Odisha News

ଏନକାଉଣ୍ଟରରେ ୨୫ ଲକ୍ଷ ଘୋଷିତ ମାଓନେତା ଭାସ୍କର ମୃତ, ଏକେ-୪୭ ବନ୍ଧୁକ ଜବତ

ଭୁବନେଶ୍ୱର, ୭/୬: ଦେଶକୁ ମାଓ ମୁକ୍ତ କରିବାକୁ ଆରମ୍ଭ ହୋଇଥିବା ଅଭିଯାନ ସଫଳତାର ସହିତ ଆଗେ ଚାଲିଛି । ଗୋଟିଏ ପରେ ଗୋଟିଏ ମାଓ ନେତାଙ୍କୁ ଖୋଜି ଖୋଜି ନିପାତ କରୁଛନ୍ତି ସୁରକ୍ଷାବାହିନୀ । ଏହି କ୍ରମରେ ହାର୍ଡକୋର୍ ମାଓନେତା ଭାସ୍କର ଓରଫ୍ ମଇଲାରାପୁ ଆଡ଼େଲୁ ନିପାତ ହୋଇଛି । ଛତିଶଗଡ଼ ବୀଜାପୁର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ଟପ୍ କ୍ୟାଡର ଭାସ୍କର ନିହତ ହୋଇଛି । ଏ ନେଇ ବସ୍ତର ରେଞ୍ଜ ପୋଲିସ ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ।
ଶୁକ୍ରବାର ବୀଜାପୁର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ନେଇ ସୁରକ୍ଷାବାହିନୀକୁ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ଡିଆରଜି, ସିଆରପିଏଫ୍, କୋବ୍ରା ଏବଂ ଏସଟିଏଫ୍ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା। ଏଥିରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଥିଲା । ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ଭାସ୍କର ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଥିଲା । ତାର ମୃତ ଦେହକୁ ଜଙ୍ଗଲରୁ ଜବତ କରାଯାଇଛି । ଘଟଣା ସ୍ଥଳରୁ ଏକେ ୪୭ ରାଇଫଲ୍, ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।
ଭାସ୍କର (୫୩) ମୂଳତଃ ତେଲେଙ୍ଗାନା ଆଡିଲବାଦ ଜିଲ୍ଲାର ବାସିନ୍ଦା ଅଟେ । ସେ ତେଲେଙ୍ଗାନାର ସିପିଆଇ ମାଓ କମିଟିର ଜଣେ ସକ୍ରିୟ ସଦସ୍ୟ ଥିବା ସହିତ ଏମକେବିର ସମ୍ପାଦକ ଥିଲା । ସେ ଏକାସାଙ୍ଗରେ ତେଲୁଗୁ, ହିନ୍ଦୀ, ଗୋଣ୍ଡି ଏବଂ ଗୋଥିକୋୟା ଭାଷା କହିପାରେ । ତା ମୁଣ୍ଡରେ ୪୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଛତିଶଗଡ଼ ସରକାର ପକ୍ଷରୁ ୨୫ ଲକ୍ଷ ଏବଂ ତେଲେଙ୍ଗାନା ପକ୍ଷରୁ ୨୦ ଲକ୍ଷର ପୁରସ୍କାର ରାଶି ରଖାଯାଇଥିଲା ବୋଲି ଆଇଜି କହିଛନ୍ତି । ଭାସ୍କରର ସ୍ତ୍ରୀ କାନ୍ଥି ଲିଙ୍ଗବ୍ବା ଓରଫ୍ ଅନିଥା ମଧ୍ୟ ଡିଭିଜନାଲ କମିଟିର ସଦସ୍ୟା ଥିଲା । ସେ ୨୦୨୨, ଡିସେମ୍ବର ୨୨ରେ ପୋଲିସ ଗୁଳିରେ ପ୍ରାଣ ହରାଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଗୁରୁବାର ଟପ୍ ମାଓ ନେତା ସୁଧାକର ନିହତ ହୋଇଥିଲା । ତା ମୁଣ୍ଡରେ ୪୦ ଲକ୍ଷର ପୁରସ୍କାର ରହିଥିଲା । ସେହିପରି ମେ ୨୧ରେ ମାଓ ନେତା ବସବରାଜୁ ଓରଫ୍ ନାମ୍ବଲା କେଶବ ରାଓକୁ ନାରାୟଣପୁରରେ ଏନକାଉଣ୍ଟର କରାଯାଇଥିଲା ।

Related Posts