Odisha News

ଓଡ଼ିଶାରେ ଚିନ୍ତାଜନକ ମ୍ୟାଲେରିଆ ସ୍ଥିତି: ମୃତ୍ୟୁ ସଂଖ୍ୟାରେ ଓଡ଼ିଶା ଦ୍ବିତୀୟ ସର୍ବାଧିକ

ଭୁବନେଶ୍ୱର,୨/୪ : ୨୦୧୬ ମସିହାରେ ଓଡ଼ିଶାରେ ମ୍ୟାଲେରିଆର ବାର୍ଷିକ ପରଜୀବୀ ସୂଚକାଙ୍କ(ଏପିଆଇ) ୧୦ ଉପରେ ରହିଥିଲା। ହେଲେ ଏହାର ୩ବର୍ଷ ପରେ ଅର୍ଥାତ୍ ୨୦୧୯ ମସିହାରେ ଏପିଆଇ ୧ ତଳକୁ ଖସି ଆସିଥିଲା। ୨୦୨୧ ବେଳକୁ ଏହା ଆହୁରି ହ୍ରାସ ପାଇ ୦.୫୬ରେ ପହଞ୍ଚିଛି।
କେବଳ ଏପିଆଇ ନୁହେଁ, ଏକଦା ସଂକ୍ରମଣ ହାର(ଟିପିଆର) ୬ ପ୍ରତିଶତ ଥିବା ବେଳେ ଏବେ ତାହା ୦.୩୭କୁ ଖସି ଆସିଛି। ଏକମାତ୍ର ଜିଲ୍ଲା ମାଲକାନଗିରିକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ମ୍ୟାଲେରିଆର ସ୍ଥିତି ପ୍ରାୟତଃ ନିୟନ୍ତ୍ରଣାଧୀନ ରହିଛି। ଗତ କିଛିବର୍ଷ ହେବ ରାଜ୍ୟରେ ମ୍ୟାଲେରିଆ ସ୍ଥିତିରେ ଯଥେଷ୍ଟ ସୁଧାର ଆସିଥିଲେ ହେଁ ଦେଶରେ ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ ରାଜ୍ୟ ତାଲିକାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି।
୨୦୨୧ ମସିହାରେ ଛତିଶଗଡ଼ରେ ସର୍ବାଧିକ ୨୯,୪୫୫ ଆକ୍ରାନ୍ତ, ପଶ୍ଚିମବଙ୍ଗରେ ୨୮,୮୪୧ ଓ ଓଡ଼ିଶାରେ ୨୫,୫୨୫ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମ୍ୟାଲେରିଆ ଜନିତ ମୃତ୍ୟୁ ସଂଖ୍ୟାରେ ଓଡ଼ିଶା ଦ୍ବିତୀୟ ସର୍ବାଧିକ ରହିଛି। ଗତବର୍ଷ ରାଜ୍ୟରେ ୧୩ଜଣ ପ୍ରାଣ ହରାଇଛନ୍ତି। ୨୦୨୦ ମସିହାରେ ୯ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୬ ମସିହାରେ ଓଡ଼ିଶାରେ ୪,୪୪,୮୪୨ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେହିବର୍ଷ ୭୭ଜଣଙ୍କ ମ୍ୟାଲେରିଆ ମୃତ୍ୟୁ ରେକର୍ଡ କରାଯାଇଥିଲା।
ରାଜ୍ୟରେ ମ୍ୟାଲେରିଆ ସଂକ୍ରମଣରେ ହ୍ରାସ ପଛରେ ସରକାରୀ ସ୍ତରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଏକ ପ୍ରମୁଖ ଭୂମିକା ରହିଛି। ଗୋଷ୍ଠୀ ସ୍ତରରେ ଔଷଧୀୟ ମଶାରୀର ବ୍ୟବହାର, ‘ଦମନ’ କାର‌୍ୟ୍ୟକ୍ରମ ଯୋଗୁଁ ଓଡ଼ିଶା ମ୍ୟାଲେରିଆକୁ ନିୟନ୍ତ୍ରଣ ରଖିବାରେ ଏକପ୍ରକାର ସଫଳ ହୋଇଛି। କେନ୍ଦ୍ର ସରକାରଙ୍କ ଜାତୀୟ ମ୍ୟାଲେରିଆ ନିରାକରଣ ଓ ଜାତୀୟ ରଣନୀତି ପ୍ଲାନ ଫ୍ରେମୱାର୍କ ଅନୁସାରେ ରାଜ୍ୟର ୨୦ଟି ଜିଲ୍ଲା ବର୍ଗ ୧ ଓ ୪ଟି ଜିଲ୍ଲା ବର୍ଗ ୨ ଓ ୬ଟି ଜିଲ୍ଲା ବର୍ଗ ୩ରେ ଆସୁଛନ୍ତି। ବର୍ଗ ୧ ଓ ୨ରେ ଥିବା ଜିଲ୍ଲାଗୁଡ଼ିକ ପ୍ରାୟତଃ ମ୍ୟାଲେରିଆ ନିରାକରଣ ସ୍ଥିତିରେ ପହଞ୍ଚି ଯାଇଥିବା ବୋଲି ବିଚାର କରାଯାଇଥାଏ।
ରାଜ୍ୟର ୨୪ଟି ଜିଲ୍ଲାରେ ‘ଦମନ’ କାର‌୍ୟ୍ୟକ୍ରମ ଜାରି ରହିଛି। ଗତବର୍ଷ ୧କୋଟିରୁ ଅଧିକ ‘ଦମନ’ କ୍ୟାମ୍ପ କରାଯାଇଥିବା ବେଳେ ଏଥିରେ ୭୯୫୯ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରେ କୌଣସି ପ୍ରକାର ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ଏହାସହ ସ୍ବତନ୍ତ୍ରଭାବେ ଏନ୍ଜିଓ ସହାୟତାରେ ମାଲକାନଗିରିର ୭ଟି ବ୍ଲକ୍ରେ ମ୍ୟାଲେରିଆ ନୋ ମୋର କାର‌୍ୟ୍ୟ କରୁଥିବା ବେଳେ କୋରାପୁଟ ୬ଟି ବ୍ଲକ୍ରେ ଟାଟା ଟ୍ରଷ୍ଟ କାର‌୍ୟ୍ୟ କରୁଛି। ସେହିପରି ଓମ୍ବାଡସି ଜରିଆରେ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ୪୫ଟି ବ୍ଲକ୍ରେ ସଚେତନତା କାର‌୍ୟ୍ୟକ୍ରମ କରାଯାଉଛି।
ଅପରପକ୍ଷରେ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ଦିଗରେ ‘ଦମନ’ ବେଶ୍ ଫଳପ୍ରଦ ହୋଇଥିବାରୁ ଏହାକୁ ଆହୁରି ୫ବର୍ଷ ପର‌୍ୟ୍ୟନ୍ତ ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ଜିଲ୍ଲାଗୁଡ଼ିକ ମ୍ୟାଲେରିଆ ମୁକ୍ତ ବୋଲି ଘୋଷଣା କରାଯିବ ତାହାକୁ ସୁନିଶ୍ଚିତ କରିବା ଲାଗି ସେଠାରେ ‘ଦମନ’ ଜରିଆରେ ପୁନର୍ବାର ଏହାର ସମୀକ୍ଷା ହେବ। ଯାହାଫଳରେ ପରବର୍ତୀ ସମୟରେ ସେଠାରେ ମ୍ୟାଲେରିଆ ସଂକ୍ରମଣ ଆଶଙ୍କାକୁ ଦୂର କରାଯାଇ ପାରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.