌଦ୍ଧରେ ପହଞ୍ଚି ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଟାର୍ଗେଟ ପ୍ରଦାନ ପାଇଁ ଘେରାଉ କରିଥିଲେ ।ଚାଷୀମାନଙ୍କ ପାଖରେ ଧାନ ଗଛିତ ରହିଥିବାବେଳେ ମଣ୍ଡିକୁ କାହିଁକି ଧାନ କ୍ରୟ ପାଇଁ ଟାର୍ଗେଟ ପ୍ରଦାନ କରାଯାଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ ।
ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକ ଓ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ ସେଠାରେ ପହଞ୍ଚି ଚାଷୀମାନଙ୍କୁ ବୁଝାଶୁଝା କରିବା ସହିତ ଯୋଗାଣ ବିଭାଗର ଅଧିକାରୀଙ୍କ ଦ୍ୱାରା ମଣ୍ଡି ପରିଦର୍ଶନ ସହିତ ଧାନକ୍ରୟ ସମୀକ୍ଷା ପରେ ନୂତନ ଟାର୍ଗେଟ ପ୍ରଦାନ ପାଇଁ ପ୍ରତିଶୃତି ଦେବାପରେ ଚାଷୀମାନେ ଫେରିଯାଇଥିବା ଜଣାଯାଇଛି ।
ତେବେ ଜିଲ୍ଲା ରେ ଚଳିତବର୍ଷ ଶାନ୍ତି ଶୃଙ୍ଖଳାର ସହିତ ଧାନକ୍ରୟ ଚାଲିଥିଲେ ମଧ୍ୟ ଅନେକ ମଣ୍ଡିରୁ ଠିକ୍ ସମୟରେ ଧାନ ଉଠିପାରୁନଥିବା ନେଇ ଅଭିଯୋଗ ହେଉଅଛି,ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଆସୁଥିବା ନେଇ ସତର୍କ କରାଯିବା ପରେ ଧାନ ବିକ୍ରି କରିପାରିନଥିବା ଅନେକ ଚାଷୀ ଏବେ ଚିନ୍ତାରେ ପଡିଯାଇଥିବା ପ୍ରକାଶ କରିଛନ୍ତି ।ତେଣୁ ଜିଲାରେ ତୁରନ୍ତ ଧାନକିଣା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

ସେଂଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧର ବାର୍ଷିକ ଉତ୍ସବ,ହକି ଓ ବାସ୍କେଟ ବଲ୍ ଭିତ୍ତିଭୂମି ପାଇଁ ଘୋଷଣା
ବୌଦ୍ଧ,୨୧/୨: ସେଂଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧର ଅଷ୍ଟମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ଜିଲ୍ଲା ଶିକ୍ଷାଧୀଶ ଡ. ଉଦୟନାଥ ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଜୟକୃଷ୍ଣ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ, ସ୍କୁଲ ଚେୟାରମ୍ୟାନ ଯୁଗଳ କିଶୋର ସାମଲ, ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
ଅତିଥିମାନେ ପ୍ରଥମେ ମା ଭୈରବୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବାବେଳେ ସ୍କୁଲ ଶିକ୍ଷୟତ୍ରୀ ମାରିୟମ ପୂର୍ତ୍ତି ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସେନାପତି ବାର୍ଷିକ ବିବରଣୀ ପାଠ କରିଥିଲେ । ଏହାପରେ କୁନିକୁନି ଛାତ୍ରଛାତ୍ରୀମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ । ବର୍ତ୍ତମାନ ସମୟରେ ମୋବାଇଲ ଆମ ପାଇଁ କେତେ ଜରୁରୀ ଓ ତାର କୁପ୍ରଭାବକୁ ନେଇ ଏକ ଗ୍ରୁପ ଅଭିନୟ ସମସ୍ତଙ୍କ ପାଇଁ ଆମୋଦପୂର୍ଣ୍ଣ ଥିଲା ।
ସେହିପରି ଅନେକ ଶିକ୍ଷଣୀୟ ଓ ଆଧ୍ୟାତ୍ମିକ ନୃତ୍ୟନାଟିକା ଛାତ୍ରଛାତ୍ରୀମାନେ ପରିବେଷଣ କରି ଉପସ୍ଥିତ ଅଭିଭାବକ ଓ ଅତିଥିଙ୍କ ମନ ମୋହି ଥିଲେ । ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ସାହୁ ଏହି ଅବସରରେ ନିଜ ଉଦବୋଧନରେ କହିଥିଲେ ଯେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରିଶ୍ରମ ଫଳରେ ପିଲାମାନଙ୍କ ଦକ୍ଷତା ବୃଦ୍ଧି ହେବାସହ ଏହି ସ୍କୁଲକୁ ଆହୁରି ଆଗକୁ ନେଇଯିବ । ବିଗତ ଦିନରେ ବୌଦ୍ଧ ମହୋତ୍ସବ, ରାହାଗିରି ତଥା ଅନ୍ୟାନ୍ୟ ପ୍ରତିଯୋଗିତାରେ ସେଂଟ୍ ଜାଭିୟର୍ସ ସ୍କୁଲର ଛାତ୍ରଛାତ୍ରୀଙ୍କର ପ୍ରତିଭା ଓ ଦକ୍ଷତାକୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ । ଏକ ଉତ୍ତମ ସ୍କୁଲ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।
ବିଦ୍ୟାଳୟରେ ହକି ଦଳ ସୃଷ୍ଟି ପାଇଁ ପ୍ରଶାସନ ତରଫରୁ ହକି ଉପକରଣ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବାସହ ସ୍କୁଲ ପ୍ରଶାସନ ତରଫରୁ ଏକ ବାସ୍କେଟ ବଲ କୋର୍ଟ ନିର୍ମାଣ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥିଗଣ ପୁରସ୍କୃତ କରିଥିଲେ । ସ୍କୁଲ ଭାଇସ ପ୍ରିନସିପାଲ ସତ୍ୟନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ଯୋଗଦେଇଥିଲେ । ସ୍କୁଲ ତରଫରୁ ଜିଲ୍ଲାପାଳ ଶ୍ରୀ ସାହୁ ଓ ସମସ୍ତ ସମ୍ମାନୀତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.