Odisha News

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ସେଲସେୟସ, ବିଭିନ୍ନ ସ୍ଥାନରେ ତୁଷାରପାତ

ଫୁଲବାଣୀ/ଘୁ.ଉଦୟଗିରି/ଦାରିଙ୍ଗବାଡ଼ି,୮/୧ : ପାଖାପାଖି ଦୁଇ ସପ୍ତାହର ବିରତି ପରେ କନ୍ଧମାଳ ଜିଲ୍ଲାକୁ ପୁଣି ଲେଉଟିଛି ଶୀତ। ଅସହ୍ୟ ଶୀତଲହରୀରେ ସାରା ଜିଲ୍ଲା ଥରୁଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳ ୧୦ ଡିଗ୍ରି ତଳେ। ଆଜି ଘୁ.ଉଦୟଗିରିରେ ଦିନକରେ ୫ ଡିଗ୍ରି ହ୍ରାସ ପାଇ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ସେଲ୍ସିୟସ୍କୁ ଖସି ଆସିଛି।
ସେହିପରି ଫୁଲବାଣୀରେ ୮.୫ ଡିଗ୍ରି ଏବଂ ଦାରିଙ୍ଗବାଡ଼ିରେ ୮ ଡିଗ୍ରି ରହିଛି। ଶୀତ ସାଙ୍ଗକୁ ଥଣ୍ଡା ପବନ ସହ୍ୟ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟଦାୟକ ହୋଇଛି। ଗତ ଦୁଇ ଦିନ ଧରି ସମଗ୍ର ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିଛି। ରାତି ୮ଟାରୁ କୁହୁଡ଼ି ଆରମ୍ଭ ହୋଇ ପରଦିନ ଦିନ ପ୍ରାୟ ୧୦ଟା ପର‌୍ୟ୍ୟନ୍ତ କୁହୁଡ଼ିମୟ ହୋଇ ରହୁ୍ଥିବାରୁ ଯାତାୟାତରେ ବହୁ ସମସ୍ୟା ଉପୁଜୁଛି।
ଗତ ସପ୍ତାହେ ଧରି ଜିଲ୍ଲାର ଘୁ.ଉଦୟଗିରି ସମେତ ଦାରିଙ୍ଗବାଡ଼ି, ବେଲଘର, କୋଟଗଡ଼, ରାଇକିଆ, ସୁବର୍ଣ୍ଣଗିରି, ରାଣୀପଥର, କଳିଙ୍ଗା, ମଣ୍ଡାସରୁ ଆଦି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଆସନ୍ତା ସପ୍ତାହେ ଧରି ଏଭଳି ଶୀତଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅନ୍ୟପଟେ ଶୀତର ମଜା ନେବା ପାଇଁ ଜିଲ୍ଲାର ବିଭିନ୍ନ ପର‌୍ୟ୍ୟଟନସ୍ଥଳୀକୁ ବାହାର ପର‌୍ୟ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ବିଶେଷକରି ଦାରିଙ୍ଗବାଡ଼ି, ମଣ୍ଡାସରୁ ଇକୋ ଟୁରିଜିମ୍ ଏବଂ ବେଲଘର ପ୍ରକୃତି ଶିବିର ବୁଲି ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର‌୍ୟ୍ୟଟକମାନେ ଆସିବା ଆରମ୍ଭ କଲେଣି।

Related Posts

Seo wordpress plugin by www.seowizard.org.