Odisha News

ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି

ଭୁବନେଶ୍ୱର, ୧୭/୪ : ରାଜ୍ୟ ପୋଲିସ କର୍ମଚାରୀଙ୍କ ପାଇଁ ଶୁଭ ଗୁରୁବାର ହୋଇଛି । କଥା ଦେଇ କଥା ରଖିଛନ୍ତି ମୋହନ ସରକାର ।
ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଅନ ଗଠନ କରିବା ସହିତ ବିଭିନ୍ନ ପଦବୀରେ ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଅନୁମୋଦନ ଦେଇଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ପୋଲିସ କର୍ମଚାରୀମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ସିପାହୀ (GD) ମାନଙ୍କ ମାସିକ ପାରିଶ୍ରମିକ ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ସେହିପରି ଲାନ୍‍ସ ନାଏକ/ନାଏକ/ହାବିଲ୍‍ଦାର (GD)ମାନଙ୍କ ପାରିଶ୍ରମିକ ୩୨ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି ।
ସେହିପରି ଜୁନିଅର କମିଶନ୍‍ଡ ଅଫିସର (GD) ୪୦ ହଜାରରୁ ୫୫ ହଜାର ଟଙ୍କା ଏବଂ ଜୁନିଅର କମିଶନ୍‍ଡ ଅଫିସର (Instructor) ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ମୋହନ ସରକାର ।
ସେହିପରି ଡିଙ୍ଗି ଡ୍ରାଇଭର/ସି-ମ୍ୟାନ୍ ମେକାନିକ୍/ ଖଲାସି ମାନଙ୍କ ମାସିକ ପାରିଶମିକ ୩୦ ହଜାରରୁ ୪୫ ହଜାର, ସିରାଙ୍ଗ/ଇଞ୍ଜିନ୍‍ ଡ୍ରାଇଭରମାନଙ୍କର ୩୨ ହଜାରରୁ ୫୦ ହଜାର ଏବଂ ମାଷ୍ଟର ମାନଙ୍କ ମାସିକ ପାରିଶ୍ରମିକ ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି।
ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଅନ ଗଠନ କରାଯାଇଛି । ଏଥିରେ ପୂର୍ବତନ ଆର୍ମି ଓ ନାଭିର ସୈନିକ ଏବଂ କୈନ୍ଦ୍ରୀୟ ସଶକ୍ତ ପୋଲିସ ବାହିନୀର କର୍ମଚାରୀମାନେ ନିଯୁକ୍ତ ହେବେ ।

Related Posts