ଓଡ଼ିଶା ଆଇନ କମିସନ୍ ଗଠିତ, ଜଷ୍ଟିସ୍ ବିଶ୍ବନାଥ ରଥ ହେଲେ ଏହାର ଅଧ୍ୟକ୍ଷ
ଓଡ଼ିଶା, ୨୭/୧୨ : ରାଜ୍ୟ ସରକାର ଆଜି ଓଡ଼ିଶା ଷ୍ଟେଟ୍ ଲ’ କମିଶନର ପୁନର୍ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ଲ’ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଲ’ କମିଶନର ସଦସ୍ୟ ଭାବେ ଦୁଇଜଣ ବରିଷ୍ଠ ଆଡଭୋକେଟ୍ ସୂର୍ଯ୍ୟପ୍ରକାଶ ମିଶ୍ର ଓ ସୌରଚନ୍ଦ୍ର ମହାପାତ୍ରଙ୍କୁ ସାମିଲ କରାଯାଇଛି ।
ଆଇନ ବିଭାଗ ପକ୍ଷରୁ ଆଜି ଶୁକ୍ରବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୨୦୧୬ ମାର୍ଚ୍ଚ ୧୬ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଓଡ଼ିଶା ଷ୍ଟେଟ୍ ଲ’ କମିଶନର ପ୍ରାବଧାନ ଆଧାରରେ ଆଜି ଲ’ କମିଶନ ଗଠନ କରାଯାଇଛି ।
କମିଟିର ଅଧ୍ୟକ୍ଷ ଭାବେ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସମେତ ଏକ୍ସ-ଅଫିସୋ ସଦସ୍ୟ ଭାବେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଓ ଆଇନ ବିଭାଗର ପ୍ରମୁଖ ସଚିବଙ୍କୁ ସାମିଲ କରାଯାଇଛି ।
ସେହିପରି ଦୁଇଜଣ ବରିଷ୍ଠ ଆଡଭୋକେଟ୍ ଶ୍ରୀ ମିଶ୍ର ଓ ଶ୍ରୀ ମହାପାତ୍ର ଏହି କମିଟିରେ ସ୍ଥାନ ପାଇଛନ୍ତି । କମିଟିର ସଦସ୍ୟ ସଚିବ ଭାବେ ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଫିସର କାର୍ଯ୍ୟ କରିବେ ଯିଏକି କମିଶନଙ୍କ ସଚିବ ମଧ୍ୟ ରହିବେ ।
ଆଜି ପୁନର୍ଗଠିତ ଏହି ଲ’ କମିଶନରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ଜଣ ସଦସ୍ୟ ରହିଛନ୍ତି । ଏହି କମିଟି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସର୍ବାଧିକ ୩ବର୍ଷ ନଚେତ୍ ୭୦ବର୍ଷ ବୟସ ହେବା ପର୍ୟ୍ୟନ୍ତ(ଯେଉଁଟି ଆଗ ପଡ଼ିବ) ବୋଲି ଜଣାପଡ଼ିଛି ।
ଏହି କମିଟି ରାଜ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଥିବା ବିଭିନ୍ନ ରାଜ୍ୟ ଆଇନର ତର୍ଜମା କରି ସେଦିଗରେ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ ।