Odisha News

ଏମସ ପାଳିବ ୪ର୍ଥ ସମାବର୍ତ୍ତନ ଉତ୍ସବ, ୪୦ ଜଣ ପାଇବେ ଗୋଲ୍ଡ ମେଡ଼ାଲ

ଭୁବନେଶ୍ବର,୪/୧: ଜାନୁଆରି ୭ରେ ଭୁବନେଶ୍ୱର ଏମ୍ସର ଚତୁର୍ଥ ସମାବର୍ତ୍ତନ ଉତ୍ସବ ପାଳନ ହେବ। ଏହି ସମାରୋହରେ ମୁଖ୍ୟ ଅତିଥି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଯୋଗଦେବେ।
ସମାରୋହରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର ମଧ୍ୟ ଉପସ୍ଥିତ ରହିବେ। ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଶ୍ରୀ ବିଶ୍ବାସ କହିଛନ୍ତି ଯେ, ସମାବର୍ତ୍ତନ ଉତ୍ସବରେ ୨୮୩ ଜଣଙ୍କୁ ଡିଗ୍ରୀ ଓ ୪୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକରେ ସମ୍ମାନିତ କରାଯିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭିଅ ୬ ଆଇସିୟୁ ଓ ୬ କ୍ୟାବିନ ସୁବିଧାଯୁକ୍ତ ୩୬ ଶର‌୍ୟ୍ୟା ବିଶିଷ୍ଟ ସ୍ୱତନ୍ତ୍ର ବର୍ଣ୍ଣ ସେଣ୍ଟର ଉଦ୍ଘାଟନ କରିବେ।
ନ୍ୟାସନାଲ ଥର୍ମାଲ ପାୱାର ପ୍ଲାଣ୍ଟ (ଏନଟିପିସି) ଦ୍ବାରା ନିର୍ମିତ ଏହି ସ୍ବାସ୍ଥ୍ୟ ସୁବିଧାକୁ ୨୦୧୮ ଅଗଷ୍ଟ ୨୫ ତାରିଖରେ ତତ୍କାଳନୀ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଶିଳାନ୍ୟାସ କରିଥିଲେ।
ସେହିପରି ସମାବର୍ତ୍ତନ ଉତ୍ସବ ଦିନ ୧୫୦ ବେଡ୍ ବିଶିଷ୍ଟ କ୍ରିଟିକାଲ କେୟାର ହସ୍ପିଟାଲର ଶିଳାନ୍ୟାସ ହେବ। ପିଏମ୍ ଆୟୁଷମାନ ଭାରତ ହେଲ୍ଥ ଇନ୍ଫ୍ରାଷ୍ଟ୍ରକ୍ଚର ମିଶନ ଅଧିନରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ୧୯୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏମ୍ସ ନିର୍ଦ୍ଦେଶକ ଶ୍ରୀ ବିଶ୍ବାସ ଗଣମାଧ୍ୟମକୁ କହିଛନ୍ତି।

Related Posts

Seo wordpress plugin by www.seowizard.org.